ନିର୍ମିତ ହୋଇଛି କୋଟିଏ ଟଙ୍କାର ପାନୀୟ ଜଳ ପ୍ରକଳ୍ପ: ପାନୀୟ ଜଳ ପାଉ ନାହାନ୍ତି ୬ଶହରୁ ଉର୍ଦ୍ଧ୍ୱ ପରିବାର

ନାଉଗାଁ,: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ କୋରୁଅ ପଂଚାୟତରେ ଦୀର୍ଘ ୨ବର୍ଷ ତଳେ ବସୁଧା ଯୋଜନାରେ ନିର୍ମାଣ କରାଯାଇଛି ଏକ ସୁଉଚ୍ଚ ପାନୀୟ ଜଳ ପ୍ରକଳ୍ପ। ଏହି ପ୍ରକଳ୍ପରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଅଂଚଳବାସୀ ପାଣି ପାଇବାରୁ ବଂଚିତ ଅଛନ୍ତି। ପ୍ରକଳ୍ପ ନିର୍ମାଣ ହେବାର ୪ମାସ ପର୍ଯ୍ୟନ୍ତ ଏହି ପାନୀୟ ଜଳ ପ୍ରକଳ୍ପରୁ କୋରୁଅ,ବାଲିଗାଁ, ଧୁଆଁପଦା ଆଦି ଗ୍ରାମର ୬ଶହରୁ ଉର୍ଦ୍ଧ୍ୱ ପରିବାରକୁ ପାଇପି ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା। ତା’ପର ଠାରୁ ଆଉ ପ୍ରକଳ୍ପରୁ ପାଣି ଆସୁନଥିବା ସ୍ଥାନୀୟ ବାସିନ୍ଦା ମତବ୍ୟକ୍ତ କରିଛନ୍ତି। ୨୦୨୪ ମସିହାରେ ତିରୁଣା ବାଉଁଶଜୋରୀ ଠାରୁ କୋରୁଅ ସାଧୁଗୋସ୍ୱାମୀ ପୀଠ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲ।।। କାର୍ଯ୍ୟାଦେଶ ପାଇଥିବା ଠିକାଦାର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ରାସ୍ତା ପାଶ୍ୱର୍କୁ ତାଡି ମାଟି ପକାଇଥିଲେ। ରାସ୍ତା ପାଶ୍ୱର୍ ତାଡିବା ଯୋଗୁ ପାନୀୟ ଜଳ ପ୍ରକଳ୍ପ ପାଇଁ ବିଛା ଯାଇଥିବା ପାଇପ ଗୁଡିକ ଫାଟି ଯାଇଥିଲା। ଯାହାଫଳରେ ପାନୀୟ ଜଳ ପ୍ରକଳ୍ପରୁ ଗାଁ ମଧ୍ୟକୁ ପାଣି ଆସିପାରୁନାହିଁ। ବର୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଗାଁରେ ଥିବା ଜଳାଶୟ ଗୁଡିକ ଶୁଖିଯାଇଛି। ଏପରିକି ଜଳସ୍ତର ହ୍ରାସ ପାଇବା ଯୋଗୁ ଅନେକ ଅଗଭୀର ନଳକୂପରୁ ମଧ୍ୟ ପାଣି ବାହାରୁ ନାହିଁ। ଏହି ସମୟରେ ସରକାରଙ୍କ ଦ୍ୱାରା ନିର୍ମିତ ପାନୀୟ ଜଳ ପ୍ରକଳ୍ପର ଜଳ ଏକମାତ୍ର ଭରସା। କିନ୍ତୁ ଦୀର୍ଘ ଦିନ ହେବ ଏହି ପ୍ରକଳ୍ପରୁ ପାଣି ଆସୁ ନଥିବାରୁ ଅଂଚଳବାସୀ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଯଥା ଶୀଘ୍ର ପାଇପ ବିଛାଇ ପୁନର୍ବାର ପାନୀୟ ଜଳ ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଦାବି କରାଯାଇଛି। ଏସଂକ୍ରାନ୍ତରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ରଶ୍ମିରଂଜନ ଦାସଙ୍କୁ ପଚାରିବାରେ ପାଇପ ବିଛା ପାଇଁ ପୁନର୍ବାର ଟେଣ୍ଡର କରାଯାଇ ଯଥାଶୀଘ୍ର କାର୍ଯ୍ୟ କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ