ଆଗକୁ ପ୍ରାଥମିକ ସମବାୟ ସମିତି ନିର୍ବାଚନ ଦବ୍‍ଦବା : ଆସିକାରେ ବିଜେଡିର ସମରସଜ୍ଜା

ଆସିକା (ୱାଇଏନ୍‍ଏସ୍‍) : ଆଗାମୀ କିଛି ମାସ ପରେ ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଥମିକ ସମବାୟ ସମିତି ଗୁଡିକର ନିର୍ଦ୍ଦେଶକ ପଦବୀ ଲାଗି ହେବାକୁ ଥିବା ନିର୍ବାଚନ ନେଇ ବର୍ତ୍ତମାନ ଠାରୁ ଆସିକା ବ୍ଳକ ପରିସରଭୁକ୍ତ କେତେକ ଗ୍ରାମାଞ୍ଚଳର ରାଜନୀତି ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି । ଆସନ୍ତା ପ୍ରାଥମିକ କୃଷି ସେବା ସମବାୟ ସମିତି ନିର୍ବାଚନ କେବେ ହେବ ସେ ସଂକ୍ରାନ୍ତରେ ସ୍ପଷ୍ଟ ଭାବେ କୌଣସି ସୂଚନା ମିଳିପାରିନଥିଲେ ମଧ୍ୟ ଆସିକା ବ୍ଳକ ପରିସରଭୁକ୍ତ ନଳବଣ୍ଟା, ଧନିଜା, ହରିଡାପଦର, କାଳଷଣ୍ଢପୁର, ବରଗାଁ, ନିମିନା, ଗୁଣ୍ଠପଡା, ଜଗଦଳପୁର, ପାଣ୍ଡିଆପଥର, ଦେବଭୂମୀ, ବାଲିସିରା, ବେଣାପାଟ, ରାମେଶ୍ୱର, ମଙ୍ଗଳପୁର, ମୁନିଗାଡି, ଆସିକା, ଗହଙ୍ଗୁ, ବଡଖୋଲି, ଘଟକୁରୀ, ନୁଆଗାଁ ପ୍ରାଥମିକ କୃଷି ସେବା ସମବାୟ ସମିତିକୁ ହତେଇବା ପାଇଁ ଏବେଠୁ ବିଜେଡି ତାର ସମରସଜ୍ଜା ଆରମ୍ଭ କରିଦେଇଥିବା ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଆଲୋଚନା ହେଉଛି । ବିଜୁ ଜନତା ପାଇଁ ଆସନ୍ତା ସମବାୟ ନିର୍ବାଚନ ସମ୍ମାନ ଓ ସ୍ୱାଭିମାନର ପ୍ରଶ୍ନ ଥିବାରୁ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ଆହୁରି ସୁଦୃଢ କରିବା ଲାଗି ଦଳର ହେବିୱେଟ୍‍ ମାନେ ବିଚାରବିମର୍ଶ ଜାରି ରଖିଥିବା ଦେଖିବାକୁ ମିଳୁଛି । ଗତ ୨୦୨୨ ମସିହାରେ ଅନୁଷ୍ଠିତ ହୋଇଥିବା ସମବାୟ ନିର୍ବାଚନରେ ବିଜୁ ଜନତା ଦଳ ସମର୍ଥିତ ସର୍ବାଧିକ ପ୍ରାର୍ଥୀମାନେ ବିଭିନ୍ନ ସମବାୟ ସଂସ୍ଥାର ପରିଚାଳନା ପରିଷଦର ସଦସ୍ୟ ରୂପେ ନିର୍ବାଚିତ ହେବା ସାଙ୍ଗକୁ ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିିଃ ଏବଂ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ଓ ଆସିକା ସମବାୟ ଚିନିଶିଳ୍ପ ଲିଃର ସମ୍ମାନଜନକ ସଭାପତି ପଦକୁ ଦଖଲ କରିବାରେ ସକ୍ଷମ ହୋଇପାରିଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଆହୁରି ଟାଣ କରିବା ପାଇଁ ଦଳୀୟ ନେତା ଓ କର୍ମୀମାନେ ଏକ ମନ ଏକ ପ୍ରାଣରେ ଏକାଠି ହୋଇ କାର୍ଯ୍ୟକଲେ ଆସନ୍ତା ସମବାୟ ନିର୍ବାଚନରେ ବିଜେଡି ପୁଣି ବିଜୟର ଟିକା ନିଶ୍ଚିତ ଭାବେ ପିନ୍ଧିବ ବୋଲି ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ତଥା ବରିଷ୍ଠ ବିଜେଡି ନେତା ନଚିକେତା ସ୍ୱାଇଁ ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା ସୂଚନା ଦେଇଛନ୍ତି । ଆଗାମୀ ସମବାୟ ନିର୍ବାଚନକୁ ନେଇ ଏବେଠୁ ଗ୍ରାମାଞ୍ଚଳ ଗୁଡିକର ରାଜନୈତିକ ପାଣିପାଗ ଦିନକୁ ଦିନ ସରଗରମ ହେବାରେ ଲାଗିଛି । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁଙ୍କ ପରାମର୍ଶକ୍ରମେ ଗଞ୍ଜାମ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ତଥା ଭେଟେରାନ୍‍ ବିଜେଡି ନେତା ନଚିକେତା ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ମଲିକ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ହରେକୃଷ୍ଣ ମଲିକ, ଆସିକା ବ୍ଳକ ବିଜେଡି ସଭାପତି ବିଦ୍ୟାନ୍ତ କୁମାର ଚର୍ଚ୍ଚି, ବରିଷ୍ଠ ବିଜେଡି ନେତା ନନ୍ଦ କୁମାର ବିଷୋୟୀ, ଜିତେନ୍ଦ୍ର କୁମାର ବିଷୋୟୀ, ପ୍ରମୋଦ କୁମାର ସ୍ୱାଇଁ, ଅନିଲ୍‍ କୁମାର ନାୟକ, ଇଂ ସଚ୍ଚିଦାନନ୍ଦ ରାଉତ, ପ୍ରସନ୍ନ କୁମାର ତ୍ରିପାଠୀ, କାର୍ତ୍ତିକେଶ୍ୱର ପରିଡା, ନିଗମାନନ୍ଦ ରାଉତ, ଜିତେନ୍ଦ୍ର କୁମାର ମହାରଣା, କୈଳାଶ ଚନ୍ଦ୍ର ପ୍ରଧାନ, ଶିବ ପ୍ରସାଦ ଶତପଥୀ, ଅଶ୍ୱିନୀ କୁମାର ବିଷୋୟୀ, ନିରଞ୍ଜନ ଜେନା, ବିନୋଦ ପାତ୍ରଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ଆଗାମୀ ସମବାୟ ନିର୍ବାଚନରେ ବିଜେଡି ଯେପରି ପୁଣି କ୍ଷମତା ଦଖଲ କରିବ ସେଥିପାଇଁ ରଣନୀତି ନିର୍ଦ୍ଧାରଣରେ ଲାଗି ପଡିଥିବା ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ଆଗାମୀ ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ଆସନ୍ତା ସମବାୟ ନିର୍ବାଚନ ବିଜେଡି ପାଇଁ ଅଗ୍ନି ପରୀକ୍ଷାର ବେଳ ବୋଲି ଆଲୋଚିତ ହେଉଛି । ଗତ ୨୦୨୨ ରେ ଅନୁଷ୍ଠିତ ସମବାୟ ନିର୍ବାଚନର ସଫଳତାକୁ ପୁଣି ଦୋହରାଇ ଇତିହାସ ରଚିବାକୁ ବିଜେଡି ଏବେଠୁ ପ୍ରାକ୍‍ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଦେଖିବାକୁ ମିଳୁଛି । ଗତ ୨୦୨୨ ମସିହାରେ ଅନୁଷ୍ଠିତ ହୋଇଥିବା ସମବାୟ ନିର୍ବାଚନକୁ ୪ ବର୍ଷ ପୁରିଯାଇଥିଲା ବେଳେ ଆସନ୍ତା ବର୍ଷ ଅର୍ଥାତ୍‍ ୨୦୨୭ ମସିହା ମାର୍ଚ୍ଚ କିମ୍ବା ଏପ୍ରିଲ୍‍ ମାସରେ ପୁଣି ନିର୍ବାଚନ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଆସନ୍ତା ୨୦୨୭ ମସିହା ଜୁନ୍‍ ମାସରେ ପ୍ୟାକ୍ସ ଗୁଡିକର ନିର୍ବାଚିତ ପ୍ରତିନିଧିମାନଙ୍କର ଅବଧି ଶେଷ ହେବାକୁ ଯାଉଛି । ଆସନ୍ତା ୨୦୨୭ ମସିହାରେ ପ୍ୟାକ୍ସ ଗୁଡିକର ନିର୍ବାଚନ ହେବା ସମ୍ଭାବନା ରହିଛି । ଆସିକା ବ୍ଳକର ୨୦ଟି ପ୍ରାଥମିକ କୃଷି ସେବା ସମବାୟ ସମିତିରେ ନିର୍ଦ୍ଦେଶକ ପଦବୀ ଲାଗି କିଏ ପ୍ରାର୍ଥୀ ହେଲେ ବିଜୟର ପଥ ସୁଗମ ହେବ ତାହାକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳର ଦଳୀୟ ନେତା ଏବେଠୁ ଘନ ଘନ ବୈଠକ କରୁଥିବା ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ