ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲ ସଙ୍କଟ

ମାଲକାନଗିରି(ଡଃ ଶିବ ନାରାୟଣ ପାତ୍ର): ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲ ସଙ୍କଟ ଏବେ ସାଧାରଣ ଜନତାଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ସାଧାରଣ ପେଟ୍ରୋଲର ଅଭାବ ଯୋଗୁଁ ଅଧିକାଂଶ ପମ୍ପଗୁଡ଼ିକରେ ଏବେ କେବଳ ‘ଏକ୍ସଟ୍ରା ପ୍ରିମିୟମ’ ପେଟ୍ରୋଲ ମିଳୁଛି, ଯାହାର ମୂଲ୍ୟ ଲିଟର ପିଛା ୧୧୫ ଟଙ୍କା ରହିଛି। ଅସହାୟ ଗ୍ରାହକମାନେ ନାକେଦମ ହୋଇ ଏହି ମହଙ୍ଗା ପେଟ୍ରୋଲ କିଣିବାକୁ ବାଧ୍ୟ ହେଉଛନ୍ତି। ଜଣେ ସାଧାରଣ ଗ୍ରାହକ ଗୋଟିଏ ପମ୍ପରେ ଘଣ୍ଟା ଘଣ୍ଟା ଧରି ପ୍ରଚଣ୍ଡ ଖରାରେ ଲାଇନରେ ଛିଡ଼ା ହେବା ପରେ ମଧ୍ୟ ସାଧାରଣ ପେଟ୍ରୋଲ ପାଉନାହାଁନ୍ତି,ଯଦିଓ କିଛି ପମ୍ପରେ ପେଟ୍ରୋଲ ରହିଛି ମାତ୍ର ୧୦୦ ରୁ ୨୦୦ ଟଙ୍କାର ପେଟ୍ରୋଲ ବାଇକକୁ ଦିଆଯାଉଥିବାରୁ, ଲୋକେ ଗୋଟିଏ ପମ୍ପରୁ ଅନ୍ୟ ପମ୍ପକୁ ଦୌଡ଼ୁଛନ୍ତି।ଅଧିକ ଟଙ୍କାର ତେଲ ଯୋଗାଡ଼ କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ପାଖାପାଖି ଅଧା ଦିନ ପମ୍ପ ରେ ଅପେକ୍ଷା କରିବାକୁ ପଡ଼ୁଛି। ୧୧୫ ଟଙ୍କା ଦେଇ ପ୍ରିମିୟମ ପେଟ୍ରୋଲ କିଣିବା ଫଳରେ ସାଧାରଣ ଲୋକଙ୍କ ବଜେଟ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି।ଅନ୍ୟପଟେ ଡିଜେଲ ସଙ୍କଟ ଯୋଗୁଁ କୃଷି କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ରବି ଧାନ ଅମଳ ପାଇଁ ବ୍ୟବହୃତ ହେଉଥିବା ହାର୍ଭେଷ୍ଟର ମେସିନ ଗୁଡ଼ିକ ଡିଜେଲ ଅଭାବରୁ କ୍ଷେତକୁ ଯାଇପାରୁ ନାହାଁନ୍ତି। ଯେଉଁ ମାଲିକମାନେ ବ୍ୟାଙ୍କରୁ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇ ମେସିନ କିଣିଛନ୍ତି, ସେମାନେ ଏବେ କିସ୍ତି ସୁଝିବା ଚିନ୍ତାରେ ଅଛନ୍ତି। ଯଦି ତୁରନ୍ତ ଡିଜେଲ ନମିଳେ, ତେବେ ଚାଷୀର ପାଚିଲା ଧାନ କ୍ଷେତରେ ହିଁ ନଷ୍ଟ ହୋଇଯିବ।ଏହି ସମସ୍ୟା ବାବଦରେ ଆମେ ଜିଲ୍ଲା ଯୋଗାଣ ଅଧିକାରୀ (ସିଏସଓ)ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଡିପୋରୁ ତୈଳ ଯୋଗାଣରେ ଆସିବାକୁ ବିଲମ୍ଭ ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ତେବେ ଡିପୋରୁ ତେଲ ଗାଡ଼ି ଆସିବା ପରେ ହିଁ ସ୍ଥିତି ସ୍ୱାଭାବିକ ହେବ। କିନ୍ତୁ ସେପର୍ଯ୍ୟନ୍ତ ଗ୍ରାହକ ଓ ଚାଷୀଙ୍କ ଏହି ଦୁର୍ଦ୍ଦଶା ପାଇଁ କିଏ ଦାୟୀ ରହିବ, ତାହା ଏବେ ଏକ ବଡ଼ ପ୍ରଶ୍ନ।ତେବେ ଡିପୋରୁ ଶୀଘ୍ର ତେଲ ଗାଡ଼ି ଆସି ଚାଷୀ ଓ ଗ୍ରାହକଙ୍କ ସମସ୍ୟାର ସମାଧାନ କେବେ ହେଉଛି, ତାହା ଦେଖିବାକୁ ବାକି ରହିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ