କୁରୁମ ବୌଦ୍ଧ ପୀଠର ହେବ ବିକାଶ : ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁଦାନ ମଞ୍ଜୁର

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : କାକଟପୁର ବ୍ଲକ ଅଧୀନ କୁରୁଜଙ୍ଗ ପଂଚାୟତ ରେ ଅଷ୍ଟମ ଶତାଦ୍ଧିର ପ୍ରାଚୀନ କଳିଙ୍ଗର ଐତିହକୁ ବହନ କରୁଥିବା ଐତିହାସିକ କୁରୁମବୌଦ୍ଧ ପୀଠର ବିକାଶ ପାଈଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୩ଲକ୍ଷ ୩୨ହଜାର ଟଙ୍କା ମଞ୍ଜୁର କରାଯାଇଛି । ଏହା ସହ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶେଷ ହୋଇଥିବାରୁ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି। ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ରହିଥିବା କୁରୁମ ବୌଦ୍ଧ ପୀଠର ବିକାଶ ପାଈଁ କୁରୁଜଙ୍ଗ ପଂଚାୟତ ବିକାଶ ମଞ୍ଚ ଗତ ୨ ବର୍ଷ ଧରି ଲଗାତାର ସ୍ୱର ଉଠାଇ ଆସୁଥିଲା । ମଞ୍ଚର ଆବାହକ ଦୁର୍ଗା ପ୍ରସାଦ ମହାପାତ୍ର ୨୦୨୪ରୁ ରାଜ୍ୟ ସରକାର ଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ନିକଟରେ ବାରମ୍ବାର ଦାବୀପତ୍ର ପ୍ରଦାନ କରି ଏହି ଐତିହ୍ୟର ସୁରକ୍ଷା ଓ ବିକାଶ ନେଇ ଦାବୀ ଜଣାଇଥିଲେ । ଶେଷରେ ମଞ୍ଚର ନିରନ୍ତର ଆନ୍ଦୋଳନ, ସ୍ଥାନୀୟ ଲୋକଙ୍କ ଆବେଗ ଓ ସେବାୟତଙ୍କ ଦାବୀର ପ୍ରତିଫଳନ ସୁରୂପ ସରକାର ଙ୍କ ପକ୍ଷରୁ ଅର୍ଥ ମଞ୍ଜୁର ହେବା ସହ ଟେଣ୍ଡର ପ୍ରକ୍ରିୟା ମଧ୍ୟ ସମାପ୍ତ ହୋଇଛି । କାକଟପୁର ବ୍ଲକ ଅଧୀନରେ ଥିବା କୁରୁମ ବୌଦ୍ଧ ପୀଠ କେବଳ ଏକ ପୁରାତନ ସ୍ଥାପତ୍ୟ ନୁହେଁ, ଏହା କଳିଙ୍ଗର ଆଧାତ୍ମିକ ଐତିହ୍ୟର ଏକ ଜୀବନ୍ତ ଅଧ୍ୟାୟ । ଇତିହାସ କହେ, ପ୍ରାଚୀନ କାଳରେ ଏଠାରେ ବୌଦ୍ଧ, ପ୍ରାଚୀନ କାଳରେ ଏଠାରେ ବୌଦ୍ଧ ଭିକ୍ଷୁ ଓ ସନ୍ୟାସୀ ଧ୍ୟାନ, ତପସ୍ୟା ଓ ଧର୍ମ ପ୍ରଚାର କରୁଥିଲେ । ମାଟି ତଳୁ ମିଳିଥିବା ପ୍ରାଚୀନ ବୁଦ୍ଧ ମୂର୍ତ୍ତି, ପଥର ଖଣ୍ଡ ଏହାର ଗୌରବମୟ ଅତୀତର ନିରବ ପରିଚୟ ବହନ କରୁଛି। ଲୋକକଥା ଓ କିମ୍ବଦନ୍ତୀ ଅନୁସାରେ, କୁରୁମର ପବିତ୍ର ଭୂମିରେ ଅନେକ ସିଦ୍ଧ ସନ୍ୟାସୀ ସାଧନା କରି ଆଧାତ୍ମିକ ସିଦ୍ଧି ଲାଭ କରିଥିଲେ। ସେହି ପରମ୍ପରା ଆଜି ମଧ୍ୟ ସ୍ଥାନୀୟ ଲୋକଙ୍କ ଆସ୍ଥା ଓ ଭାବନାରେ ଜୀବନ୍ତ ରହିଛି। ବିଶେଷ କରି ବର୍ଷ ବର୍ଷ ଧରି ସରକାରୀ ସହାୟତା ବିନା ଏହି ପୀଠର ଦାୟିତ୍ୱ ନେଇ ରକ୍ଷଣାବେକ୍ଷଣ କରୁଥିବା ସ୍ଥାନୀୟ ସେବାୟତଙ୍କ ଅବଦାନ ଅତୁଳନୀୟ । ନିଜର ସୀମିତ ସମ୍ବଳ ଭିତରେ ସେମାନେ ଏହି ପବିତ୍ର ପୀଠର ପରମ୍ପରା କୁ ବଞ୍ଚାଇ ରଖିଛନ୍ତି। ତେଣୁ କେବଳ ଭୌତିକ ବିକାଶ ନୁହେଁ, ସେବାୟତଙ୍କ ଦୀର୍ଘ ଦିନର ଦାବିକୁ ମଧ୍ୟ ସରକାର ଗୁରୁତ୍ୱ ସହ ବିଚାର କରିବା ଆବଶ୍ୟକ ବୋଲି ସ୍ଥାନୀୟ ଜନସାଧାରଣ କହିଛନ୍ତି । ସେବାୟତଙ୍କୁ ବୌଦ୍ଧ ପୀଠରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ସହ ସେମାନଙ୍କ ଜୀବନ ଜୀବିକା ଓ ଚଳିବା ପାଈଁ ସ୍ୱତନ୍ତ୍ର ସରକାରୀ ବ୍ୟବସ୍ଥା କରାଯାଉ ବୋଲି କୁରୁଜଙ୍ଗ ପଂଚାୟତ ବିକାଶ ମଞ୍ଚ ପକ୍ଷରୁ ଦାବୀ ହୋଇଛି । ଯେଉଁ ମାନେ ଏହି ପୀଠର ପରମ୍ପରା କୁ ବଞ୍ଚାଇ ରଖିଛନ୍ତି, ସେମାନଙ୍କ ସୁରକ୍ଷା ଓ ସଂମ୍ମାନ ବିନା ଏହି ଐତିହ୍ୟର ପୂର୍ଣ୍ଣ ବିକାଶ ସମ୍ଭବ ନୁହେଁ। ଐତିହାସିକ କୁରୁମ ବୌଦ୍ଧ ପୀଠର ବିକାଶ ସହ ସେବାୟତ ମାନଙ୍କ ଜୀବନ ଓ ଜୀବିକାର ସୁରକ୍ଷା ହେଲେ ଏହି ପବିତ୍ର ସ୍ଥଳୀ ଭବିଷ୍ୟତରେ ରାଜ୍ୟର ଏକ ପ୍ରମୁଖ ଐତିହ୍ୟ ଓ ପର୍ଯ୍ୟଟନ କେନ୍ଦ୍ର ଭାବେ ନୂଆ ପରିଚୟ ସୃଷ୍ଟି କରିପାରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ