୧୧ କେଭି ତାର ସଂସ୍ପର୍ଶରେ ଆସି ନାବାଳକଙ୍କ ହାତ କଟିବା ଘଟଣା: ୩୦ ଲକ୍ଷ କ୍ଷତିପୂରଣ ଦାବି
ହାଟଡିହି, (ଓ୍ବାଇଏନଏସ) : ନନ୍ଦିପଦା ଥାନା ଶାଳଣିଆଁ ଅଞ୍ଚଳରେ ଜଣେ ୧୪ ବର୍ଷ ବର୍ଷର ନାବାଳକ ଏକ ବାଲି ହାଇଓ୍ବାରେ ପାଲ ଢାଙ୍କୁଥିବା ବେଳେ ୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ହାତ ହରାଇଛନ୍ତି । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଉଚ୍ଚ ନ୍ୟାୟାଳୟର ଆଇନୀଜୀବୀ ତଥା ମାନବାଧିକାର କର୍ମୀ ପ୍ରିୟବ୍ରତ ବିଶ୍ଵାଳ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଏକ ମାମଲା ରୁଜ୍ଜୁ କରିଛନ୍ତି । ନାବାଳକ ସୋମ୍ୟଜିତ ସାହୁ ବିଦ୍ୟୁତ୍ ଆଘାତ ଘଟଣାକୁ ନେଇ ଜାତୀୟ ମାନବାଧିକାର ଆୟୋଗ (NHRC) ରେ ଏକ ଗୁରୁତର ଅଭିଯୋଗ ଦାଖଲ ହୋଇଛି । ଘଟଣାରେ ନାବାଳକଙ୍କ ମାନବାଧିକାର ଉଲଂଘନ ହୋଇଥିବା ଦର୍ଶାଇ ଆବେଦନକାରୀ ଆୟୋଗଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଆବେଦନରେ ଉଲ୍ଲେଖ କରାଯାଇଛି ଯେ, ବାଲି ବୋଝେଇ ହାଇୱା ଗାଡ଼ିରେ ପାଲ ଢାଙ୍କୁଥୁବା ସମୟରେ ନାବାଳକ ସୋମ୍ୟଜିତ ସାହୁ ୧୧ କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଭାବେ ଆହତ ହୋଇଥିଲେ । ଘଟଣାରେ ଶିଶୁ ଶ୍ରମ, ଅବୈଧ ବାଲି ପରିବହନ ଓ ଅସାବଧାନତା ଭଳି ଅଭିଯୋଗ ଉଠିଥିବାରୁ ଏହାକୁ ଗୁରୁତର ସହ ନେବାକୁ ଦାବି କରାଯାଇଛି । ଆବେଦନକାରୀ ଆୟୋଗଙ୍କୁ ଅନୁରୋଧ କରିଛନ୍ତି ଯେ, ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବଙ୍କୁ ନାବାଳକ ପୀଡ଼ିତଙ୍କ ପାଇଁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ସହ ମାଗଣା ଚିକିତ୍ସା, ପୁନର୍ବାସ, କୃତ୍ରିମ ଅଙ୍ଗ ସହାୟତା ଓ ଶିକ୍ଷା ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଉ । କିଛି ଦିନ ପୂର୍ବେ ନନ୍ଦିପଦା ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିଲା । ସେହିପରି କେନ୍ଦୁଝର ଜିଲ୍ଲାପାଳ ଓ ଏସପିଙ୍କ ଠାରୁ ଆକ୍ସନ ଟେକନ ରିପୋର୍ଟ ତଲବ କରିବାକୁ ମଧ୍ଯ ଦାବି ହୋଇଛି । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଗୃହ ବିଭାଗ ପ୍ରମୁଖ ସଚିବଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନରେ କୁହାଯାଇଛି |ଏହାସହ ଶିଶୁ ଶ୍ରମ ନିୟୋଜନ, ଗୁରୁତର ଆହତ, ଅପରାଧିକ ଅବହେଳା ଓ ନାବାଳକଙ୍କ ଜୀବନକୁ ବିପଦରେ ପକାଇବା ଭଳି ଅଭିଯୋଗରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ପୋଲିସ ତଦନ୍ତରେ କୌଣସି ଅବହେଳା କିମ୍ବା ଉଦ୍ଦେଶ୍ୟମୂଳକ ନିଷ୍କ୍ରିୟତା ପ୍ରମାଣିତ ହେଲେ ? ପୋଲିସ ଅଧୁକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ ଅନୁରୋଧ କରାଯାଇଛି । ଘଟଣାକୁ କେନ୍ଦ୍ର କରି ଅଞ୍ଚଳରେ ଚାଲିଥିବା ଅବାଧ ବାଲି ଖନନ ଓ ପରିବହନ କାର୍ଯ୍ୟକଳାପ ସହ ନାବାଳକଙ୍କୁ ବିପଦଜନକ କାମରେ ନିଯୁକ୍ତ କରାଯାଉଥିବାରୁ ଏହାର ବଡ଼ ଧରଣର ତଦନ୍ତ ମଧ୍ଯ ଦାବି ହୋଇଛି ।


