ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଝାଞ୍ଜିମାଡ : ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅସ୍ତବ୍ୟସ୍ତ
ଆସିକା (ୱାଇଏନ୍ଏସ୍): ଗତ କିଛି ଦିନ ହେଲା ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ଦେଖିବାକୁ ମିଳୁଛି । ସକାଳ ୯ ଘଟିକା ପର ଠାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ପ୍ରାୟତଃ ଜାରି ରହୁଥିବାରୁ ଘର ଭିତରେ ଓ ବାହାରେ ଅସହ୍ୟ ଗୁଳୁଗୁଳି ଅନୁଭୁତ ହେଉଛି । ବାୟୁମଣ୍ଡଳର ଆର୍ଦ୍ରତା ଅଧିକ ରହୁଥିବା ଯୋଗୁଁ ସଂଜ ନଇଁଲା ପର୍ଯ୍ୟନ୍ତ ମଧ୍ୟ ବିଭିନ୍ନ ସମୟରେ ଗୁଳୁଗୁଳିରୁ ତ୍ରାହି ମିଳୁନାହିଁ । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ପ୍ରମୁଖ ରାସ୍ତା ମଧ୍ୟାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ ଖାଁଖାଁ ଲାଗୁଥିଲା ବେଳେ ଅତ୍ୟାବଶ୍ୟକୀୟ କାମ ନଥିଲେ ପ୍ରାୟତଃ କେହି ଘରୁ ବାହାରୁନଥିବା ଦେଖିବାକୁ ମିଳୁଛି । ଦିନର ଅସମ୍ଭାଳ ତାତି ଏବଂ ରାତିର ଅସହ୍ୟ ଗୁଳୁଗୁଳିରେ ଜନଜୀବନ ବିଶେଷ ଭାବେ ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ଗ୍ରୀଷ୍ମ ପ୍ରବାହ ଅବ୍ୟହତ ରହିବା ଯୋଗୁଁ ସବୁଠି ଖାଁ ଖାଁ ସୃଷ୍ଟି ହୋଇଥିଲା ବେଳେ ଅଧିକାଂଶ ବ୍ୟବସାୟ ପ୍ରତିଷ୍ଠାନ ଆପଣାଛାଏଁ ବନ୍ଦ ହୋଇଥିବା ଦେଖିବାକୁ ମିଳିଥିଲା । ଶୀତତାପ ନିୟନ୍ତ୍ରିତ କେତେକ ବ୍ୟବସାୟ ପ୍ରତିଷ୍ଠାନରେ ଭିଡ ଜମିଥିଲା । ଗ୍ରୀଷ୍ମର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇଚାଲିଥିବା ଯୋଗୁଁ ଆସିକା ତଥା ଏହାର ଆଖପାଖ ଗ୍ରାମାଞ୍ଚଳର ଅଧିକାଂଶ କୂଅ, ପୋଖରୀ, ଗାଡିଆ ଶୁଷ୍କ ଅବସ୍ଥାକୁ ଆସିଯାଇଥିବା ବେଳେ ଯେଉଁ କେତେକ ପୋଖରୀରେ ପାଣି ରହିଛି ସେହିସବୁ ପୋଖରୀ ଗୁଡିକ ମଧ୍ୟରୁ କେତେକ ପୋଖରୀରେ ଛୋଟ ଛୋଟ ପିଲାମାନେ ଖେଳୁଥିବା ମଧ୍ୟ ଦେଖିବାକୁ ମିଳୁଛି । ମେ ମାସର ଚତୁର୍ଥ ସପ୍ତାହରୁ ତାତି ଅସହ୍ୟ ହୋଇଗଲାଣି। ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ତାତି ବାରି ହୋଇପଡୁଛି । ପରିସ୍ଥିତି ଏଭଳି ହୋଇପଡିଛି ଯେ ପୂର୍ବାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ଅସହ୍ୟ ତାତି ଯୋଗୁଁ ସାଧାରଣଜନତାଙ୍କୁ ଅଂଶୁଘାତର ଭୟ ଘାରୁଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ନାହିଁ ନଥିବା ଅଗ୍ନିବର୍ଷା ଯୋଗୁଁ ଲୋକେ ଘରୁ ପଦାକୁ ବାହାରି ପାରୁନାହାଁନ୍ତି । ଅସହ୍ୟ ତାତିରେ ଗାଁ ଠୁ ସହର ଜଳୁଥିବା ବେଳେ ଗ୍ରୀଷ୍ମପ୍ରବାହର ଭୟଙ୍କର ଜ୍ୱାଳାରୁ କେବେ ଆଶ୍ୱସ୍ତି ମିଳିବ ବୋଲି ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତତଲା କଡେଇରେ ଜଳୁଛି ଆସିକା । ପ୍ରବଳ ଗରମ ସାଙ୍ଗକୁ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ଗ୍ରୀଷ୍ମପ୍ରବାହରେ ରାସ୍ତାଘାଟ ଶୂନ୍ଶାନ୍ ହୋଇପଡୁଥିଲା ବେଳେ ଯେଉଁମାନେ ଜରୁରୀ କାମ ପାଇଁ ଘରୁ ବାହାରୁଛନ୍ତି ସେମାନେ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରୁଥିବା ଦେଖିବାକୁ ମିଳୁଛି । ଆସିକା ବ୍ଳକ ପରିସରଭୁକ୍ତ ଅଧିକାଂଶ ଗ୍ରାମାଞ୍ଚଳରେ ପାନୀୟ ଜଳ ସଂକଟ ଲାଗିରହିଥିଲା ବେଳେ ଗ୍ରାମାଞ୍ଚଳ ଜନସାଧାରଣଙ୍କ ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରି ପ୍ରଶାସନ ପକ୍ଷରୁ ପାନୀୟ ଜଳ ସଂକଟ ଦେଖା ଦେଉଥିବା ଗ୍ରାମାଞ୍ଚଳ ଗୁଡିକରେ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଇବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢଦାବୀ ହେଉଛି ।


