ଡ୍ୟୁରେସନ ୨ ମିନିଟ ୧୪ ସେକଣ୍ଡ

ସେଦିନ ସଞ୍ଜ ୬ଟା ୪୨ ମିନିଟ୍‌। କାନ୍ଥଘଡ଼ିର କଣ୍ଟା ସେଇଠି ଅଟକି ଯାଇଛି, ସତେ ଯେମିତି କେହି ଜଣେ ଗୋଟିଏ ଅସମାପ୍ତ ସନ୍ଧ୍ୟାକୁ ତା’ ଭିତରେ ବନ୍ଦ କରିଦେଇଛି।ଅମ୍ରିତ ହାତରେ ମୋବାଇଲ୍‌ ଧରି ବସିଥିଲା। ସ୍କ୍ରିନ୍‌ ଉପରେ ଚମକୁଥିଲା ଶ୍ରେୟାର ନାଁ।କଲ୍‌ ରିସିଭ୍‌ ହେଲା,କିନ୍ତୁ ଦୁହିଁଙ୍କ ଭିତରେ ଥିଲା ଏକ ଗଭୀର ନୀରବତା।
“ହେଲୋ…” ଅମ୍ରିତର ସ୍ୱର ଥରିଗଲା।
“ହଁ, କୁହ,”ଶ୍ରେୟାର ସେପଟୁ ଖୁବ୍‌ ଶାନ୍ତ ସ୍ୱର।
ଅମ୍ରିତ ଏପଟେ ଶବ୍ଦ ଖୋଜୁଥିଲା। ଭାବୁଥିଲା କହିବ—“ଆମେ କଣ ଆଉ ଗୋଟେ ସୁଯୋଗ ନେଇପାରିବାନି? ମତେ ଛାଡ଼ି ଯାଅନା।”ହେଲେ ଓଠ ପର୍ଯ୍ୟନ୍ତ କୌଣସି ଶବ୍ଦ ଆସିଲାନି। ସେମାନଙ୍କ ମଧ୍ୟରେ ନେଟୱର୍କର ତରଙ୍ଗ ତ ଥିଲା,ତା’ ସହିତ ଥିଲା ଧୀରେ ଧୀରେ ଭାଙ୍ଗୁଥିବା ଏକ ପୃଥିବୀ।
“ଏମିତି ନୀରବ ରହିଲେ କେମିତି ହେବ ଅମ୍ରିତ? ବୋଧହୁଏ ଆମର ଅଲଗା ହୋଇଯିବା ହିଁ ଠିକ୍‌,” ଶ୍ରେୟାର ସ୍ୱରରେ ଅଭିମାନ ଥିଲା।
ଅମ୍ରିତ ଛାତିରେ ପଥର ରଖି କହିଲା, “ଠିକ୍ ଅଛି…”
ସେହି ଦୁଇଟି ଶବ୍ଦ କେବଳ ଉତ୍ତର ନଥିଲା,ଏକ ସମ୍ପର୍କର ଶେଷ ଦ୍ୱାର ଥିଲା।
କ୍ଲିକ୍‌….. କଲ୍‌ କଟିଗଲା। ଫୋନ୍‌ ତ ଶାନ୍ତ ହୋଇ ଟେବୁଲ୍‌ ଉପରେ ପଡ଼ିରହିଲା, କିନ୍ତୁ ଅମ୍ରିତ ଭିତରେ ଅନେକ ଅକୁହା ବାକ୍ୟ ଆଜିଯାଏ “ହେଲୋ…” ହୋଇ ଅଟକି ରହିଗଲା।
ବର୍ଷେ ବିତିଯାଇଛି। ଏବେ ବି ରାତି ହେଲେ ଅମ୍ରିତ କାହା ସହ ଚ୍ୟାଟ୍‌ କରେନାହିଁ, କେବଳ ଫୋନ୍‌ର ‘କଲ୍‌ ଲଗ୍‌’ ଖୋଲେ। ସେହି ନିର୍ଦ୍ଦିଷ୍ଟ ତାରିଖ ପାଖରେ ଲେଖାଥିବା “ଡ୍ୟୁରେସନ: 2 ମିନିଟ 14 ସେକଣ୍ଡ”କୁ ଚାହିଁ ରହେ। କାରଣ ସେ ବୁଝିଯାଇଛି, ପ୍ରେମର ସବୁଠୁ ମାର୍ମିକ ସ୍ମୃତି କେବେ କେବେ କେବଳ କିଛି ମିନିଟ୍‌ର ଏକ ଶେଷ କଥାବାର୍ତ୍ତା ହୋଇ ରହିଯାଇ ଥାଏ।


ପ୍ରଜ୍ଞା ପ୍ରସାଦ ତଥାଗତ
ରମ୍ଭା,ଗଞ୍ଜାମ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ