ନିରଞ୍ଜନ ସରକାରୀ ମହିଳା ମହାବାଦ୍ୟାଳୟ : କେବେ ଖୋଲିବ ଯୁକ୍ତ ତିନିରେ ବାଣିଜ୍ୟ ଓ ବିଜ୍ଞାନ ପାଠ୍ୟକ୍ରମ?
ଆସିକା ତା ୦୩/୦୬ (ୱାଇଏନ୍ଏସ୍) ଉଚ୍ଚଶିକ୍ଷାର ବିକାଶ ଲାଗି ଆସିକା ପୌର ପରିଷଦ ଅଞ୍ଚଳରେ ସ୍ଥାପିତ ହୋଇଥିବା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟକୁ ୪୫ ବର୍ଷ ପୁରିଯାଇଥିଲା ବେଳେ ଯୁକ୍ତ ତିନି ବିଭାଗରେ ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମ ଏବଂ ଯୁକ୍ତ ଦୁଇ ବିଭାଗରେ ବାଣିଜ୍ୟ ପାଠ୍ୟକ୍ରମ ଖୋଲିବା ଦିଗରେ ଶିକ୍ଷାବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଯୋଗୁଁ ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଏ ସଂପର୍କରେ ଖବର ନେବାରେ ଜଣାଯାଏ ନାରୀଶିକ୍ଷାର ବିକାଶ ଲାଗି ୧୯୮୦ ମସିହା ସେପ୍ଟେମ୍ବର ମାସ ୬ତାରିଖରେ ସ୍ଥାପିତ ହୋଇଥିବା ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟକୁ ୧୯୯୩ ମସିହା ଫେବୃଆରୀ ମାସ ୧ ତାରିଖରେ ରାଜ୍ୟ ସରକାର ନିଜ ଅଧିନକୁ ନେଇଥିଲେ । ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ହୋଇଆସୁଥିବା ଏହି ପୁରାତନ ଶିକ୍ଷାନୁଷ୍ଠାନରେ ଯୁକ୍ତତିନି ପାଠ୍ୟକ୍ରମରେ ବିଜ୍ଞାନ ଓ ବାଣିଜ୍ୟ ବିଷୟ ଏବଂ ଯୁକ୍ତଦୁଇ ପାଠ୍ୟକ୍ରମରେ ବାଣିଜ୍ୟ ବିଷୟ ଖୋଲିବା ଲାଗି ଶିକ୍ଷା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଆସିକା ସରକାରୀ ନିରଞ୍ଜନ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧିକାଂଶ ପାଠ୍ୟକ୍ରମରେ ସ୍ଥାୟୀ ଅଧ୍ୟାପକ ପଦବୀ ଖାଲି ପଡିଥିଲା ବେଳେ ଅତିଥି ଅଧ୍ୟାପକ ମାନଙ୍କୁ କେତେକ ବିଷୟରେ ନିଯୁକ୍ତି ଦିଆଯାଇ ଶିକ୍ଷାଦାନ କରାଯାଉଥିଲେ ମଧ୍ୟ ପରୀକ୍ଷା ଫଳ ସନ୍ତୋଷଜନକ ହେଉଥିବା ସାଧାରଣରେ ଆଲୋଚିତ ହେଉଛି । ଆସିକା ସହରର କେନ୍ଦ୍ସ୍ଥଳରେ ସ୍ଥପିତ ହୋଇଥିବା ନିରଞ୍ଜନ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ନିରଞ୍ଜନ ସରକାରୀ ମହିଳା ସ୍ନାତକ ମହାବିଦ୍ୟାଳୟରେ ଉତ୍ତମ ଶୈକ୍ଷିକ ବାତାବରଣ ଥିବାରୁ ବିଭିନ୍ନ ଅଞ୍ଚଳରୁ ଛାତ୍ରୀମାନେ ଏହି ପୁରାତନ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଆସିକା ସହରରେ ଥିବା ୪୫ ବର୍ଷର ଅତି ପୁରୁଣା ନିରଞ୍ଜନ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନିରଞ୍ଜନ ପଟ୍ଟନାୟକଙ୍କ ନାମରେ ୧୯୮୦ ମସିହାରେ ଏହି ଶିକ୍ଷାନୁଷ୍ଠାନ ସ୍ଥାପିତ ହୋଇଥିଲା । ଦୀର୍ଘ ବର୍ଷ ହେଲା ଏହି ପୁରାତନ ମହିଳା ମହାବିଦ୍ୟାଳୟରେ ଯୁକ୍ତ ତିନି ପାଠ୍ୟକ୍ରମରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଏବଂ ଯୁକ୍ତ ଦୁଇ ପାଠ୍ୟକ୍ରମରେ ବାଣିଜ୍ୟ ବିଭାଗ ଖୋଲିପାରିନଥିବା ଯୋଗୁଁ ଆଗ୍ରହୀ ଛାତ୍ରୀମାନେ ନାମଲେଖାରୁ ବଞ୍ଚିତ ଆସୁଥିବା ଅଭିଯୋଗ ହେଉଛି । ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଶହ ଶହ ଛାତ୍ରୀ ନିର୍ଭର କରୁଛନ୍ତି । କିନ୍ତୁ ଏହି ପୁରାତନ ମହିଳା ମହାବିଦ୍ୟାଳୟର ଭାଗ୍ୟ କେବେ ବଦଳିବ ଓ ଅନ୍ୟାନ୍ୟ ବିଷୟରେ ପାଠ୍ୟକ୍ରମ ଖୋଲିବ ତାହା ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟରୁ ନାକ୍ ମାନ୍ୟତାରୁ ବଞ୍ଚିତ ହୋଇଥିଲା ବେଳେ ଯୁକ୍ତତିନି କଳା ପାଠ୍ୟକ୍ରମରେ ଅର୍ଥଶାସ୍ତ୍ର, ଶିକ୍ଷା, ଗୃହବିଜ୍ଞାନ, ଇତିହାସ, ଭୂଗୋଳ, ରାଜନୀତି ବିଜ୍ଞାନ, ଓଡିଆ, ଇଂରାଜୀ, ସମାଜ ବିଜ୍ଞାନ, ତର୍କଶାସ୍ତ୍ର, ମନସ୍ତତ୍ତ୍ୱବିଜ୍ଞାନ ଆଦି ୧୧ଟି ବିଷୟରେ ସମ୍ମାନ (ଅନର୍ସ) ଶିକ୍ଷାଦାନ ଦିଆଯାଉଛି । ଜିଲ୍ଲା ପ୍ରଶାସନ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ପୌର ପରିଷଦ ପରିସରଭୁକ୍ତ ଅଞ୍ଚଳରେ ସ୍ଥାପିତ ହୋଇଥିବା ସରକାରୀ ନିରଞ୍ଜନ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ନିରଞ୍ଜନ ସରକାରୀ ମହିଳା ସ୍ନାତକ ମହାବିଦ୍ୟାଳୟରେ ଖାଲି ପଡିଥିବା ସ୍ଥାୟୀ ଅଧ୍ୟାପକ ପଦବୀ ପୂରଣ ସାଙ୍ଗକୁ ଯୁକ୍ତ ତିନି ପାଠ୍ୟକ୍ରମରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଏବଂ ଯୁକ୍ତଦୁଇ ପାଠ୍ୟକ୍ରମରେ ବାଣିଜ୍ୟ ବିଭାଗ ଖୋଲିବା ସାଙ୍ଗକୁ ଅନ୍ୟାନ୍ୟ ସମସ୍ୟାର ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢମତ ପ୍ରକାଶ ପାଉଛି ।


