ଆସିକାରେ ନକଲି ଶିକ୍ଷକଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବୀ
ଆସିକା (ୱାଇଏନ୍ଏସ୍) :ଆସିକା ଅଞ୍ଚଳର କେତେକ ବିଦ୍ୟାଳୟରେ ନକଲି ପ୍ରମାଣପତ୍ର ଦାଖଲ କରି ବର୍ଷ ବର୍ଷ ଧରି ଶିକ୍ଷକତା କରୁଥିବା ଶିକ୍ଷକଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ଅଞ୍ଚଳର କେତେକ ଶିକ୍ଷାନୁଷ୍ଠାନରେ ବହୁ ଶିକ୍ଷକ ଅତୀତରେ ବିଇଡି ଶିକ୍ଷା ତାଲିମ୍ ନେବା ପାଇଁ ଆବଶ୍ୟକତା ସମୟରେ ନକଲି ଅଭିଜ୍ଞତା ପ୍ରମାଣପତ୍ର ଦାଖଲ କରି ପରବର୍ତ୍ତୀ ସମୟରେ ଶିକ୍ଷକ ରୂପେ ନିଯୁକ୍ତି ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ଅତୀତରେ ଆସିକା କଲେଜ ଛକ ଅଞ୍ଚଳର ଜନୈକ ଶିକ୍ଷକ ବିଇଡି ନକଲି ଅଭିଜ୍ଞତା ପ୍ରମାଣପତ୍ର ଦାଖଲ ଅଭିଯୋଗରେ ଠିକ୍ ସମୟରେ ପଦୋନ୍ନତିରୁ ବଞ୍ଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ନିଜକୁ ଆତ୍ମଘୋଷିତ ସଂଘନେତା ବୋଲି ପରିଚୟ ଦେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କୌଣସି ପ୍ରକାରେ କାରାୟତ କରି ଦୀର୍ଘ ଦିନ ପରେ ପଦୋନ୍ନତି ପାଇଥିବା ଆସିକା ଅଞ୍ଚଳରେ ଚର୍ଚ୍ଚା ହେଉଥିବା ଲକ୍ଷ୍ୟ କରାଯାଇଛି । ଆସିକା କଲେଜ ଛକ ଅଞ୍ଚଳରେ ରହୁଥିବା ଜନୈକ ଆତ୍ମଘୋଷିତ ଶିକ୍ଷକ ସଂଘ ନେତା ନକଲି ବିଇଡି ଅଭିଜ୍ଞତା ପ୍ରମାଣ ପତ୍ର ଦାଖଲ କରି ନିଯୁକ୍ତି ପାଇ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରୁଥିଲେ ମଧ୍ୟ ତାଙ୍କ ବିରୋଧରେ ବିଭାଗୀୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅନ୍ତରାଳରେ କି ରହସ୍ୟ ରହିିଛି ତାହା ତଦନ୍ତ ସାପେକ୍ଷ୍ୟ । ନକଲି ବିଇଡି ଅଭିଜ୍ଞତା ପ୍ରମାଣପତ୍ର ଦାଖଲ କରି ଚାକିରୀ କରୁଥିବା ଆସିକା କଲେଜଛକ ଅଞ୍ଚଳର ଜନୈକ ଆତ୍ମଘୋଷିତ ଶିକ୍ଷକ ସଂଘ ନେତାଙ୍କ ଶିକ୍ଷାଗତ, ଜାତିଗତ ଓ ଅଭିଜ୍ଞତା ସମେତ ଅନ୍ୟାନ୍ୟ ପ୍ରମାଣପତ୍ର ପ୍ରକୃତରେ ଅସଲି କି ନକଲି ତାହା ଜାଣିବା ସହ ସତ୍ୟାସତ୍ୟ ଉନ୍ମୋଚନ ପାଇଁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଛି । ଅତୀତରେ ଆସିକାରେ ବହୁ ନକଲି ଶିକ୍ଷକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲେ ମଧ୍ୟ ଆହୁରି କେତେକ ନକଲି ଶିକ୍ଷକ ରହିଯାଇଥିବା ଚର୍ଚ୍ଚା ହେଉଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ଅଞ୍ଚଳର ଜାଲ୍ ପ୍ରମାଣପତ୍ରଧାରୀ ନକଲି ଶିକ୍ଷକଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।


