ଦୁର୍ଘଟଣାରେ ଆହାତ ବୃଦ୍ଧଙ୍କ ମୃତ୍ୟୁ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ମା ‘ ତାରିଣୀ ମନ୍ଦିର ନିକଟ ରାସ୍ତାରେ ଗତ ଶୁକ୍ରବାର ସକାଳେ ବୁଲେଟ – ବାଇକ ଧକ୍କାରେ ବି.ଆଦିକନ୍ଦପୁର ଗ୍ରାମର ଚାଷୀ ବାଳକୃଷ୍ଣ ପ୍ରଧାନ(୫୬) ଗୁରୁତର ଆହାତ ହୋଇଥିଲେ।ତାଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା।ରବିବାର ସକାଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ବାଳକୃଷ୍ଣ ଙ୍କ ପୁଅ ଜିତେନ୍ଦ୍ର ରବିବାର ପାଟପୁର ଥାନାରେ ଏତଲା ଦେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମାମଲା ନଂ.୧୫୨/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ।ଶୁକ୍ରବାର ସକାଳ ପ୍ରାୟ ୮ ଟାରେ ବାଳକୃଷ୍ଣ କ୍ଷୀର ବିକ୍ରି କରି ବାଇକ ରେ ଗାଁ କୁ ଫେରୁଥିବା ବେଳେ ଏକ ବୁଲେଟ ତାଙ୍କୁ ଧକ୍କା ଦେଇଥିଲା।ସେ ରାସ୍ତା ଉପରେ କଚାଡି ହୋଇ ପଡ଼ିଯାଇଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି।ତଦନ୍ତକାରୀ ଅଧିକାରୀ ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ଅଧିକାରୀ ଏସ.ଆଇ ପ୍ରଭାତ କୁମାର ବାଲିକାନା ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ପହଞ୍ଚି ମୃତଦେହ ଜବତ କରିବା ସହ ସେଠାରେ ବ୍ୟବଚ୍ଛେଦ କରାଇବା ପରେ ମୃତଦେହ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି।


