ସରକାରୀ ଅଧିକାରୀଙ୍କ ମନରୁ ହଟୁନି ଇଂରାଜୀ ପ୍ରୀତି! ଓଡିଆ ଭାଷାକୁ ଉପେକ୍ଷାକୁ ନେଇ ଅସନ୍ତୋଷ ବୃଦ୍ଧି
ଆସିକା (ୱାଇଏନ୍ଏସ୍) ଆସିକା ସହର ତଥା ଏହାର ଆଖପାଖ ଅଧିକାଂଶ ବିଭାଗର ସରକାରୀ ଅଫିସର ଓ କର୍ମଚାରୀଙ୍କୁ ଛାଡୁନି ଇଂରାଜୀ ପ୍ରିତୀ । ହାତଗଣତି କିଛି ବିଭାଗକୁ ଛାଡିଗଦେଲେ ପ୍ରାୟତଃ ଅଧିକାଂଶ ବିଭାଗର ଚିଠି ବିିଜ୍ଞପ୍ତି ଓ ନିର୍ଦ୍ଦେଶାନାମା ଇଂରାଜୀ ଭାଷାରେ ପ୍ରକାଶ କରାଯାଉଛି । ଏପରିକି ଆସିକା ଅଞ୍ଚଳରେ କେତେକ ଉନ୍ନୟନମୂଳକ କାର୍ଯ୍ୟର ସୂଚନା ଫଳକ ମଧ୍ୟ ଇଂରାଜୀ ଭାଷାରେ ଲେଖାଯାଉଥିବା ଦେଖିବାକୁ ମିଳୁଛି । ଫଳରେ ଆସିକା ଅଞ୍ଚଳରେ ରାଜ୍ୟ ସରକାରଙ୍କ ଓଡିଆ ଭାଷା କାର୍ଯ୍ୟକାରୀ ନିୟମ ବାଟବଣା ହୋଇଯାଇଛି ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ଏପରିକି ଯେଉଁ ବିଭାଗ ସରକାରୀ ଚିଠିପତ୍ର ଓଡିଆ ଭାଷାରେ ପ୍ରକାଶ କରୁନାହିଁ ସେହି ବିଭାଗର ଅଧିକାରୀଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାନଯିବା ଘଟଣାକୁ ନେଇ ଭାଷାବିତ୍ଙ୍କ ମହଲରେ ଗଭୀର ଉଦ୍ବେଗ ପ୍ରକାଶ ପାଉଥିଲା ବେଳେ ଓଡିଆ ଭାଷା ବ୍ୟବହାର କରିବାକୁ ବହୁ ସରକାରୀ କର୍ମଚାରୀ ଆନ୍ତରିକତା ପ୍ରଦର୍ଶନ କରୁନାହାନ୍ତି ବୋଲି ମତ ପ୍ରକାଶ ପାଉଛି । ଓଡିଶା ହେଉଛି ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ । ଏହାକୁ ଶାସ୍ତ୍ରୀୟ ମାନ୍ୟତା ମଧ୍ୟ ମିଳିସାରିଛି । ଓଡିଆ ଭାଷାର ସୁରକ୍ଷା ସହିତ ଏହାର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରାଥମିକତା ଦେଇଆସୁଛନ୍ତି । ଓଡିଆ ଅସ୍ମିତା ନାରା ଦେଇ ରାଜ୍ୟରେ ବିଜେପି କ୍ଷମତାକୁ ଆସିଲା । ବିଜେପି ସରକାର ଆସିବା ପରେ ଓଡିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଉଦ୍ୟମ ହେଲା । ସମସ୍ତ ସରକାରୀ ନଥିପତ୍ର, ଚିଠି, ବିଜ୍ଞପ୍ତି, ନିର୍ଦ୍ଦେଶାନାମା ଆଦି ଓଡିଆ ଭାଷାରେ ପ୍ରକାଶ କରିବାକୁ କୁହାଗଲା । ତେବେ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଏବେ ବି ଆସିକା ଅଞ୍ଚଳରେ ଥିବା ବହୁ ସରକାରୀ କାର୍ଯ୍ୟାଳୟରେ ପୂର୍ବ ପରି ଇଂରାଜୀ ଭାଷାକୁ ସର୍ବାଧିକ ବ୍ୟବହାର କରାଯାଉଥିବା ବେଳେ ଓଡିଆ ଭାଷାକୁ ଗୌଣ କରିଦିଆଯାଉଥିବା ଦେଖିବାକୁ ମିଳୁଛି । ନାଁକୁ କେବଳ କିଛି ସରକାରୀ କାର୍ଯ୍ୟାଳୟ ମଝିରେ ମଝିରେ ଓଡିଆ ଭାଷାରେ ଚିଠି ଲେଖି ଭାଷାପ୍ରୀତି ଦେଖାଇବାକୁ ଚେଷ୍ଟା କରୁଥିବା ବେଳେ ଅଧିକାଂଶ ସମୟରେ ଚିଠି ଗୁଡିକ ଇଂରାଜୀ ଭାଷାରେ ଲେଖାଯାଉଥିବା ଅଭିଯୋଗ ହେଉଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ସରକାରୀ କାର୍ଯ୍ୟାଳୟର ପଦାଧିକାରୀମାନେ ଇଂରାଜୀ ପ୍ରୀତି ଛାଡିପାରୁ ନାହାନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ରାଜ୍ୟରେ ବିଜେପି ନୁଆଁ ସରକାର ଗଢିବା ପରେ ଓଡିଆ ଭାଷାକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଆସିକାରେ ଥିବା ଅଧିକାଂଶ ସରକାରୀ କାର୍ଯ୍ୟାଳୟ ଗୁଡିକ ଉପରେ ଏହାର ବିଶେଷ ପ୍ରଭାବ ପଡିପାରି ନାହିଁ ଯାହା ଅଞ୍ଚଳର ଭାଷାପ୍ରେମୀକୁ କେବଳ ନିରାଶ କରିବା ସହ କଷ୍ଟ ମଧ୍ୟ ଦେଉଥିବା ଅଭିଯୋଗ ହେଉଛି । ସରକାରୀ ଅଧିକାରୀଙ୍କ ଇଂରାଜୀ ଅଭ୍ୟାସ ଓ ପ୍ରେମ ଏବେ ବି ସ୍ପଷ୍ଟ ବାରି ହୋଇପଡୁଛି । ଆସିକାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ବିଜ୍ଞପ୍ତି ଓ ନିର୍ଦ୍ଦେଶନାମା ସମେତ ଅନ୍ୟାନ୍ୟ ଚିଠି ଗୁଡିକ ପ୍ରାୟତଃ ଇଂରାଜୀ ଭାଷାରେ ପ୍ରକାଶିତ ହେଉଥିବା ଦେଖିବାକୁ ମିଳୁଛି । ଆସିକାରେ ଓଡିଆ ଭାଷାରେ ସମସ୍ତ ଚିଠି ସମସ୍ତ ସରକାରୀ କାର୍ଯ୍ୟାଳୟରେ କେବେ ସଂପୁର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବ ତାହା ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାରୀ ଦପ୍ତରରେ ଓଡିଆ ଭାଷାରେ ଚିଠି ପ୍ରଚଳନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇସାରିଥିଲେ ସୁଦ୍ଧା କେତେକ ସରକାରୀ ପଦାଧିକାରୀଙ୍କ ଆନ୍ତରିକତା ଓ ଇଛାଶକ୍ତିର ଅଭାବ ଯୋଗୁଁ ଏହା ଆସିକା ଅଞ୍ଚଳରେ ସଂପୁର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇପାରୁ ନଥିବା ଅଭିଯୋଗ ହେଉଛି । କେତେକ ସ୍ଥଳରେ ଓଡିଆ ଟାଇପ୍ ଅଭିଜ୍ଞତା ଥିବା କର୍ମଚାରୀଙ୍କ ଅଭାବ ଦର୍ଶାଇ ଇଂରାଜୀ ଚିଠି ଲେଖା ଜାରି ରହିଥିବା ଦେଖିବାକୁ ମିଳୁଛି । ଓଡିଆ ଭାଷାର ବହୁଳ ପ୍ରଚାର ଓ ପ୍ରସାର ଏବଂ ବ୍ୟବହାର ପାଇଁ ସରକାରୀ ସ୍ତରରେ ହେଉଛି ବ୍ୟାପକ ପ୍ରୟାସ । ଏ ଦିଗରେ ବହୁ ନିଷ୍ପତ୍ତି ଓ ପଦକ୍ଷେପ ଗ୍ରହଣ କରାଯାଉଛି । ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ନଥିପତ୍ର ଯଥା ଟିପଣୀ, ଆଦେଶ, ବିଜ୍ଞପ୍ତି, ସ୍ମାରକପତ୍ର, ସଂକଳ୍ପ ଓ ପତ୍ର ବିନିମୟ ଇତ୍ୟାଦି ଓଡିଆ ଭାଷାରେ ସଂପାଦନ ଓ ଉପସ୍ଥାପନ କରିବାକୁ ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିଠି ଆସିବା ସହ ଏହି ନିର୍ଦ୍ଦେଶନାମାକୁ କଡାକଡି କାର୍ଯ୍ୟକାରୀ କରିବାକୁ ସ୍ପଷ୍ଟ ଉଲ୍ଲେଖ ଥିଲା । ତେବେ ଆସିକା ଅଞ୍ଚଳରେ ଏହି ନିର୍ଦ୍ଦେଶ କେତେକ କାର୍ଯ୍ୟାଳୟରେ ବାଟବଣା ଓ ବ୍ୟତିକ୍ରମ ହୋଇଯାଇଥିବା ଅଭିଯୋଗ ହେଉଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ସରକାରୀ କାର୍ଯ୍ୟାଳୟର ଦୈନନ୍ଦିନ ଚିଠି ଓଡିଆ ଭାଷାରେ ଲେଖାନଯିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ମତ ପ୍ରକାଶ ପାଉଛି । ଆସିକା ଅଞ୍ଚଳର କେତେକ ସରକାରୀ କାର୍ଯ୍ୟାଳୟର ସମସ୍ତ ନଥିପତ୍ର, ବିଜ୍ଞପ୍ତି, ନିର୍ଦ୍ଦେଶନାମା ସମେତ ଅନ୍ୟାନ୍ୟ ଚିଠି ଗୁଡିକ ଓଡିଆ ଭାଷାରେ ଲେଖାଯିବା ପରିବର୍ତ୍ତେ ଇଂରାଜୀ ଭାଷାରେ ସଂପାଦନ କରାଯାଉଥିବା ଦେଖିବାକୁ ମିଳୁଛି । ଏଭଳି କ୍ଷେତ୍ରରେ କାହା ବିରୁଦ୍ଧରେ କିଏ ଏବଂ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହାକୁ ନେଇ ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଆସିକା ଅଞ୍ଚଳରେ ଥିବା କେତେକ ସରକାରୀ କାର୍ଯ୍ୟାଳୟର କିରାଣୀ ନଥିପତ୍ର ଗୁଡିକ ଇଂରାଜୀ ଭାଷାରେ ଲେଖୁଥିବା ବେଳେ ଅଧିକାରୀମାନେ ସେଥିରେ ଦସ୍ତଖତ ବା ସ୍ୱାକ୍ଷର କରୁଥିବା ଜଣାପଡିଛି । ସରକାରୀ ନିର୍ଦ୍ଦେଶକୁ ଖିଲାପ କରୁଥିବା ବ୍ୟକ୍ତିବିଶେଷଙ୍କୁ ଉତ୍ତରଦାୟୀ କରି ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସରକାରଙ୍କ ଓଡିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଏହି ମହତ୍ ଲକ୍ଷ୍ୟ ଓ ନିର୍ଦ୍ଦେଶନାମା ନାଲିଫିତା ତଳେ ସୀମିତ ରହିଯିବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଓଡିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ସରକାର କାର୍ଯ୍ୟକାରୀ କରିଥିବା ନିର୍ଦ୍ଦେଶ ଯେପରି ଆସିକା ଅଞ୍ଚଳରେ ଶତ ପ୍ରତିଶତ ସଫଳତାର ସହ କାର୍ଯ୍ୟକାରୀ ହୋଇପାରିବ ଓ ସମସ୍ତ ସରକାରୀ କାର୍ଯ୍ୟାଳୟର ଚିଠି ଓଡିଆ ଭାଷାରେ ପ୍ରକାଶନ ହେବ ସେ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।


