ବିଦ୍ୟୁତ ଆଘାତରେ ନାଁ ବାଳକଙ୍କ ହାତ କଟିବା ଘଟଣା: ଥାନାର ଦ୍ୱାରସ୍ଥ ହେଲେ ମା
ହାଟଡିହି (ଓ୍ବାଇଏନଏସ): ବାଲି ବୋଝେଇ ହାଇୱାରେ ପାଲ ଢାଙ୍କୁଥିବା ବେଳେ ଜଣେ ନାବାଳକ ୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଗୋଟିଏ ହାତ ହରାଇଛନ୍ତି | ଏହି ଘଟଣାରେ ପୀଡ଼ିତଙ୍କ ମା ନନ୍ଦିପଦା ଥାନାର ଦ୍ୱାରସ୍ତ ହୋଇଛନ୍ତି | ନାବାଳକ ଜଣଙ୍କ ରାତିରେ ନିଜ ଘରେ ଶୋଇଥିବା ବେଳେ ତାଙ୍କୁ ଫୋନ କରି ଡ଼ାକିବା ସହ ଏଭଳି ବିପଦଜନକ କାର୍ଯ୍ୟରେ ନିୟୋଜିତ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସକୁ ନିବେଦନ କରିଛନ୍ତି | ସୂଚନା ଅନୁଯାଇ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଶାଳଣିଆଁ ପଞ୍ଚାୟତ ଅନ୍ତର୍ଗତ ଏଲକଣିଆଁ ଗ୍ରାମର ସଦାନନ୍ଦ ସାହୁଙ୍କ ପୁଅ ସୋମ୍ୟଜିତ ସାହୁ (୧୪) ଗତ ମାର୍ଚ୍ଚ ମାସ ୧୧ ତାରିଖ ରେ ହାବଳେଶ୍ୱର ହାଇସ୍କୁଲ୍ ନିକଟରେ ଏକ ବାଲି ବୋଝେଇ ଓଡି- ୦୯ପି-୭୭୪୪ ନମ୍ବର ବିଶିଷ୍ଟ ହାଇୱା ଟ୍ରକରେ ପାଲ ଢାଙ୍କୁଥିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତ୍ତର ଆହତ ହୋଇଥିଲେ | ଘଟଣା ସମ୍ପର୍କରେ ଖବର ପାଇ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ସୋମ୍ୟଜିତଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ | ସେଠାରେ ଅବସ୍ଥା ଅଧିକ ଗମ୍ଭୀର ହେବାରୁ ପରେ ଉନ୍ନତ ଚିକିତ୍ସା ପାଇଁ ପରିବାର ଲୋକ ସୋମ୍ୟଜିତଙ୍କୁ ଭୁବନେଶ୍ୱର ସମ୍ ହସ୍ପିଟାଲ ରେ ଚିକିତ୍ସା କରାଇଥିଲେ | ନାବାଳକଙ୍କ ଡାହାଣ ହାତଟି ସମ୍ପୂର୍ଣ୍ଣ ଜଳି ଯାଇଥିବାରୁ ହାତଟିକୁ କାଟିବା ସହ ଡାକ୍ତରଖାନା ରେ ଦୀର୍ଘ ୪୦ ଦିନ ପରେ ଘରକୁ ଫେରିଛନ୍ତି | ନାବାଳକଙ୍କୁ ରାତିରେ ଏଭଳି କାର୍ଯ୍ୟରେ ନିୟୋଜିତ କରିଥିବା ଶାଳଣିଆଁ ପଞ୍ଚାୟତ ଅନ୍ତର୍ଗତ ଏଲକଣିଆଁ ଗ୍ରାମର ଯୋଗେନ୍ଦ୍ର ବେହେରା ଓ ତାଙ୍କ ପୁଅ ସୁଭାଶିଷ ବେହେରାଙ୍କ ବିରୁଦ୍ଧରେ ନାବାଳକର ମା ସୌଦାମିନୀ ସାହୁ ୧୩.୦୫.୨୦୨୬ ରିଖ ରେ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ସୌଦାମିନୀଙ୍କ ଅଭିଯୋଗ ଅନୁଯାଇ ତାଙ୍କ ଅଜାଣତରେ ଯୋଗେନ୍ଦ୍ରଙ୍କ ସାନପୁଅ ସୁଭାଶିଷ ଘଟଣା ଦିନ ନିଜ ମୋବାଇଲରୁ ସୋମ୍ୟଜିତ କୁ ଫୋନ କରିବା ସହ ଟଙ୍କାର ପ୍ରଲୋଭନ ଦେଖାଇ ଗାଡିର ହେଲପର ହିସାବରେ ଡକାଇଥିଲେ | ସୌଦାମିନୀଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ସ୍ୱାମୀ ଏକ ଗାଡି ଗ୍ୟାରେଜ କରି ପରିବାର ପ୍ରତିପୋଷଣ କରନ୍ତି | ଡାକ୍ତରାଖାନାରେ ପୁଅର ଚିକିତ୍ସା ଆୟୁଷ୍ମାନ କାର୍ଡ ରେ ହୋଇଥିବାବେଳେ ତାଙ୍କ ହାତରୁ ୩ ଲକ୍ଷରୁ ଅଧିକ ଅର୍ଥ ଖର୍ଚ୍ଚ ହୋଇଥିବା ଅଭିଯୋଗରେ ଦର୍ଶାଇଛନ୍ତି | ସୋମ୍ୟଜିତଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସମସ୍ତ ଅର୍ଥ ଯୋଗେନ୍ଦ୍ର ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିବା ବେଳେ ମାତ୍ର ଏପର୍ଯ୍ୟନ୍ତ ମାତ୍ର ୬୦ ହଜାର ଟଙ୍କା ଦେଇଛନ୍ତି | ପୁଅର ହାତ ଲଗାଇବାପାଇଁ ୧୭ ଲକ୍ଷ ଟଙ୍କା ଆବଶ୍ୟକ ହେଉଥିବା ବେଳେ ଯୋଗେନ୍ଦ୍ର ଏବଂ ତାଙ୍କ ପୁଅ ସୁଭାଶିଷ ଆଉ ସହଯୋଗ କରୁନଥିବା ସୌଦାମିନୀ ଅଭିଯୋଗ କରିଛନ୍ତି | ପୁଅର ଚିକିତ୍ସା ପାଇଁ ଟଙ୍କା ମାଗିବାରୁ ଯୋଗେନ୍ଦ୍ର ତାଙ୍କୁ ବିଭିନ୍ନ ପ୍ରକାର ଧମକ ଦେଉଥିବା ନିଜ ଅଭିଯୋଗରେ ଦର୍ଶାଇଛନ୍ତି | ସୌଦାମିନୀଙ୍କ ଲିଖିତ ଅଭିଯୋଗ ଆଧାରରେ ନନ୍ଦିପଦା ଥାନା ପୁଲିସ ଅଭିଯୁକ୍ତ ଯୋଗେନ୍ଦ୍ର ଓ ତାଙ୍କ ପୁଅ ଶୁଭାଶିଷଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୨୫ (ଖ), ୩୫୧(୨), ୩(୫) ଓ ଶିଶୁ ଏବଂ କିଶୋର ଶ୍ରମ (ନିଷେଧ ଏବଂ ନିୟନ୍ତ୍ରଣ) ଆଇନ, ୧୯୮୬ ର ଧାରା ୧୪(୧) ରେ ଏକ ମାମଲା (ନଂ – ୨୦୬/୨୦୨୬) ରୁଜ୍ଜୁ କରିଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଯୋଗେନ୍ଦ୍ର ଏପରି ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ତାଙ୍କର ହାଇୱା ନଥିବା ବେଳେ ତାଙ୍କ ବିରୁଦ୍ଧରେ ଏହା ଏକ ଷଡଯନ୍ତ୍ର ବୋଲି କହିଛନ୍ତି।


