ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର
ଆସିକା (ୱାଇଏନ୍ଏସ୍): ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳୀ ଗ୍ରାମର ରଜାହର ପୋଖରୀ ନିକଟସ୍ଥ ବେଙ୍ଗେଇ ବନ୍ଧ ହୁଡା ନିକଟରୁ ଗୁରବାର ପୂର୍ବାହ୍ନରେ ଆସିକା ପୋଲିସ ରିତୁ ପ୍ରଧାନ (ବୟସ ପ୍ରାୟ ୩୭ ବର୍ଷ) ନାମକ ଜନୈକା ବିବାହିତା ମହିଳାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଥିବା ଜଣାପଡିଛି । ଏ ସଂପର୍କରେ ମିିଳିଥିବା ସୂଚନା ଅନୁଯାୟୀ ଖଣ୍ଡଦେଉଳୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେ.ନୁଆଗାଁ ଗ୍ରାମର ସୁରୀ ପାତ୍ରଙ୍କ କନ୍ୟା ରିତୁ ପ୍ରଧାନ ଗତ ପ୍ରାୟ ୧୦ ବର୍ଷ ତଳେ ଖଣ୍ଡଦେଉଳୀ ଗ୍ରାମର ଦକ୍ଷିଣପଟ ତଳସାହିର ଅନୁଜ ପ୍ରଧାନଙ୍କୁ ବିବାହ କରିଥିଲେ । ଗୁରବାର ପୂର୍ବାହ୍ନରେ ଖଣ୍ଡଦେଉଳୀ-ମହୁପଦର ଗ୍ରାମକୁ ଯିବା ପାଇଁ ଉଦ୍ଦିଷ୍ଟ ମୁଖ୍ୟରାସ୍ତା ପାଶ୍ୱର୍ରେ ଥିବା ବେଙ୍ଗେଇ ବନ୍ଧ ହୁଡା ନିକଟରେ ବିବାହିତା ମହିଳା ରିତୁ ପ୍ରଧାନଙ୍କ ମୃତଦେହ ପଡିଥିବା ସଂକ୍ରାନ୍ତରେ କୌଣସି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ ରଂଜନ ପ୍ରଧାନ ଓ ଥାନା ଅଧିକାରୀ ସୁଧିର କୁମାର ସାହୁଙ୍କ ନେତୃତ୍ୱରେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । କେଉଁ ପରିସ୍ଥିତିରେ ବିବାହିତା ମହିଳା ରିତୁ ପ୍ରଧାନଙ୍କ ସନ୍ଦେହଜନକ ମୃତ୍ୟୁ ନିଜ ଘର ନିକଟରୁ ପ୍ରାୟ କିଛି ଦୂରରେ ଥିବା ବେଙ୍ଗେଇ ବନ୍ଧ ହୁଡା ନିକଟରେ ହେଲା ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ନାନା କଥା ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ତେବେ ବିବାହିତା ମହିଳା ରିତୁ ପ୍ରଧାନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ । ଘଟଣା ସଂକ୍ରାନ୍ତରେ ଆସିକା ଥାନାରେ ୧୭/୨୦୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ବୋଲି ଆସିକା ଥାନା ଅଧିକାରୀ ସୁଧିର କୁମାର ସାହୁ ସୂଚନା ଦେଇଛନ୍ତି ।


