ଆମ ଆଦମୀ ପାର୍ଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
କେନ୍ଦ୍ରାପଡ଼ା,(ଓ୍ବାଇଏନଏସ):ଆମ୍ ଆଦମୀ ପାର୍ଟି ପକ୍ଷରୁ ସହରର ଖଡିଅଙ୍ଗସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାର୍ଟିର ଉପସଭାପତି ବାନାମ୍ବାର ସାହୁ ଯୋଗଦେଇ କହିଲେ ଆମ୍ ଆଦମୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ଦ୍ଦେଶରେ ଓଡ଼ିଶାରେ ସମସ୍ତ ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ପଞ୍ଚାୟତ ଏବଂ ପୈାରପରିଷଦ ନିର୍ବାଚନ ପାଇଁ ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ୱରରେ ଚଳିତମାସ ୨୪ ତାରିଖ (ରବିବାର) ଦିନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀକୁ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂ ଏବଂ ଓଡ଼ିଶା ପ୍ରଭାରୀ ଦିଲ୍ଲୀ କ୍ୟାଣ୍ଟର ବିଧାୟକ ବୀରେନ୍ଦ୍ର ସିଂ କାଡିଆନ୍ ସମ୍ବୋଧିତ କରିବେ। ଉକ୍ତ ପ୍ରସ୍ତୁତି ବୈଠକରେ ଆଗାମୀ ଦିନରେ ସଂଗଠନକୁ ବୁଥ୍ ଲେବେଲ୍ ପର୍ଯ୍ୟନ୍ତ ନେବା ପାଇଁ ରଣନୀତି ପ୍ରସ୍ତୁତ ହେବା ସହିତ ପଞ୍ଚାୟତ ଏବଂ ପୈାରପରିଷଦ ସ୍ତରରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ସ୍ଥିରୀକୃତ ହେବ। ସାମ୍ପ୍ରତିକ ପରିସ୍ଥିତିରେ ଓଡ଼ିଶାରେ ଜନସାଧାରଣଙ୍କ ପାଇଁ ଆମ୍ ଆଦମୀ ପାର୍ଟିକୁ ଏକ ଶକ୍ତିଶାଳୀ ବିକଳ୍ପ ଭାବରେ ପ୍ରସ୍ତୁତ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ କେଜ୍ରିୱାଲ ସ୍ପଷ୍ଟ ନିର୍ଦ୍ଦେଶ ଦେବା ସହିତ କେନ୍ଦ୍ରୀୟ ନେତୃତ୍ୱ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି। ଆପ୍ ଓଡ଼ିଶାର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଏଥିପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ସମସ୍ତ ନେତୃ ମଣ୍ଡଳୀଙ୍କୁ ସାଧୁବାଦ୍ ଜଣାଇବା ସହିତ ଓଡ଼ିଶାର ଦେବତୁଲ୍ୟ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହ ଏବଂ ସମର୍ପଣ ଭାବ ସହିତ କାମ କରିବା ନିମନ୍ତେ ଆହ୍ୱାନ ଜଣାଇଛନ୍ତି। କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଗାମୀ ତିନି ମାସ ମଧ୍ୟରେ ସଂଗଠନ ନିର୍ମାଣ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ କରିବା ପାଇଁ ଆଗାମୀ ୨୪ ତାରିଖରେ ପ୍ରସ୍ତୁତ ହେଉଥିବା ରଣନୀତିକୁ ସ୍ୱାଗତ କରିଛନ୍ତି। ଆସନ୍ତା ୨୪ ତାରିଖ ଭୁବନେଶ୍ୱର କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଶତାଧିକ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ସୂର୍ଯ୍ୟକାନ୍ତ ପରିଡ଼ା, ସଂଗଠନ ସମ୍ପାଦକ କୁମୁଦ କୁମାର ରାଉତ ଓ ସଂଗଠନ ସମ୍ପାଦକ ରୁଦ୍ର ପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


