ଉନ୍ନୟନ ମଞ୍ଚ ପକ୍ଷରୁ ଆଲୋଚନା ସଭା

ଦିଗପହଣ୍ଡି (ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ଖମାରିଗାଁ ଶ୍ରୀ ଉଜ୍ଜଳେଶ୍ୱର ଶୈବପୀଠ ସଭା ମଣ୍ଡପ ରେ ଦକ୍ଷିଣ ଓଡ଼ିଶା ବିକାଶ ସମିତି ଆନୁକୁଲ୍ୟରେ ଖେମୁଣ୍ଡି ଉନ୍ନୟନ ମଞ୍ଚ ପକ୍ଷରୁ ବୁଧବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ସାମାଜିକ କର୍ମୀ ବୃନ୍ଦାବନ ପଣ୍ଡା ଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ପୋଲିସ ଅଧିକାରୀ  ପଞ୍ଚାନନ ପାଇକ ଅଧ୍ୟକ୍ଷତା କରିଥିବା ବେଳେ ଦକ୍ଷିଣ ଓଡିଶା ବିକାଶ ସମିତି ର ସଭାପତି ତଥା ଅବସର ପ୍ରାପ୍ତ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ ଡ଼. ବାଳକୃଷ୍ଣ ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମଗ୍ର ଦକ୍ଷିଣ ଓଡ଼ିଶାର ବହୁ ପ୍ରତିକ୍ଷୀତ ଗୋପାଳପୁର- ରାୟଗଡ଼ା ନୂତନ ରେଳପଥ ପ୍ରକଳ୍ପ ନିମନ୍ତେ ପୂର୍ବରୁ ସର୍ଭେ ସରିଛି।ଏହି ନୂତନ ରେଳ ଲାଇନ୍ ଗୋପାଳପୁର ଠାରୁ ଜଗନ୍ନାଥପୁର,ଗୁରୁଣ୍ଠୀ,ବାଲିପଡ଼ା,ଅନଙ୍ଗପୁର, ଦିଗପହଣ୍ଡି,ଗୁମା, ଫାସିଗୁଡ଼ା, ଭୀଷ୍ମଗିରି, ଚାକୁଣ୍ଡାପଲ୍ଲୀ ଦେଇ ଗଜପତି ଜିଲା ଚାନ୍ଦିପୁଟ, ଅନ୍ତର୍ବା ଠାରୁ ରାୟଗଡ଼ା କୁ ମାତ୍ର  ଏହି ରେଳ ଲାଇନ ସଂଯୋଗ କରିବ। କିନ୍ତୁ ଫାଇନାଲ ସର୍ଭେ ରିପୋର୍ଟ ଦାଖଲ ପାଇଁ  ଦାୟିତ୍ୱରେ ଥିବା କିଛି ଆନ୍ଧ୍ର ରେଲୱେ ଅଧିକାରୀ ଉକ୍ତ ସର୍ଭେ ରିପୋର୍ଟ କୁ ବଦଳାଇ ଗୋପାଳପୁର ଠାରୁ ଭାୟା କନ୍ଧମାଳ ଦେଇ ରାୟଗଡ଼ା ଯାଏଁ ନୂତନ ରେଳ ଲାଇନ ନିର୍ମାଣ ପାଇଁ ଯୋଜନାବଦ୍ଧ ଭାବେ ଉଦ୍ୟମ ଚଳାଇଛନ୍ତି।ତେଣୁ ପୂର୍ବରୁ ସର୍ଭେ କରାଯାଇଥିବା ରିପୋର୍ଟ ଆଧାରରେ ନୂଆ ରେଳ ଲାଇନ୍ ନିର୍ମାଣ କରିବା ପାଇଁ ସେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଏବଂ ପୂର୍ବତଟ ରେଲୱେ ମୁଖ୍ୟ ପ୍ରବନ୍ଧକ ଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିବା ସହ  ଏହି ନୂତନ  ରେଳ ଲାଇନ କାମ ତୁରନ୍ତ ଆରମ୍ଭ କରିବା ପାଇଁ ସେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଥିଲେ। ତୃତୀୟ ପାଳି ପାଇଁ କେନ୍ଦ୍ରରେ ବିଜେପି ନେତୃତ୍ଵାଧୀନ  ସରକାର ଆସିବା ପରେ ଗଞ୍ଜାମ ଜିଲ୍ଲା  ଚିକିଟି ନିକଟ ବାହୁଦା ନଦୀ ମୁହାଣରେ  ପ୍ରସ୍ତାବିତ ବୃହତ ବନ୍ଦର ନିର୍ମାଣ ନିମନ୍ତେ ରାଜ୍ୟସରକାରଙ୍କ ମଞ୍ଜୁରୀ ମିଳିଛି। ବାହୁଦା ବନ୍ଦର ସହ ଗୋପାଳପୁର ବନ୍ଦର କୁ ନୂତନ ରେଳ ଲାଇନ୍ ନିର୍ମାଣ କରାଯିବା ପାଇଁ ଦକ୍ଷିଣ ଓଡ଼ିଶା ବିକାଶ ସମିତି ପକ୍ଷରୁ ପୂର୍ବରୁ ଦାବୀ କରାଯାଇଥିବା ନେଇ ସେ ସଭାରେ ଉଲ୍ଲେଖ କରିଥିଲେ। ବ୍ରହ୍ମପୁର ରେଳ ଷ୍ଟେସନକୁ ବାଇପାସ୍ କରି ଏହି ରେଳ ଲାଇନ୍ ସିଧାସଳଖ ଚିକିଟି ନିକଟସ୍ଥ ପ୍ରସ୍ତାବିତ ବାହୁଦା ବନ୍ଦରକୁ ସଂଯୋଗ ହୋଇପାରିବ। ନୂତନ ରେଲୱେ ଲାଇନ୍ ବ୍ରହ୍ମପୁର ରିଙ୍ଗ ରୋଡ୍ ଦେଇ ଲାଞ୍ଜିଆ – ଦକ୍ଷିଣପୁର ରୁ ହଳଦିଆପଦର ନିକଟରେ ଚେନ୍ନାଇ-ହାୱଡ଼ା ମୁଖ୍ୟ ରେଳ ଲାଇନରେ ସଂଯୋଗ ହୋଇପାରିବ। ଫଳରେ ବ୍ରହ୍ମପୁର ରେଲୱେ ଷ୍ଟେସନରେ ଭିଡ଼କୁ ରୋକାଯାଇ ବାହୁଦା ବନ୍ଦରକୁ ମାଲ୍ ପରିବହନ ସହଜ ହୋଇପାରିବ।  ପ୍ରାରମ୍ଭିକ ସର୍ଭେରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି  ନୂତନ ରେଳ ଲାଇନ ଦ୍ଵାରା ଏହି ସବୁ ଅଞ୍ଚଳର ଅର୍ଥନୈତିକ ବିକାଶ ସାଙ୍ଗକୁ ବ୍ୟବସାୟିକ ସଫଳତା ବୃଦ୍ଧି ପାଇବ ବୋଲି ସଭାରେ ମତପ୍ରକାଶ ପାଇଥିଲା।  ସେହିପରି ଛେଳିଗଡ଼ ମଧ୍ୟମ ଜଳସେଚନ ପ୍ରକଳ୍ପର ଆବଶ୍ୟକତା ସାଙ୍ଗକୁ ତାହାର ସର୍ବେକ୍ଷଣ ଓ ଅନ୍ୟାନ୍ୟ ଆନୁସଙ୍ଗିକ ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଥିବାରୁ ତାହାକୁ ଶୀଘ୍ର କାର୍ଯ୍ୟକ୍ଷମ କରାଯାଇ କେନାଲ ଜରିଆରେ ଜମି କୁ ଜଳ ଯୋଗାଣ ଏବଂ ପାଇପ ଲାଇନ୍ ମାଧ୍ୟମରେ ପାନୀୟ ଜଳ ଯୋଗାଣ ଖୁବ୍ ଶୀଘ୍ର ଆରମ୍ଭ କରିବା ଦାବିରେ ଜନ ଆନ୍ଦୋଳନର ଆବଶ୍ୟକତା ଥିବା ନେଇ ସଭାରେ ମତପ୍ରକାଶ ପାଇଥିଲା। ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିକାଶ ସମିତି ର ପ୍ରମୁଖ କାର୍ଯ୍ୟକର୍ତ୍ତା ସୁଜିତ କୁମାର ତ୍ରିପାଠୀ,  ଜି ନିୟୁଜ ର ଖବରଦାତା ପ୍ରତାପ ଚନ୍ଦ୍ର ଦାଶ, ଦିଗପହଣ୍ଡି ଏନଏସି ର ପ୍ରାକ୍ତନ ଅଧ୍ୟକ୍ଷ ଭି. ରବିନାରାୟଣ ରାଜୁ, ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ଼,ସୁନୀଲ କୁମାର ବିଷୋୟୀ,ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ପ୍ରସାଦ ପାଠୀ, ପିତାମ୍ବର ଗୌଡ଼, ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡ଼, ସିମାଞ୍ଚଳ ଗୌଡ଼, ଅବସରପ୍ରାପ୍ତ ଶିକ୍ଷକ ମାଗତା ପ୍ରଧାନ, ପ୍ରତାପ ଚନ୍ଦ୍ର ଦୀକ୍ଷିତ, ସନ୍ତୋଷ କୁମାର ସାହୁ, ଶିବାନନ୍ଦ ପାଣିଗ୍ରାହୀ,ସିମାଞ୍ଚଳ କର,  ନିରଞ୍ଜନ ଗୌଡ଼, ଏ. ନାରସୁ ପ୍ରମୁଖ ମଞ୍ଚାସିନ ଥିଲେ। ସଭାରେ ଖମାରିଗାଁ, ନିମଖଣ୍ଡିପେଣ୍ଠ, ଚଷାନିମଖଣ୍ଡି, ଭୀଷ୍ମଗିରି ଓ ସହଦେବ ଟିକରପଡା ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମରୁ ୩ ଶହରୁ ଉର୍ଦ୍ଧ୍ବ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ତେଣୁ ଗୋପାଳପୁର – ରାୟଗଡା ରେଳପଥ ନିର୍ମାଣ ଓ ଛେଳିଗଡ଼ ଜଳସେଚନ ପ୍ରକଳ୍ପ  କାର୍ଯ୍ୟକ୍ଷମ  ଦାବୀ ରେ ସ୍ଥାନୀୟ ଅଞ୍ଚଳବାସୀ ଙ୍କ ପକ୍ଷରୁ ଗଣ ଆନ୍ଦୋଳନ ପାଇଁ ସଭାରେ ସର୍ବ ସମ୍ମତ ନିଷ୍ପତ୍ତି ଗୃହୀତ କରାଯାଇଥିଲା।  ଆଗାମୀ ଦିନରେ ଦକ୍ଷିଣ ଓଡିଶା ବିକାଶ ପରିଷଦ ପକ୍ଷରୁ ଏଥିପାଇଁ ଆବଶ୍ୟକ ଯେ କୌଣସି ଆନ୍ଦୋଳନ  ଡାକରାରେ  ସାମିଲ ହେବାପାଇଁ ଉପସ୍ଥିତ ଜନସାଧାରଣ, ଖେମୁଣ୍ଡି ଉନ୍ନୟନ ମଞ୍ଚର କାର୍ଯ୍ୟକର୍ତ୍ତା ଓ ସଭ୍ୟ ବୃନ୍ଦ  ଶପଥ ନେଇଥିଲେ । ପରିଶେଷରେ ଖମାରିଗାଁ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ