ଅଗ୍ନି ବିପନ୍ନ ପରିବାରଙ୍କୁ ଭେଟିଲେ ବିଧାୟକ ପ୍ରତିନିଧି
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବେଲଦା ଗ୍ରାମରେ ବୁଧବାର ବଜ୍ରପାତ ଘଟି ୨ ପରିବାରର ୬ ବଖରା ଘର ସମ୍ପୂର୍ଣ୍ଣ ଜଳି ଯାଇଛି । ଆନନ୍ଦ ଜେନାଙ୍କ ୩ ବଖରା ଓ ସନ୍ତୋଷ ଜେନାଙ୍କ ୩ ବଖରା ଘର ସମେତ ନଗଦ ୩୬ ହଜାର ଟଙ୍କା, ୨୦ ବସ୍ତା ସିମେଣ୍ଟ ସମେତ ବିଭିନ୍ନ ଆସବାବପତ୍ର ମିଶାଇ ଆନୁମାନିକ ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଗୁରବାର ଭଣ୍ଡାରିପୋଖରୀ ବିଧାୟକ ପ୍ରତିିନିଧି ତଥା ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ସ୍ମୃତି ରଞ୍ଜନ ସ୍ୱାଇଁ ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହିତ ସେମାନଙ୍କୁ ଶୁଖିଲା ଖାଦ୍ୟ ପାଇଁ ୫ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ । ଏଥିସହିତ ପ୍ରଶାସନ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ବିଧାୟକ ସଞ୍ଜୀବ କୁମାର ମଲ୍ଲିକଙ୍କ ସହିତ ଶ୍ରୀ ସ୍ୱାଇଁ ଯୋଗାଯୋଗ କରିଥିଲେ । ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ରାଜସ୍ୱ ନୀରିକ୍ଷକଙ୍କ ସହିତ ଆଲୋଚନା କରିଥିଲେ । ବିଧାୟକ ପ୍ରତିନିଧି ଶ୍ରୀ ସ୍ୱାଇଁଙ୍କ ସହିତ ସ୍ଥାନୀୟ ସରପଞ୍ଚ ରଶ୍ମିତା ସେଠୀ, ପୂର୍ବତନ ସରପଞ୍ଚ ତଥା ଗଣିଜାଙ୍ଗ ସେବା ସମବାୟ ସମିତିର ସଭାପତି ରଞ୍ଜନ କୁମାର ସାହୁ, ଗଣିଜାଙ୍ଗ ପଞ୍ଚାୟତ ବିଜେଡି ସଭାପତି ଭୀମସେନ ସାମଲ, ବରିଷ୍ଠ ନେତା ଜଗନ୍ନାଥ ପାଣିଗ୍ରାହୀ, ଆଇନଜୀବି ଅଣାକାର ମଲ୍ଲିକଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।


