ଜଳସମ୍ପଦ ବିଭାଗରେ ମହା ଘୋଟାଲା: ଚିଠାରେ ଚିଠାରେ ଚାଲିଛି କୋଟି କୋଟି ଟଙ୍କାର କାମ
ହାଟଡିହି, (ଓ୍ବାଇଏନଏସ) : କେନ୍ଦୁଝର ଜିଲା ହାଟଡିହି ବ୍ଲକ ବିଦ୍ୟାଧରପୁର ଜଳ ସମ୍ପଦ ଡିଭିଜନରେ ଏବେ ଚାଲିଛି ମହା ଘୋଟାଲା। କୋଟି କୋଟି ଟଙ୍କାର କାମକୁ ଚିଠା ମାଧ୍ୟମରେ ଶହ ଶହ ଲୋକଙ୍କୁ ଭାଗ ଭାଗ କରି ବାଣ୍ଟି ଦିଆଯାଇଛି। କିଏ ୨ /୩ ଟା କାମ ହାତେଇ ଥିବା ବେଳେ ଆଉ କିଏ ୫/୭ ଟି କାମ ହାତେଇଛନ୍ତି। ଏପରିକି ଅନାବଶ୍ୟକ ସ୍ଥଳରେ ଅଧିକାଂଶ କାମ ହେଉଥିବାରୁ କୋଟି କୋଟି ଟଙ୍କା ପାଣିରେ ପଡିବା ସାର ହେଉଛି। କେନାଲ ନିର୍ମାଣ ହେବାର କେଉଁଠି ଗାର୍ଡ ୱାଲ କରା ଯାଉଛି ତ ଆଉ କେଉଁଠି ପ୍ଳାଷ୍ଟର ଘଷି ବିଲ୍ କରିବାକୁ ମସୁଧା ଚାଲିଛି। ହଦଗଡ଼ ଡ୍ୟାମ ସାଇଟ ରେ ୩୦ରୁ ଉର୍ଦ୍ଧ ପ୍ରକଳ୍ପର କାମ ଚାଲିଥିବା ବେଳେ ଡାହାଣ ପାର୍ଶ୍ଵ କେନାଲ ରେ ୫୦ରୁ ଉର୍ଦ୍ଧ କାମ ଚାଲିଛି। ଆହୁରି ୫୦ ରୁ ଉର୍ଦ୍ଧ ଚିଠାର ଏସ୍ଟିମେଟ ଓ ଏଗ୍ରିମେଣ୍ଟ କାମ ଚାଲିଛି। ପ୍ରତିବର୍ଷ ମାର୍ଚ୍ଚ ମାସରେ ଏହି ଚିଠା ମାଧ୍ୟମରେ କୋଟି କୋଟି ଟଙ୍କା ବଣ୍ଟା ଯାଇଥାଏ। ବିଶେଷ କରି ଦଳୀୟ କର୍ମୀ ମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ଚିଠା ଦିଆ ଯାଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ ବିଷୟ ଯେ ଡାହାଣ ପାର୍ଶ୍ୱ କେନାଲରେ ଚାଲିଥିବା କୋଟି କୋଟି ଟଙ୍କାର ଉନ୍ନୟନ କାର୍ଯ୍ୟକୁ ତଦାରଖ କରିବାକୁ କେହି ନ ଥୂବାବେଳେ ଠିକାଦାରମାନେ ନିଜ ଇଚ୍ଛାରେ କାର୍ଯ୍ୟ କରୁଛନ୍ତି । ବିଭାଗୀୟ ଯନ୍ତ୍ରୀଙ୍କ ବଦଳି ହୋଇଯାଇଥିବା ବେଳେ କାର୍ଯ୍ୟକୁ କେହି ତଦାରଖ କରୁ ନ ଥିବା ବେଳେ ବଦଳି ହୋଇଥିବା ଯନ୍ତ୍ରୀ ଚାଲିଥିବା ଉନ୍ନୟନ କାର୍ଯ୍ୟକୁ ପିଛିଲା ତାରିଖ ପକାଇ ବିଲ୍ କରିବା ପାଇଁ ମସୁଧା କରୁଥିବା ଜଣାପଡିଛି। ବିଦ୍ୟାଧରପୁର ଜଳ ସମ୍ପଦ ଡିଭିଜନର ଅଧୂକାରୀ ମାନେ ତିନି ରାଜନୈତିକ ଦଳକୁ ଖୁସି କରିବା ପାଇଁ କୋଟି କୋଟି ଟଙ୍କାର ଉନ୍ନୟନ କାର୍ଯ୍ୟକୁ ବିନା ଟେଣ୍ଡରରେ ପ୍ରଦାନ କରାଯାଇଛି। ପ୍ରତ୍ୟେକ କାର୍ଯ୍ୟକୁ ୫ଲକ୍ଷ ଟଙ୍କା ଲେଖାଏ ଅନୁଦାନ ଯୋଗାଇ ଦିଆଯାଇଛି। ଏହି କାର୍ଯ୍ୟ ମଧ୍ୟରେ କେଉଁଠି ଢଳାଇ କାନ୍ଥ କରାଯାଉଛି ତ ଆଉ କେଉଁଠି ମରାମତି କରାଯାଉଛି। ଆଉ କେଉଁଠି ପୋଲର ଦୁଇ ପାର୍ଶ୍ବ ଢଳେଇ କରାଯାଉଛି ତ କେଉଠି କେନାଲ ପାର୍ଶ୍ଵରେ ସୁରକ୍ଷା ବନ୍ଧ କରାଯାଉଛି। ଏଥିପାଇଁ କନିଷ୍ଠ ଯନ୍ତ୍ରୀମାନେ ମୋଟା ଅଙ୍କର କମିଶନ ନେଇ ଏଷ୍ଟିମେଟ କରିଥିବା ଅଭିଯୋଗ ହୋଇଛି। ଆବଶ୍ୟକ ନଥିବା ସ୍ଥାନରେ କାର୍ଯ୍ୟ କରି ସରକାରୀ ଅନୁଦାନକୁ ଏହି ବିଭାଗ ମାଧ୍ୟମରେ ହଡପ କରିବାକୁ ଯୋଜନା କରାଯାଇଥିବା କୁହାଯାଉଛି। ଡାହାଣ ପାର୍ଶ୍ବ କେନାଲର ୩୦ରୁ ଉଦ୍ଧ ସ୍ଥାନରେ କାର୍ଯ୍ୟ ଚାଲିଛି। କେନାଲର ତଳ ମୁଣ୍ଡରେ ଥିବା ଚାଷୀମାନେ କେନାଲ ନିର୍ମାଣ ହେବା ଦିନଠାରୁ ପାଣି ପାଉ ନଥିବା ବେଳେ ସେମାନେ କିପରି ପାଣି ପାଇବେ ସେ କଥା ବିଭାଗ ଚିନ୍ତା କରୁନଥିବା ସ୍ଥଳେ ଅନାବଶ୍ୟକ ସ୍ଥାନରେ କାମ କରି କୋଟି କୋଟି ଟଙ୍କା ହରିଲୁଟ କରା ଯାଉଛି। ଏପରିକି ଗୋଟିଏ ଗୋଟିଏ ସ୍ଥାନରେ ପ୍ରତିବର୍ଷ ମରାମତି ନାମରେ ଲକ୍ଷ ଲକ୍ଷ ଖର୍ଚ୍ଚ କରାଯାଉଥିବା ଅଭିଯୋଗ ହେଉଛି। ଡାହାଣ ପାର୍ଶ୍ବ କେନାଲ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କର ଗତ ୨୦ ତାରିଖରେ ଓଏଲଆଇସି ବିଭାଗକୁ ବଦଳି ହୋଇଯାଇଛି। ବର୍ତ୍ତମାନ ଚାଲିଥିବା ନିର୍ମାଣ କାର୍ଯ୍ୟ ଗୁଡିକୁ ବଦଳି ହୋଇଯାଉଥିବା ଯନ୍ତ୍ରୀ ପିଛିଲା ତାରିଖରେ ବିଲ୍ କରିବେ ବୋଲି କାର୍ଯ୍ୟ କରୁଥିବା ଠିକାଦାର ମାନେ କହୁଥିବା ଶୁଣିବାକୁ ମିଳିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କାର୍ଯ୍ୟ ତଦାରଖ କରିବାକୁ କେହି ଆସୁନଥିବାବେଳେ ବଦଳି ହୋଇଯାଉଥିବା ଯନ୍ତ୍ରୀ ସେହି କାର୍ଯ୍ୟକୁ କିପରି ବିଲ କରିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି କ୍ଷେତ୍ରରେ କୋଟି କୋଟି ଟଙ୍କା କାର୍ଯ୍ୟ ଚାଲିଥିବାବେଳେ ବିଦ୍ୟାଧରପୁର ଅଧୀକ୍ଷଣ ଯନ୍ତ୍ରୀଙ୍କର ମଧ୍ୟ ବଦଳି ହୋଇଯାଇଛି। କୋଟି କୋଟି ଟଙ୍କାର କାର୍ଯ୍ୟ ଚାଲିଥିବା ବେଳେ ଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀଙ୍କର ବଦଳି ହୋଇଯାଇଥିବା ବେଳେ କେବଳ ଜଣେ ସହକାରୀ ଯନ୍ତ୍ରୀଙ୍କ ଭରସାରେ ଉନ୍ନୟନ କାର୍ଯ୍ୟ ଚାଲିଛି। ଏହାକୁ ନେଇ ବିଦ୍ୟାଧରପୁର ଜଳସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଭାଗ ଭାଗ କରି କାମ ବାଣ୍ଟି ଦେଇଛୁ। ବେକାର ଯୁବକ ମାନେ କାମ କରୁଛନ୍ତି। ଦଳୀୟ କର୍ମୀଙ୍କୁ ସନ୍ତୁଷ୍ଟ ପାଇଁ ଦିଆଯାଇଥିବା ଅଭିଯୋଗରେ ସେ କହିଛନ୍ତି କିଏ ଦଳର କଣ ତାଙ୍କ ଠାରେ ଷ୍ଟାମ୍ପ ବାଜିଛି କି ବୋଲି ଓଲଟା ପ୍ରଶ୍ନ କରିଛନ୍ତି। ସେହିପରି ନିମ୍ନ ମାନର କାମର ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଯଦି କେଉଁଠି ନିମ୍ନ ମାନର କାମ ହେଉଛି ବୋଲି ଦେଖୁଛ ତେବେ କାମ ବନ୍ଦ କରାଅ ବୋଲି କହିଛନ୍ତି। ସେହିପରି ସହକାରୀ ନିର୍ବାହୀ ଯନ୍ତ୍ରୀ କାଲୁ ଚରଣ ମରାଣ୍ଡିଙ୍କୁ ପଚାରିବାରେ ସେ କହିଛନ୍ତି ଯେ ମୋତେ ବିଦ୍ୟାଧରପୁରକୁ ଅତିରିକ୍ତ ଦାୟିତ୍ୱ ଦିଆ ଯାଇଛି। ଯେତିକି ସମୟ ପାଉଛି ମୁଁ ତଦାରଖ କରୁଛି, ତା ସହିତ ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟ ତଦାରଖ କରୁଛନ୍ତି ବୋଲି କହିଛନ୍ତି। କେନ୍ଦୁଝର ଜିଲ୍ଲାପାଳ ଓ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ଏଥିରେ ରୋକ ଲଗାଇବାକୁ ଦାବି ହେଉଛି।


