ସ୍ଏସ୍‍ଆଇଆର୍‍ ସଂକ୍ରାନ୍ତୀୟ ପ୍ରଶିକ୍ଷଣ ଶିବିର

ଆସିକା (ୱାଇଏନ୍‍ଏସ୍‍) ଭାରତର ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‍ଆଇଆର୍‍) ଓଡିଶା-୨୦୨୬ ପ୍ରକ୍ରିୟାକୁ ସଫଳ ଓ ସ୍ୱଚ୍ଛତାର ସହ ସଂପନ୍ନ କରିବା ପାଇଁ ସୋମବାର ଆସିକା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପ୍ରଥମ ପର୍ଯ୍ୟାୟରେ ବୁଥ୍‍ସ୍ତରୀୟ ଅଧିକାରୀ ଓ ସୁପରଭାଇଜର୍‍ ମାନଙ୍କ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର୍‍ ପଞ୍ଜିକରଣ ଅଧିକାରୀ ତଥା ଅତିରିକ୍ତ ଉପଜିଲ୍ଲାପାଳ ଟୁଲିଆମ୍ମା ପ୍ରଧାନ, ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଆସିକା ତହସିଲଦାର ସଙ୍ଗୀତା ସେଣ, ଅତିରିକ୍ତ ନିର୍ବାଚନ ଅଧିକାରୀ ତଥା ଆସିକା ବିଡିଓ ରାଜେନ୍ଦ୍ର ପ୍ରସାଦ ନାୟକ, ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଅତିରିକ୍ତ ତହସିଲଦାର ଅମରେଶ୍‍ ସାବତ, ପ୍ରଶିକ୍ଷକ ତଥା ସୁପରଭାଇଜର୍‍ ରାମନାଥ ପଟ୍ଟନାୟକ ଓ ଶୁଭେନ୍ଦୁ ଶେଖର ଜେନା ପ୍ରମୁଖ ଯୋଗଦେଇ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ କିପରି ସ୍ୱଚ୍ଛତାର ସହ ନିର୍ଭୁଲ ଭାବେ ସଂପାଦନ କରାଯିବ ତାହାରି ଉପରେ ଆଲୋକପାତ କରିଥିଲେ । ୧୮ ବର୍ଷ ବୟସ କିମ୍ବା ତା ଠାରୁ ଉର୍ଦ୍ଧ୍ୱ ବୟସର ଯୁବ ଭୋଟରଙ୍କ ନାମ କିପରି ଶତ ପ୍ରତିଶତ ପଞ୍ଜିକୃତ କରାଯିବ ତାହାରି ଉପରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପର କରିବା ସାଙ୍ଗକୁ ଭୋଟର ତାଲିକାରୁ ମୃତ ଓ ସ୍ଥାନାନ୍ତରିତ ବ୍ୟକ୍ତିଙ୍କ ନାମ ବାଦ୍‍ କରିବା, ତୃଟିପୂର୍ଣ୍ଣ ନାମ ଓ ଠିକଣା ସଂଶୋଧନ ପାଇଁ ଆସୁଥିବା ଆବେଦନ ଗୁଡିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯାଞ୍ଚ କରିବା, ଭୋଟର ତାଲିକାର ସଠିକତା ଓ ପାରଦର୍ଶିତା ନିଶ୍ଚିତ କରିବାକୁ ବିଏଲ୍‍ଓ ଏବଂ ସୁପରଭାଇଜରମାନଙ୍କୁ ପରାମର୍ଶ ଦିଆଯାଇଥିଲା । ସ୍ୱତନ୍ତ୍ର ସଘନ ସଂଶୋଧନ ଓଡିଶା-୨୦୨୬ ର ଯୋଗ୍ୟତା ୨୦୨୬ ଜୁଲାଇ ମାସ ୧ ତାରିଖ ରହିଥିଲା ବେଳେ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୂଦ୍ରଣ କାର୍ଯ୍ୟ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସଂପନ୍ନ ହେବ ଏବଂ ଆସନ୍ତା ୩୦ ତାରିଖରୁ ଜୁନ୍‍ ମାସ ୨୮ ତାରିଖ ପର୍ଯ୍ୟନ୍ତ ବିଏଲ୍‍ଓମାନେ ଘରକୁ ଘର ଯାଇ ପରିଗଣନା ଫର୍ମ ପୂରଣ ଓ ଯାଞ୍ଚ କାର୍ଯ୍ୟ କରିବେ, ମତଦାନ କେନ୍ଦ୍ର ଗୁଡିକର ଯୁକ୍ତିସଂଗତ ପୁନର୍ବିନ୍ୟାସ ଆସନ୍ତା ଜୁନ୍‍ ମାସ ୨୮ ତାରିଖ ସୁଦ୍ଧା ସଂପନ୍ନ ହେବ ଏବଂ ଖସଡା ଭୋଟର୍‍ ତାଲିକା ଜୁଲାଇ ମାସ ୫ ତାରିଖରେ ପ୍ରକାଶିତ ହେବା ସହ ଦାବୀ ଓ ଆପତ୍ତି ଦାଖଲ ସମୟ ଜୁଲାଇ ମାସ ୫ ତାରିଖରୁ ଅଗଷ୍ଟ ମାସ ୪ ତାରିଖ ପର୍ଯ୍ୟନ୍ତ ରହିବ । ନୋଟିସ୍‍ ଜାରି କରିବା ଓ ଦାବୀ ଆପତ୍ତିର ନିଷ୍ପତି ଜୁଲାଇ ୫ ତାରିଖରୁ ସେପ୍ଟେମ୍ବର ମାସ ୨ ତାରିଖ ପର୍ଯ୍ୟନ୍ତ କରାଯିବ ଏବଂ ଚୁଡାନ୍ତ ତଥା ଅନ୍ତିମ ଭୋଟର ତାଲିକା ଆସନ୍ତା ସେପ୍ଟେମ୍ବର ମାସ ୬ ତାରିଖରେ ପ୍ରକାଶିତ ହେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଆସିକା ପଞ୍ଚାୟତ ସମିତିର ସମ୍ମିଳନୀ କକ୍ଷରେ ସୋମବାର ଠାରୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‍ଆଇଆର୍‍)ର ସଫଳ ରୂପାୟନ ପାଇଁ ପ୍ରଶିକ୍ଷଣ ଶିବିିରରେ ବରିଷ୍ଠ ସୁପରଭାଇଜର୍‍ ଶିବଶଙ୍କର ଜେନା, ସତ୍ୟନାରାୟଣ ସେଠୀ, ନିରଞ୍ଜନ ପରିଡା, ବଂଶୀଧର ପରିଡା, ଧୋବା ବେହେରା, ଶୁଭେନ୍ଦୁ ଶେଖର ଜେନା, କାଳୁ ଚରଣ ସେଠୀ, ବିଦ୍ୟାଧର ସାହୁଙ୍କ ସମେତ ପ୍ରାୟ ୯୦ରୁ ଉର୍ଦ୍ଧ୍ୱ ବୁଥ୍‍ସ୍ତରୀୟ ଅଧିକାରୀ ଯୋଗଦେଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ