ରବି ଧାନ ଅଧିଗ୍ରହଣ ୯୦ ହଜାର କ୍ୱିଣ୍ଟାଲ ଟପିଲା
ନୂଆପଡ଼ା,(ଲିଲାମ୍ବର ନାଗ): ନୂଆପଡ଼ା ଜିଲ୍ଲାରେ ଚଳିତ ରବି ଧାନ ଅଧିଗ୍ରହଣ କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଛି। ଆଜି ଜିଲ୍ଲାର ୩୬ଟି ଧାନ କ୍ରୟ କେନ୍ଦ୍ର (ପିପିସି ) କାର୍ଯ୍ୟକ୍ଷମ ରହିଥିବା ବେଳେ ୪୦୦ ଜଣ ଚାଷୀଙ୍କଠାରୁ ମୋଟ ୨୦,୩୧୩ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଛି। ଚଳିତ ରବି ଧାନ କ୍ରୟ ଋତୁରେ ଏପର୍ଯ୍ୟନ୍ତ ମୋଟ ୯୦,୩୧୩.୯୦ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଥିବା ବେଳେ ୧,୭୪୫ ଜଣ ଚାଷୀ ସେମାନଙ୍କ ଉତ୍ପାଦିତ ଧାନ ବିକ୍ରୟ କରି ଏହାର ସୁବିଧା ଗ୍ରହଣ କରିଛନ୍ତି। ଚାଷୀମାନଙ୍କୁ ସୁବିଧାଜନକ ଏବଂ ସ୍ୱଚ୍ଛ ଧାନ କ୍ରୟ ସେବା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଧାନର ସୁରୁଖୁରୁରେ କ୍ରୟ, ପରିବହନ ଓ ଉଠାଣ ନିଶ୍ଚିତ କରିବା ସହିତ ଚାଷୀମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଧାନ କ୍ରୟ ପ୍ରକ୍ରିୟାର ନିୟମିତ ସମୀକ୍ଷା କରାଯାଉଥିବା ବେଳେ ଚାଷୀମାନଙ୍କୁ ନିର୍ଦ୍ଧାରିତ ସମୟରେ ମଣ୍ଡିରେ ଧାନ ଆଣିବା ପାଇଁ ଅନୁରୋଧ କରାଯାଇଛି।


