ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଶିଳାନ୍ୟାସ
ବାଲେଶ୍ୱର, (ସରୋଜ ପଣ୍ଡା): ଓଡ଼ିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼, ଆଧୁନିକ ଏବଂ ଶିଶୁ-ଅନୁକୂଳ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ମହତ୍ତ୍ଵାକାଂକ୍ଷୀ “ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା”ର ଦ୍ୱିତୀୟ ପର୍ଯ୍ୟାୟର ଶୁଭ ଶିଳାନ୍ୟାସ ଆଜି ସକାଳ ୧୧.୦୦ ଘଟିକାରେ ଖୋର୍ଦ୍ଧା ଜିଲ୍ଲାର କୁମାରବସ୍ତସ୍ଥିତ ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା କରାଯାଇଥିଲା।ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ରାଜ୍ୟର ବିଭିନ୍ନ ଜିଲ୍ଲା ସହ ସଂଯୋଗ ସ୍ଥାପନ କରିଥିଲେ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ସାମିଲ ହୋଇଥିବା ୨୦୪ଟି ପ୍ରାଥମିକ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବାଲେଶ୍ୱର ଜିଲ୍ଲାର ଗେଙ୍ଗୁଟି ଉପ୍ରା ବିଦ୍ୟାଳୟରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ବାଲେଶ୍ୱର ଲୋକସଭା କ୍ଷେତ୍ରର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସରକାରୀ ଦଳର ଉପ ମୁଖ୍ୟ ସଚେତକ ତଥା ମାନ୍ୟବର ରେମୁଣା ବିଧାୟକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ, ମାନ୍ୟବର ସଭାପତି, ବାଲେଶ୍ୱର ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ, ଉପ ଜିଲ୍ଲାପାଳ, ବାଲେଶ୍ୱର ଶ୍ରୀଯୁକ୍ତ ଶିବ ମାଲବ୍ୟ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ମଞ୍ଜୁଲତା ଆଚାର୍ଯ୍ୟ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଏହି ଐତିହାସିକ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ସାମିଲ ହୋଇଥିଲେ। ଏହି ସମୟରେ ଉକ୍ତ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର ଶ୍ରୀ ଆୟୁଷ କୁମାର ଘୋଡ଼ାଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ କଥା ବାର୍ତ୍ତା ହୋଇଥିଲେ । ବାଲେଶ୍ୱର ଜିଲ୍ଲାର ମୋଟ ୧୨ ଗୋଟି ବିଦ୍ୟାଳୟର ମୁଖ୍ୟମନ୍ତ୍ରୀ ଶୁଭ ଶିଳାନ୍ୟାସ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ବିଦ୍ୟାଳୟଗୁଡ଼ିକରେ ଉନ୍ନତ ଶିକ୍ଷା ପରିବେଶ, ଆଧୁନିକ ଶ୍ରେଣୀଗୃହ, ସ୍ମାର୍ଟ ଶିକ୍ଷଣ ବ୍ୟବସ୍ଥା, ପୁସ୍ତକାଳୟ, କ୍ରୀଡ଼ା ସୁବିଧା, ସୁରକ୍ଷିତ ପାନୀୟ ଜଳ ଏବଂ ସ୍ୱଚ୍ଛ ପରିମଳ ବ୍ୟବସ୍ଥା ଉପଲବ୍ଧ କରାଯିବ।


