ଅସହ୍ୟ ଗରମ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ: ବଢୁଛି ଥଣ୍ଡାପାନୀୟର ଚାହିଦା ବୃଦ୍ଧି
ଆସିକା (ୱାଇଏନ୍ଏସ୍) : ପ୍ରଚଣ୍ଡ ଖରାରେ ସିଝୁଛି ଆସିକା ସହର । ତାତି ସହ ତାଳ ଦେଇ ବଢିବାରେ ଲାଗିଛି ଥଣ୍ଡାପାନୀୟର ବ୍ୟବସାୟ । ଗତ କିଛି ଦିନ ହେଲା ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବା ସହ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ପ୍ରଚଣ୍ଡ ଖରା ଯୋଗୁଁ ମୃଦୁ ଥଣ୍ଡା ପାନୀୟ, ଆଖୁରସ, ତରଭୁଜ, ତାଳସଜ, ରସାବଳି, ଦହିଚହ୍ଲା, ସୋଡା, ଦବିସର୍ବତ, ଲେମ୍ବୁମିଶ୍ରି, ଲେମ୍ବୁପାଣି, ଭୁଷିମିଶ୍ରି, ମିଶ୍ରିପାଣି ସମେତ ଅନ୍ୟାନ୍ୟ ଥଣ୍ଡାପାନୀୟର ଚାହିଦା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି ଏପରିକି ସହରର ବିଭିନ୍ନ ସ୍ଥାନରେ ଖୋଲିଥିବା ଥଣ୍ଡାପାନୀୟ ଦୋକାନରେ ପଥଚାରୀ ଓ ବାଟୋଇଙ୍କ ପ୍ରବଳ ଭିଡ ଜମୁଛି । ଆସିକା ଏନ୍ଏସି ଅଧୀନସ୍ଥ ହାଟପଦା ଛକ ନିକଟରୁ କିଛି ମିଟର ଦୂରରେ ଥଣ୍ଡା ପାନୀୟ ଦୋକାନ କରି ପରିବାର ପ୍ରତିପୋଷଣ କରିଆସୁଥିବା ବି.ସୋମନାଥ ରେଡିଙ୍କ ଦୋକାନରେ ବିକ୍ରୀ ହେଉଥିବା ଲେମ୍ବୁ, ଲୁଣ, କଳାଲୁଣ, ପୁଦିନା ପତ୍ର, ଦହି, ଅଦା, ଗୋଲମରିଚ, ଆମ୍ବକସି ଅଦା, କଞ୍ଚା ଆମ୍ବରେ ପ୍ରସ୍ତୁତ ସୁସ୍ୱାଦୁ ଓ ସ୍ୱାଦିଷ୍ଟ ଦହିଚହ୍ଲାପଣା ସାଙ୍ଗକୁ ଅନ୍ୟାନ୍ୟ ଥଣ୍ଡାପାନୀୟ ପିଇବା ପାଇଁ ଗ୍ରାହକଙ୍କ ପ୍ରବଳ ସମାଗମ ହେଉଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଖରାରୁ ପ୍ରକୋପ ବୃଦ୍ଧି ଅନୁସାରେ ବଢିବାରେ ଲାଗିଛି ଥଣ୍ଡାପାନୀୟ ବେପାର । ଗ୍ରାହକଙ୍କ ଆବଶ୍ୟକତା ଓ ଚାହିଦାକୁ ଦୃଷ୍ଟିରେ ରଖି ବହୁ ଥଣ୍ଡାପାନୀୟ ବ୍ୟବସାୟୀ ଭଳିକି ଭଳି ବିଭିନ୍ନ ସାମଗ୍ରୀର ମିଶ୍ରଣରେ ପ୍ରସ୍ତୁତ ଥଣ୍ଡାପାନୀୟ ବିକ୍ରୀ କରୁଥିବା ପରିଲକ୍ଷିତ ହେଉଛି ।


