ରାସାୟନିକ ସାରର ବହୁଳ ବ୍ୟବହାର ଯୋଗୁଁ ତଟକା ପନିପରିବାରୁ କମୁଛି ସ୍ୱାଦ, ବିଗୁଡିଛି ସ୍ୱାସ୍ଥ୍ୟ
ଆସିକା (ୱାଇଏନ୍ଏସ୍) ସକାଳ ହେଲେ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳର ମୁଖ୍ୟରାସ୍ତା ପାଶ୍ୱର୍ରେ ଖୋଲିଯାଉଛି ଭଳିକି ଭଳି ତଟକା ପନିପରିବା ବିକ୍ରୀର ବଜାର । ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ଅଞ୍ଚଳର ବ୍ୟବସାୟୀମାନେ ପନିପରିବା ବିକ୍ରୀ କରିବା ଉଦ୍ଦେଶ୍ୟରେ ପରିବା ବୋଝ ଧରି ସକାଳୁ ସକାଳୁ ଆସିକା ସହରରେ ପହଞ୍ଚି ପସରା ପକାଇ ପନିପରିବା ବ୍ୟବସାୟ କରୁଛନ୍ତି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ କିସମର ପନିପରିବା ସାଙ୍ଗକୁ କଖାରୁ ଫୁଲ, ମେଥି ଶାଗ, ପାଳଙ୍କ ଶାଗ, ମୁନିକା ଶାଗ, ପିଆଜ ଶାଗ, ଖୋଷଡା ଶାଗ, ମାରିଶ ଶାଗ, ପୋଇ ଶାଗ, କଲରା ଶାଗ ପରି ଖାଣ୍ଟି ଦେଶୀ ପରିବା ଅତି ସହଜରେ ବିକ୍ରୀ ହେଉଥିବା ଦେଖିବାକୁ ମିଳୁଛି । ଆଉ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ସାଧାରଣ ଜନତା ସକାଳର ନିତ୍ୟକର୍ମ ଶେଷ କରି ପନିପରିବା କ୍ରୟ କରିବା ଉଦ୍ଦେଶ୍ୟରେ ହାତରେ ବ୍ୟାଗ୍ ଧରି ବଜାରକୁ ଛୁଟି ଆସୁଛନ୍ତି । ହେଲେ ଅଧିକାଂଶ ପନିପରିବା ବ୍ୟବସାୟ କେନ୍ଦ୍ରରେ ବିକ୍ରୀ ହେଉଥିବା ତଟକା ପନିପରିବାରେ ମାତ୍ରାଧିକ ରାସାୟନିକ ସାର ବ୍ୟବହାର କରାଯାଉଥିବା ଓ ସ୍ୱାସ୍ଥ୍ୟ ପ୍ରତି କୁପ୍ରଭାବ ସଂପର୍କରେ ଅଜ୍ଞ ରହି ପନିପରିବା କ୍ରୟ କରି ଘରକୁ ନେଉଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଅଧିକାଂଶ ଜନତାଙ୍କ ପ୍ରଧାନ ବୃତ୍ତି କୃଷି ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳ ସମେତ ପଡୋଶୀ ରାଜ୍ୟରୁ ଆସିକା ସହରକୁ ତଟକା ପନିପରିବା ଆସୁଥିଲେ ହେଁ ସହରବାସୀଙ୍କ ଦୈନିକ ଆବଶ୍ୟକତା ମେଣ୍ଟାଇବାରେ ଆସିକା ଅଞ୍ଚଳର ପନିପରିବା ଚାଷୀ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି । ତେବେ ନିୟମିତ ବର୍ଷା ସାଙ୍ଗକୁ ଅନ୍ୟ କେତେକ କାରଣରୁ ପନିପରିବା ଫସଲ ଉତ୍ପାଦନ ବିଭିନ୍ନ ସମୟରେ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି । ସେହିପରି ଜୈବିକ ଉପାୟରେ ପନିପରିବା ଫସଲ ଉତ୍ପାଦନ କରି ଅଂଚଳବାସୀଙ୍କ ଆବଶ୍ୟକତା ମେଣ୍ଟାଇବା ସହ ନିଜ ଗୁଜରାଣ ମେଣ୍ଟାଇବା କେତେକ ଚାଷୀଙ୍କ ପାଇଁ କଷ୍ଟକର ହୋଇପଡୁଛି । ତେଣୁ ବହୁ ଚାଷୀ ବର୍ତ୍ତମାନର ଆଧୁନିକ ଚାଷ ପଦ୍ଧତି ଓ ଅଧିକ ଅମଳ ଆଶାରେ ପନିପରିବା ଫସଲରେ ଅତିମାତ୍ରାରେ ରାସାୟନିକ ସାର ବ୍ୟବହାର କରୁଥିବା ଅଲୋଚିତ ହେଉଛି । ଯାହାରି ଫଳରେ ପନିପରିବାରୁ ସ୍ୱାଦ କମୁଥିବା ବେଳେ ଏହା ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପଡୁଥିବା ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଆସିକା ଅଞ୍ଚଳରେ ଅତୀତରେ ଥିବା ଶୀତଳଭଣ୍ଡାରଟି କୌଣସି କାରଣରୁ ବନ୍ଦ ହୋଇଯିବା ଫଳରେ ବର୍ତ୍ତମାନ ସୁଦ୍ଧା ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବା ନୂଆଁ ଶୀତଳଭଣ୍ଟାରଟିଏ ସ୍ଥାପନ କରିବା ସମ୍ଭବପର ହୋଇପାରି ନାହିଁ । ତେଣୁ ଚାଷୀଙ୍କୁ ଅନେକ ସମୟରେ କ୍ଷତିର ସମ୍ମୁଖୀନ ହେବାକୁ ପଡୁଛି । ଆଜିକାଲି ପ୍ରାୟତଃ ଅଧିକାଂଶ ଖାଦ୍ୟରେ ଅପମିଶ୍ରଣ କରାଯାଉଛି ଏବଂ ତଟକା ପନିପରିବା ମଧ୍ୟ ଏଥିରୁ ବାଦ୍ ପଡିନାହିଁ । ଖାଦ୍ୟରୁ ହିଁ ସମସ୍ତ ପ୍ରକାର ରୋଗ ଶରୀରରେ ସୃଷ୍ଟି ହୋଇଥାଏ । ସାଂପ୍ରତିକ ପରିସ୍ଥିତିରେ ତଟକା ପନିପରିବାରେ ରାସାୟନିକ ସାର ବ୍ୟବହାର କରାଯିବା ପରେ ଏହି ପନିପରିବା ଖାଇ ବହୁ ବ୍ୟକ୍ତି ପେଟରୋଗରେ ଆକ୍ରାନ୍ତ ହେଉଥିବା ଚର୍ଚ୍ଚା ହେଉଛି । ଜଳବାୟୁ ପରିବର୍ତ୍ତନ ପାଇଁ ଖରା, ବର୍ଷା, ଶୀତରେ ତାଳମେଳ ରହୁନାହିଁ ଏବଂ କେତେକ ସମୟରେ ପନିପରିବା ଫସଲରେ ରୋଗପୋକ ଲାଗୁ ଯାଉଛନ୍ତି । ଏଣୁ ପନିପରିବା ଫସଲକୁ ସୁରକ୍ଷା ଦେବା ପାଇଁ କୀଟନାଶକ ଔଷଧର ବ୍ୟବହାର କରିବାକୁ ପଡୁଛି । ଧନିଆ ପତ୍ର, କଞ୍ଚାଲଙ୍କା, ଫୁଲକୋବି ସମେତ ଅନ୍ୟ କେତେକ ପନିପରିବାକୁ ଦିନେ ଦୁଇ ଦିନ ରଖିଦେଲେ ସେଥିରୁ ସ୍ୱାଦ ଓ ସୁଗନ୍ଧ ଉଭେଇ ଯାଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଜନସାଧାରଣଙ୍କ ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରି ଜୈବିକ ପଦ୍ଧତିରେ ଚାଷ କରି ପନିପରିବା ଉତ୍ପାଦନ କରିବାରେ ଚାଷୀଙ୍କୁ ସଚେତନତା ଓ ପ୍ରୋତ୍ସାହନ ଦେବା ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।


