ଆଦର୍ଶ ଗ୍ରାମରେ ଜଳ ସଙ୍କଟ ଟୋପେ ପାଣି ପାଇଁ ଡହଳବିକଳ ଗ୍ରାମବାସୀ
ଉଦଳା,(ରାଜୀବ କୁମାର ବେହେରା): କପ୍ତିପଦା ବ୍ଲକ ଅଧୀନସ୍ଥ ଜେଏସ୍ ଜାମୁଢିଆ ଗ୍ରାମ ପଞ୍ଚାୟତର ମାଙ୍କିଡିଆ ସାହିର ଚିତ୍ର ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଦର୍ଶ ଗ୍ରାମର ମାନ୍ୟତା ପାଇଥିବା ଏହି ଅଞ୍ଚଳରେ ଆଜି ବି ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇଁ ସଂଘର୍ଷ କରୁଛନ୍ତି। ଟୋପେ ପାଣି ପାଇଁ ପାହାଡ ଚୁଆ ପାଣି ଏକ ମାତ୍ର ସାହା ଭରସା, ଅଞ୍ଚଳରେ ସ୍ଥାୟୀ ପାନୀୟ ଜଳ ବ୍ୟବସ୍ଥା ନାହିଁ। ବାରମ୍ବାର ସରପଞ୍ଚ ଓ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ମିଳୁଛି, କିନ୍ତୁ ସମସ୍ୟାର ସମାଧାନ ହେଉନାହିଁ। ଫଳରେ ଗ୍ରାମବାସୀ ପାହାଡ଼ ଓ ଜଙ୍ଗଲ ଘେରା ଅଞ୍ଚଳର ଚୁଆ ଓ ଝର ପାଣି ଉପରେ ନିର୍ଭର କରୁଛନ୍ତି। ଅପରିଷ୍କାର ଜଳ ବ୍ୟବହାର ଯୋଗୁଁ ବିଭିନ୍ନ ଜଳବାହିତ ରୋଗରେ ଗ୍ରାମବାସୀ ପୀଡ଼ିତ ହେଉଥିବା ଅଭିଯୋଗ ହୋଇଛି। ରାସ୍ତାଘାଟ ଓ ପାନୀୟ ଜଳ ପରି ମୌଳିକ ସୁବିଧାରୁ ବଞ୍ଚିତ ଏହି ଗ୍ରାମରେ ଜୀବନ ଦୁର୍ବିସହ ହୋଇପଡ଼ିଛି।ଯୋଜନା ପରେ ଯୋଜନା ଘୋଷଣା ହେଉଛି, କିନ୍ତୁ ମାଙ୍କିଡିଆ ସାହିର ଭାଗ୍ୟ ବଦଳୁନାହିଁ। ଏବେ ଗ୍ରାମବାସୀଙ୍କ ଦାବି, ଯୁଦ୍ଧକାଳୀନ ଭିତ୍ତିରେ ବିଶୁଦ୍ଧ ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦିଆଯାଉ।ପ୍ରଶାସନ ଓ ସରକାର ଏହି ଦୁର୍ଗମ ବସ୍ତିର ଦୁଃଖ ଦୂର କରିବା ପାଇଁ କେବେ ଠୋସ ପଦକ୍ଷେପ ନେଉଛନ୍ତି, ତାହା ଏବେ ଦେଖିବାକୁ ବାକି ରହିଲା।


