ସାବିତ୍ରୀ ବ୍ରତ ପାଳିଲେ ମହିଳା

ଆସିକା (ୱାଇଏନ୍‍ଏସ୍‍) : ଓଡିଆ ପର୍ବପର୍ବାଣୀ ଓ ପରମ୍ପରା ମଧ୍ୟରେ ପବିତ୍ର ସାବିତ୍ରୀ ବ୍ରତର ଏକ ସ୍ୱତନ୍ତ୍ର ମହାତ୍ମ୍ୟ ରହିଛି । ପୌରାଣିକ କଥାବସ୍ତୁ ଆଧାରରେ ସାବିତ୍ରୀ ନିଜର ସତୀତ୍ୱର ପରାକାଷ୍ଟା ବଳରେ ଯମରାଜାଙ୍କ ଠାରୁ ନିଜର ପ୍ରାଣପ୍ରିୟ ପତିଦେବ ସତ୍ୟବାନଙ୍କୁ ବଞ୍ଚାଇ ପାରିଥିଲେ । ସେହି କଥାବସ୍ତୁକୁ ବିଶ୍ୱାସ କରି ସାବିତ୍ରୀରେ ସଧବା ନାରୀମାନେ ନିଜ ସ୍ୱାମୀମାନଙ୍କ ଦାର୍ଘାୟୁ ଓ ମଙ୍ଗଳ କାମନା କରି ଏହି ବ୍ରତ ପାଳନ କରିଥାନ୍ତି । ଶନିବାର ପବିତ୍ର ସାବିତ୍ରୀ ବ୍ରତ ପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିର, ଗୋପୀନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଗୁଡିକରେ ସଧବା ମହିଳାମାନଙ୍କ ପ୍ରବଳ ଭିଡ ଜମିଥିବା ଲକ୍ଷ୍ୟ କରାଯାଇଥିଲା । ସଧବା ମହିଳାମାନେ ଏକତ୍ରିତ ହୋଇ ସମୂହ ପୂଜାର୍ଚ୍ଚନା କରିବା ସାଙ୍ଗକୁ ସାବିତ୍ରୀ ପୂରାଣ ପାଠ କରିଥିଲେ । ସହରର କେତେକ ମନ୍ଦିରରେ ପୁରୋହିତଙ୍କ ମନ୍ତ୍ରପାଠ ଓ ମହିଳାଙ୍କ ଭାବପୂର୍ଣ୍ଣ ପୂଜାର୍ଚ୍ଚନା ଏକ ନିଆରା ପରିବେଶ ସୃଷ୍ଟି କରିଥିଲା । ପବିତ୍ର ସାବିତ୍ରୀ ଓଷା ଅବସରରେ ମହିଳାମାନେ ନୂତନ ବସ୍ତ୍ର ପରିଧାନ କରିବା ସହ ନିଜସ୍ୱାମୀଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରି ଏହି ବ୍ରତ ପାଳନ କରିଥିଲେ । ସେହିପରି ଆସିକା ସହରର ବିଭିନ୍ନ ସାହିବସ୍ତିର ଘରେଘରେ ମଧ୍ୟ ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଶନିବାର ପୂର୍ବାହ୍ନରୁ ମହିଳାମାନେ ନୂତନ ଲୁଗା ଓ ଚୁଡି ଅଳଙ୍କାର ପରିଧାନ କରିବା ସହ ନଡିଆ, ତାଳ, ପଣସ, ଆମ୍ବ, ଖଜୁରୀ କୋଳି ଆଦି ନେଇ ମାତା ସାବିତ୍ରୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ନିଜ ନିଜ ସ୍ୱାମୀଙ୍କୁ ବନ୍ଦାପନା କରିଥିବା ଦେଖିବାକୁ ମିଳିଥିଲା । ଆମ ଶାସ୍ତ୍ର-ପୁରାଣ ପରମ୍ପରାରେ ମୃତ୍ୟୁକୁ ଜୟ କରିଥିବା କାହାଣୀ ମଧ୍ୟରୁ ସାବିତ୍ରୀ ଅନ୍ୟତମ । ସ୍ୱାମୀ ସତ୍ୟବାନ୍‍ଙ୍କ ଆୟୁକାଳ ସ୍ୱଳ୍ପ ଜାଣି ମଧ୍ୟ ସାବିତ୍ରୀ ତାଙ୍କୁ ବିବାହ କରିଥିଲେ ଏବଂ ନିଜର ଦୃଢ ମନୋବଳ ଏବଂ ନିଷ୍ଠା ଯୋଗେ ଯମରାଜାଙ୍କୁ ଜିଣି ସତ୍ୟବାନଙ୍କୁ ପୁନର୍ଜିବିତ କରିଥିଲେ । ତାଙ୍କର ସେହି ନିଷ୍ଠା ଓ ପବିତ୍ରତା ଧର୍ମ ଆମ ସଂସ୍କୃତିରେ ପ୍ରତିଫଳିତ ରହିଆସିଛି । ତାଙ୍କୁ ନେଇ ସାବିତ୍ରୀ ବ୍ରତ ସୃଷ୍ଟି ହୋଇଥିଲା ବେଳେ ଜ୍ୟୋଷ୍ଠ ମାସ ଅମାବାସ୍ୟ ଦିନ ସଧବା ମହିଳାମାନେ ଏହି ବ୍ରତ ପାଳନ କରିଥାନ୍ତି । ପବିତ୍ର ସାବିତ୍ରୀ ବ୍ରତରେ ହିନ୍ଦୁ ସଂପ୍ରଦାୟର ସବୁ ସଧବା ମହିଳାମାନେ ସେମାନଙ୍କ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଓଷା କରିଥାନ୍ତି । ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ହିନ୍ଦୁ ସଂପ୍ରଦାୟର ସଧବା ମହିଳାମାନେ ଅତ୍ୟନ୍ତ ନିଷ୍ଠାର ସହ ସାବିତ୍ରୀ ବ୍ରତ ପାଳନ କରିଥିବା ଦେଖିବାକୁ ମିଳିଥିଲା । ସଧବା ମହିଳାମାନେ ଅତ୍ୟନ୍ତ ନିଷ୍ଠାର ସହ ଶିଳପୁଆକୁ ପଞ୍ଚାମୃତରେ ଧୌଚ କରି ହଳଦି ମାଖି ନୁଆଁ ବସ୍ତ୍ର ଓ ଅଳଙ୍କାରରେ ବିଭୂଷିତ କରି ଲକ୍ଷ୍ମୀ ନାରାୟଣ ରୂପରେ ସ୍ଥାପନ ପୂର୍ବକ ସାବିତ୍ରୀ ବ୍ରତକଥା ପଠନ କରିଥିବା ଦେଖିବାକୁ ମିଳିଥିଲା । ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁମାନେ ଉପବାସ ରହି ନିଷ୍ଠାର ସହ ଲକ୍ଷ୍ମୀ ନାରାୟଣ ତଥା ସାବିତ୍ରୀ ସତ୍ୟବାନଙ୍କ ନିକଟରେ ଚୁଡି, ସିନ୍ଦୁର, ନୁଆଁବସ୍ତ୍ର ଅର୍ପଣ କରିବା ସହ ୨୧ ପ୍ରକାରର ଫଳ ନୈବେଦ୍ୟ ଭାବେ ପୂଜା କରି ନିଜ ନିଜ ସ୍ୱାମୀ ତଥା ପତିଦେବଙ୍କ ଦୀର୍ଘ ଆୟୁ ତଥା ନିରାମୟ ଓ ସୁଖମୟ ଜୀବନ କାମନା କରିଥିଲେ । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଶନିବାର ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନୀତିକାନ୍ତି ଓ ବିଧିବିଧାନ ଅନୁଯାୟୀ ସଧବା ମହିଳାମାନେ ପବିତ୍ର ସାବିତ୍ରୀ ବ୍ରତ ପାଳନ କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ