ଡିଜିଟାଲ୍‍ ଦୁନିଆରେ ଅଲୋଡା ହେବାକୁ ବସିଲାଣି ଡାକବକ୍ସ

ଆସିକା  (ୱାଇଏନ୍‍ଏସ୍‍): ଦିନଥିଲା ଗାଁ ଗହଳି ହେଉ ଅବସହରର ସାହିବସ୍ଥିରେ ଡାକବାଲାକୁ ଦେଖିଲେ ଲୋକ ମାନେ ଘରୁ ବାହାରକୁ ଦୌଡି ଆସୁଥିଲେ। ଆମର କିଛି ଚିଠି ପତ୍ର ଆସିଛି କି ସେ ସଂକ୍ରାନ୍ତରେ ପୋଷ୍ଟ ମ୍ୟାନଙ୍କୁ ପଚାରି ବୁଝୁଥିଲେ। ସମୟ ବଦଳିବା ସଙ୍ଗେ ସଙ୍ଗେ ଲୋକଙ୍କ ସାମାଜିକ ଚଳଣି ମଧ୍ୟ ଦିନକୁ ଦିନ ବଦଳିବାରେ ଲାଗିଛି। ବିଗତ କିଛି ବର୍ଷ ହେଲା ଚିଠି ପତ୍ରର ସ୍ଥାନ ନେଇଛି ସ୍ମାର୍ଟ ଫୋନ୍‌। ଯାହାରି ଫଳରେ ଡିଜିଟାଲ୍‍ ଦୁନିଆରେ ଡାକବାକ୍ସ ସାଧାରଣ ଜନତାଙ୍କ ମାନସ ପଟରୁ ଲିଭିବାକୁ ବସିଥିବା ବେଳେ ଏବେ ଆଉ ଆଗଭଳି ଡାକବାକ୍ସର ଚାହିଦା ନଥିବା ଦେଖିବାକୁ ମିଳିଛି। ଏପରିକି ଆଗାମୀ କିଛିବର୍ଷ ପରେ ଯୁବପିଢୀ ମାନେ ଡାକବାକ୍ସ କହିଲେ ଆଉ କିଛି ବୁଝି ପାରିବେ ନାହିଁ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ସମୟ ଆସିବ ଡାକବାକ୍ସ ସଂଗ୍ରାହାଳୟରେ ସ୍ମୃତି ହୋଇ ରହିଯିବାର ସମ୍ଭାବନାକୁ ମଧ୍ୟ ଏଡାଇ ହେଉନାହିଁ। ବିଗତ କିଛି ବର୍ଷ ତଳେ ଖବର ପହଁଞ୍ଚାଇବାକୁ ଖୋଜା ପଡୁଥିଲା ଡାକବାକ୍ସ। ଆସିକା ସହର ତଥା ଏହାର ଆଖପାଖ ଗ୍ରାମାଞ୍ଚଳର କୋଣ ଅନୁକୋଣରେ ଥିବା ଡାକଘର ଠାରୁ ଆରମ୍ଭ କରି ବିଭିନ୍ନ ସାହି ବସ୍ତିରେ ଲାଲ୍ ରଙ୍ଗର ଡାକବାକ୍ସ ଶୋଭା ପାଉଥିଲା। ତେବେ ଏବେ କିନ୍ତୁ ଆଉ ଖୋଜିଲେ ବି ପ୍ରାୟତଃ ମିଳୁ ନି ଡାକବାକ୍ସ। ହାତଗଣତି କିଛି ସ୍ଥାନରେ ପଡି ରହିଛି ଡାକବାକ୍ସ। ସେସବୁ ମଧ୍ୟରୁ କେତେକ ଭଙ୍ଗା ଦଦରା ଅବସ୍ଥାରେ ଥିବା ବେଳେ ଆଉ କେତେକ ଡାକବାକ୍ସ କଳଙ୍କି ଲାଗିଯାଇଥିବା ଦେଖିବାକୁ ମିଳୁଛି। ସତେ ଯେମିତି ଡାକବାକ୍ସର ଆୟୁଷ ସରିସରି ଆସୁଛି। ଅତୀତରେ ଖବର ପହଁଞ୍ଚାଇବାର ପ୍ରମୁଖ ମାଧ୍ୟମ ସାଜିଥିବା ଡାକବାକ୍ସ ଏବେ ନିଜର ଅସ୍ତିତ୍ୱ ହରାଇବାକୁ ବସିଛି। ଚିଠି କଥା ଭାବିଲେ ମନକୁ ଆସୁଥିଲା ଲାଲ୍ ରଙ୍ଗର ଡାକବାକ୍ସ। ତା ସାଙ୍ଗକୁ ମାଟିଆ ବସ୍ତାରେ ସିଲ୍ ହୋଇଥିବା ବସ୍ତାଏ ଚିଠିକୁ ନେଇ ସାଇକେଲ୍‌ରେ ମାଟିଆ ରଙ୍ଗର ପୋଷାକ ପିନ୍ଧି ଯାଉଥିଲା ଡାକବାଲା। ଦୀର୍ଘ ଶତାଧିକ ବର୍ଷ ତଳୁ ନିଜର ସ୍ୱତନ୍ତ୍ର ଏକ ପରିଚୟ ପାଇଥିଲା ଏହି ଡାକବାକ୍ସ। ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଡାକବାକ୍ସ ଗୁଡିକରେ ଶହଶହ ଚିଠି ପଡୁଥିଲା। ସରକାରୀ ଚିଠି ଯେତିକି ପଡୁଥିଲା ତାଠାରୁ ଡାକବାକ୍ସ ଗୁଡିକରେ ଘରୋଇ ଚିଠି ଅଧିକ ପଡୁଥିଲା। ଆଉ ଏହି ଡାକବାକ୍ସରୁ ଚିଠି ଗୁଡିକୁ କାଢି ପୋଷ୍ଟ ମ୍ୟାନ୍ ଲୋକଙ୍କ ନିକଟରେ ପହଁଞ୍ଚାଇବାର ବ୍ୟବସ୍ଥା ମଧ୍ୟ କରୁଥିଲେ। ଏବେ କିନ୍ତୁ ଯୁଗ ବଦଳିଯାଇଛି। ଚାଲିଛି ଡିଜିଟାଲ୍ ଯୁଗ। ଆଉ ଏହାର ସ୍ଥାନ ନେଇଛି ସ୍ମାର୍ଟ ଫୋନ୍‌। ନିଜ ଲୋକଙ୍କ ସହ ଭାବର ଆଦାନପ୍ରଦାନ ପାଇଁ ଆଉ କେହି ଡାକବାକ୍ସ ଜରିଆରେ ପ୍ରାୟତଃ ଚିଠି ପଠାଉ ନାହାନ୍ତି। ସ୍ମାର୍ଟ ଫୋନ୍‌ରେ ଭାବର ଆଦାନ ପ୍ରଦାନ କରିବା ସାଙ୍ଗକୁ ମନର କଥା ନିମିଷକ ମଧ୍ୟରେ ଆପଣା ଲୋକଙ୍କ ପାଖରେ ଆଖି ପିଛୁଳାକେ ପହଁଞ୍ଚି ଯାଉଛି। ଯେଉଁଥି ପାଇଁ ଆଧୁନିକତାରେ ଅଲୋଡା ହେବାରେ ବସିଛି ଡାକବାକ୍ସ। ଡାକବାକ୍ସରେ ସାଧାରଣ ଲୋକଙ୍କ ଘରୋଇ ଚିଠି ଆଗଭଳି ଆସୁନି। କେବଳ ସରକାରୀ ଚିଠି, ଘରୋଇ କମ୍ପାନୀ ଚିଠି କେତେବଳେ କେମିତି ଆସୁଛି। ଆଧୁନିକତାର ଛାପରେ ଡାକବକ୍ସ ଅଲୋଡା ହେବାକୁ ବସିଲାଣି । ଦିନ ଥିଲା ସୁଖଦୁଃଖ ଖବରର ମାଧ୍ୟମ ପାଲଟିଥିଲା । ଚିିଠି ପାଇବା ପାଇଁ ପୋଷ୍ଟପିଅନ୍‍ର ଆସିବା ବାଟକୁ ଲୋକେ ଚାହିଁ ରହୁଥିଲେ । ଦିନକୁ ଦିନ ଇଣ୍ଟରନେଟ୍‍ ବ୍ୟବସ୍ଥା ବ୍ୟାପକ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ସେହି ତୁଳନାରେ ଚିଠିର ଆଦାନପ୍ରଦାନ ମଧ୍ୟ କମିବାରେ ଲାଗିଛି । କେତେକ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଚିଠି ଗୁଡିକ ଇଣ୍ଟରନେଟ୍‍ ମାଧ୍ୟମରେ ପ୍ରେରଣ କରାଯାଉଛି । ଦିନ ଥିଲା ସମସ୍ତଙ୍କର ଅତି ଆଦରର ମଣିଷ ପାଲଟିଥିଲେ ଡାକକବାଲା । ପ୍ରବାସୀ ପୁଅର ଖବର ଜାଣିବା ପାଇଁ ବାପା ମାଆ ଡାକବାଲାକୁ ଚାତକ ପକ୍ଷୀ ପରି ଚାହିଁବସୁଥିଲେ । ପ୍ରବାସୀ ସ୍ୱାମୀର ଚିିଠି ପାଇଁ ଗାଁରେ ରହୁଥିବା ପତ୍ନୀ ବଡ ବ୍ୟାକୁଳ ହୋଇ ଅପେକ୍ଷା କରୁଥିଲା ଡାକବାଲାକୁ । ପୁଅ ପଠାଉଥିବା ମନି ଅର୍ଡରକୁ ଅପେକ୍ଷା କରୁଥିଲା ଅସହାୟ ବୃଦ୍ଧ ପିତା ଓ ବୃଦ୍ଧ ମାତା । ଛାତ୍ରଛାତ୍ରୀ ଓ ଚାକିରୀ ଆଶାୟୀ ଯୁବପିଢୀ ମଧ୍ୟ ବିଭିନ୍ନ ସମୟରେ ଅପେକ୍ଷା କରୁଥିଲେ ଡାକବାଲାକୁ । ତେବେ ସମୟ ବଦଳିବା ସହ ଡାକସେବାର ଚାହିଦା ମଧ୍ୟ ହ୍ରାସ ପାଇବା ସାଙ୍ଗକୁ ବହୁ ବ୍ୟକ୍ତି ଆଉ ଡାକବାଲାକୁ ମନେ ରଖିନଥିବା ଚର୍ଚ୍ଚା ହେଉଛି । ଅତ୍ୟାଧୁନିକ ଯୋଗାଯୋଗ ବ୍ୟବସ୍ଥା ଯୋଗୁଁ ପୋଷ୍ଟବକ୍ସ ନିଜର ପ୍ରଭାବ ହରାଇବାରେ ବସିଛି । ଯାହାରି ଫଳରେ ଆଗାମୀ ଦିନରେ ଡାକବାକ୍ସ ସ୍ମୃତି ହୋଇ ରହିଯିବା ସମ୍ଭାବନାକୁ ମଧ୍ୟ ଏଡାଇ ହେବ ନାହିଁ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ