ବିଦ୍ୟୁତ୍‌ ସଂସ୍ପର୍ଶରେ ଅକାମି ନାବାଳକକୁ ୫୦ ଲକ୍ଷ କ୍ଷତିପୂରଣ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଗୁଣପୁର,(ୱାଇଏନଏସ): ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଗୋଡ଼ ହରାଇଥିବା ନାବାଳକ ପିୟୁସୁ ପାତ୍ରଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଗୁଣପୁର ସିଭିଲ ଜର୍ଜ କୋର୍ଟ ବିଚାରପତି ସୁମିତ୍ରା ସାହୁ ଐତିହାସିକ ରାୟ ଶୁଣାଇଛନ୍ତି। ଉଭୟ ଘର ମାଲିକ ଗୋବିନ୍ଦ ସାହୁ ଏବଂ ଟାଟା ବିଦ୍ୟୁତ କମ୍ପାନୀ ଦୁଇ ମାସ ମଧ୍ୟରେ ୨୫ ଲକ୍ଷ ଟଙ୍କା ତାଙ୍କ ନାମରେ ବ୍ୟାଙ୍କରେ ଫିକ୍ସିଡ଼ ଡେପୋଜିଟ ସହ ଆଉ ୨୫ ଲକ୍ଷ ଟଙ୍କା ଚିକିତ୍ସା ଖର୍ଚ୍ଚ ବାବଦକୁ ପ୍ରଦାନ କରିବା ପାଇଁ ମାନ୍ୟବର କୋର୍ଟ ନିର୍ଦେଶ ଦେଇଛନ୍ତି। କ୍ଷତିପୂରଣ ପ୍ରଦାନରେ ବିଳମ୍ବ ଘଟିଲେ ସୁଧ ସହ ଦେବାକୁ କୁହାଯାଇଛି। ସୂଚନାଯୋଗ୍ୟ ଗୁମୁଡାର ସଙ୍ଘମିତ୍ରା ପାତ୍ରଙ୍କ ପୁଅ ପିୟୁସି ପାତ୍ର(୯) ଜୁନ ୨୩ ତାରିଖ ୨୦୧୮ ମସିହା ପୂର୍ବାହ୍ନ ୧୦ ଘଣ୍ଟରୁ ୧୧ ଟା ମଧ୍ୟରେ ଗୁମୁଡାର ଗୋବିନ୍ଦ ସାହୁଙ୍କ ଛାତ ଉପରେ ଅନ୍ୟ ପିଲା ମାନଙ୍କ ସହ ଖେଳୁଥିଲେ। ଛାତରେ ବର୍ଷା ଜଳ ଥିଲା। ସେହି ନିକଟ ଦେଇ କେଭିଲାଇନ ବିଦ୍ୟୁତ ତାର ଯାଇଥିବାରୁ ଜଳକୁ ସ୍ପର୍ଶ ହେବା ମାତ୍ରେ ଉଚ୍ଚ କ୍ଷମତା ସମ୍ପନ କେଭି ଲାଇନ ବିଦ୍ୟୁତ ଲାଗିଯାଇ ପିୟୁସୁର ଗୋଡ଼ ଜଳି ଯାଇଥିଲା। ଫଳରେ ଚିକିତ୍ସା ସମୟରେ ଦୁଇଟି ଗୋଡ଼କୁ ସମ୍ପୁର୍ଣ୍ଣ କାଟି ଦେବାରୁ ପିଲାଟି ଅକାମି ହୋଇଯାଇଥିଲା। ପିୟୁସୁର ମା ସଙ୍ଘମିତ୍ରା ପାତ୍ର ଗୁଣପୁର ସିଭିଲ ଜର୍ଜ କୋର୍ଟରେ ଆଇନଜୀବୀ ବ୍ରହ୍ମାନନ୍ଦ ପଟନାୟକଙ୍କ ଜରିଆରେ ୨୦୧୯ ମସିହାରେ କ୍ଷତିପୂରଣ ପାଇଁ ସୁଇଟ ଫାଇଲ କରିଥିଲେ। ଏହି ମାମଲାଟି ଗୁଣପୁର ସବଜଜ୍ କୋର୍ଟରେ ଦୀର୍ଘ ୭ ବର୍ଷ ହେଲା ବିଚାରାଧୀନ ଥିଲା। ବିଚାରପତି ଶ୍ରୀମତି ସୁମିତ୍ରା ସାହୁ ମଙ୍ଗଳବାର ଦିନ ଏହି ମାମଲାର ଶୁଣାଣି କରି କ୍ଷତିପୂରଣ ପାଇଁ ଆବେଦନ କରିଥିବା ପରିବାରକୁ ଦୁଇ ମାସ ମଧ୍ୟରେ ୫୦ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟୁତ୍‌ ବିଭାଗ ଓ ଘର ମାଲିକ ଗୋବିନ୍ଦ ସାହୁଙ୍କ ଅବହେଳା ପାଇଁ ଅଘଟଣ ହୋଇଥିବା କୋର୍ଟ ଅନୁଭବ କରି କ୍ଷତିପୂରଣ ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପାଇଁ ଆଇନଜୀବୀ ବ୍ରହ୍ମାନନ୍ଦ ପଟ୍ଟନାୟକ ଓ ବିଦ୍ୟୁତ ବିଭାଗ ପକ୍ଷରୁ ଆଇନଜୀବୀ ରାଜେନ୍ଦ୍ର ପାଢ଼ୀ ମକଦ୍ଧମା ଲଢୁଥି‌ଲେ। ଅପର ପକ୍ଷରେ କୋର୍ଟର ରାୟ ବିରୋଧରେ ହାଇକୋର୍ଟକୁ ଯିବେ ବୋଲି ଆଇନଜୀବୀ ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ