ଅବସରପ୍ରାପ୍ତ ସିଆରପିଫ ଯବାନଙ୍କୁ ସ୍ୱାଗତ କଲେ ଗ୍ରାମବାସୀ
ହାଟଡିହି (ଓ୍ବାଇଏନଏସ): ଦୀର୍ଘ ୩୬ ବର୍ଷ ଧରି ଦେଶ ମାତୃକାର ସେବା କରି ଘରକୁ ଫେରିବା ପରେ ଅବସରପ୍ରାପ୍ତ ସିଆରପିଫ ଯବାନଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ଇଞ୍ଚୋଳ ଗ୍ରାମବାସୀ। ଗ୍ରାମର ରଞ୍ଜନ କୁମାର ଜେନା ସିଆରପିଫ ଯବାନ ଭାବେ ୩୬ ବର୍ଷ ଧରି ଭାରତର ବିଭିନ୍ନ ସ୍ଥାନରେ କାମ କରିଥିଲେ। ସେ ଚାକିରିରୁ ଅବସର ନେଇ ଗାଁ କୁ ଆସୁଥିବା ଜାଣିବା ପରେ ଇଞ୍ଚୋଳ ଗ୍ରାମର ଗ୍ରାମବାସୀ ଏକଜୁଟ ହୋଇ ତାଙ୍କୁ ସ୍ୱାଗତ କରିବା ପାଇଁ ନିଷ୍ପତି ନେଇଥିଲେ। ଶତାଧିକ ଗ୍ରାମବାସୀ ଅଣାଛକ ଠାରୁ ଡଙ୍କୁରୀ, ଗୁହାଳଗଡିଆ, ରମ୍ପାସ, ନୂଆ ରମ୍ପାସ ଆଦି ଗାଁ ପରିକ୍ରମା କରି ଏକ ବିରାଟ ପଟୁଆରରେ ବାଜା ବଜାଇ, ବାଣ ଫୁଟାଇ ଗାଁ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ଏପରିକି ଅନେକ ସ୍ଥାନରେ ମହିଳା ମାନେ ଫୁଲ ଚନ୍ଦନ ଦେଇ ବନ୍ଦାପନା କରୁଥିବା ଦେଖିବାକୁ ମିଳିଥିଲା। ଗାଁ ଲୋକେ ଯେପରି ସ୍ୱାଗତ ଜଣାଇଲେ ସେଥିପାଇଁ ସେ ଗ୍ରାମବାସୀଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି।


