ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଖାଲି ପଡିଥିବା ନର୍ସିଂ ଅଫିସର ପୂରଣ ଦାବୀ
ଆସିକା (ୱାଇଏନ୍ଏସ୍) :ଆସିକା ଉପଖଣ୍ଡ ଚିକିତ୍ସାଳୟ ଉପରେ ଆସିକା ପୌର ପରିିଷଦ ଓ ବ୍ଳକ ସମେତ ଧରାକୋଟ ବ୍ଳକ, କବିସୂର୍ଯ୍ୟନଗର ବ୍ଳକ, ଶେରଗଡ ବ୍ଳକ, ବୁଗୁଡା ବ୍ଳକ ସମେତ ଆଖପାଖ ଅଞ୍ଚଳର ଶହ ଶହ ରୋଗୀ ନିର୍ଭରଶୀଳ । ଆମ ହସ୍ପିଟାଲ୍ ଯୋଜନାରେ ଗତବର୍ଷ ଏହି ଡାକ୍ତରଖାନାର ରୂପାନ୍ତରୀକରଣ ହେବା ସାଙ୍ଗକୁ କୋଠାର ବି ଉନ୍ନତିକରଣ କରାଯାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆର୍ଥିକ ଅନୁଦାନରେ ରୋଗୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲାଗି ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବା ମେସିନ୍ ବି ଲଗାଯାଇଛି । ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍ଗୋପାଳ ବେହେରାଙ୍କ ଅକ୍ଳାନ୍ତ ପ୍ରଚେଷ୍ଟା ଓ ମାର୍ଗଦର୍ଶନ ଏବଂ ସୁଚିନ୍ତିତ ପରାମର୍ଶରେ କାର୍ଯ୍ୟରତ ବିଶେଷଜ୍ଞ ଡାକ୍ତରମାନେ ରୋଗୀଙ୍କୁ ଉନ୍ନତ ମାନର ସେବା ଯୋଗାଇବା ଲାଗି ପ୍ରୟାସ ଜାରି ରଖିଥିବା ଦେଖିବାକୁ ମିଳୁଛି । ତେବେ ଏହି ପୁରାତନ ଡାକ୍ତରଖାନାରେ ଦୀର୍ଘ ଦିନ ହେଲା ଆବଶ୍ୟକତା ଅନୁଯାୟୀ ଖାଲି ପଡିଥିବା ନର୍ସିଂ ଅଫିସର ପଦବୀ ପୂରଣ ଦିଗରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ବିଭିନ୍ନ ସମୟରେ ରୋଗୀସେବା ବ୍ୟାହତ ହୋଇପଡୁଥିବା ଅଭିଯୋଗ ହେଉଛି । ଆସିକା ଉପଖଣ୍ଡ ଚିକିତ୍ସାଳୟରେ ମଂଜୁରୀପ୍ରାପ୍ତ ୨୩ଟି ନର୍ସିଂ ଅଫିସର ପଦବୀ ମଧ୍ୟରୁ ଦୀର୍ଘ ଦିନ ହେଲା ୧୫ ଟି ନର୍ସିଂ ଅଫିସର ପଦବୀ ଖାଲି ପଡିଥିଲା ବେଳେ ମାତ୍ର ୮ ଜଣ ନର୍ସିଂ ଅଫିସରଙ୍କ ଦ୍ୱାରା ସେବା ଯୋଗାଇ ଦିଆଯାଉଥିବା ଜଣାପଡିଛି । ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପାଇବା ପାଇଁ ଆସୁଥିବା ରୋଗୀଙ୍କୁ ଡାକ୍ତରଙ୍କ ପରେ ସେବା ଯୋଗାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ନର୍ସିଂ ଅଫିସରଙ୍କ ଅଭାବ ଜାରି ରହିଛି । ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ଦିନ ହେଲା ବହୁ ନର୍ସିଂ ଅଫିସର ପଦବୀ ଖାଲି ପଡିଥିବା ଯୋଗୁଁ କମ୍ ସଂଖ୍ୟାକ ନର୍ସିଂ ଅଫିସରଙ୍କ ଦ୍ୱାରା ରୋଗୀଙ୍କୁ ସେବା ଯୋଗାଇବା ସମ୍ଭବପର ହୋଇପାରୁ ନଥିଲେ ମଧ୍ୟ କାର୍ଯ୍ୟରତ ସ୍ୱଳ୍ପ ସଂଖ୍ୟକ ନର୍ସିଂ ଅଫିସରମାନେ ସେବା ଯୋଗାଉଥିବା ଦେଖିବାକୁ ମିଳୁଛି । ୬୧ ଶଯ୍ୟା ବିଶିଷ୍ଟ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ଦିନ ହେଲା ଖାଲି ପଡିଥିବା ୧୫ଟି ନର୍ସିଂ ଅଫିସର ପଦବୀ ପୂରଣ ଦିଗରେ ସ୍ୱାସ୍ଥ୍ୟ ବିଭାଗର କେବେ ନିଘୋଡ ନିଦ୍ରା ଭାଙ୍ଗିବ ତାହା ସଚେତନ ନାଗରିକ ମହଲରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ଦିନ ଧରି ଖାଲି ପଡିଥିବା ୧୫ଟି ନର୍ସିଂ ଅଫିସର ପଦବୀକୁ ପୂରଣ ଦିଗରେ ପଦକ୍ଷେପ ନେବାକୁ ବରିଷ୍ଠ ସମାଜସେବୀ ପ୍ରସନ୍ନ କୁମାର ତ୍ରିପାଠୀ ଅନୁରୋଧ କରିଛନ୍ତି ।


