ଓପିଏସ୍‌ସି ପରୀକ୍ଷାରେ କପି : ପରୀକ୍ଷାର୍ଥୀଙ୍କ ସମେତ କପି ଯୋଗାଉଥିବା ଯୁବକ ଗିରଫ

କଟକ, (ଓ୍ବାଇଏନଏସ) : ଓପିଏସ୍‌ସି ପରୀକ୍ଷାରେ କପି କରି ଗିରଫ ହେଲେ ପରୀକ୍ଷାର୍ଥୀ ଏବଂ କପି ଯୋଗାଉଥିବା ଯୁବକ । ଓପିଏସସି ଭଳି ପରୀକ୍ଷାରେ କପି କରିବା କଥା ଶୁଣିଥିବେ, ମାତ୍ର କପି କରିବାର କୌଶଳ ଶୁଣିଲେ ଆପଣ ହୋଇଯିବେ ତାଜୁବ । କାରଣ କପି କରିବା ତରିକା ଥିଲା ପୂରା ଫିଲ୍ମ ଷ୍ଟାଇଲ୍‌ ଭଳି । ପରୀକ୍ଷାର୍ଥୀଙ୍କ ପ୍ୟାଣ୍ଟ ଭିତରେ ଥିଲା ଫୋନ୍ । କାନରେ ଥିଲା ଇୟର୍‌ବଡ୍ । ଫୋନ୍ କଲ୍‌ରେ ଡକାଯାଉଥିଲା ପ୍ରଶ୍ନ। ଆଉ ପ୍ରଶ୍ନ ଶୁଣି ଗୁଗୁଲ୍ ସର୍ଚ୍ଚ କରି ସେଣ୍ଟର ବାହାରେ ୩ ଯୁବକ ଦେଉଥିଲେ ତମାମ ଉତ୍ତର । ପୂରା ବଲିଉଡ୍ ଫିଲ୍ମ ଢାଞ୍ଚାରେ ଓଡ଼ିଶା ପ୍ରଶାସନିକ ସେବା (ଓପିଏସ୍‌ସି) ପରୀକ୍ଷାରେ କରାଯାଉଥିଲା କପି । ହଠାତ୍ ସ୍କ୍ବାଡ୍ ପଶି ଯାଞ୍ଚ୍ କରିବାରୁ ଧରାପଡ଼ିଗଲେ ପରୀକ୍ଷାର୍ଥୀ ଅଭିଷେକ ରାଉତ । ତୁରନ୍ତ ସେଣ୍ଟରରୁ ବାହାର କରି ମର୍କତନଗର ଥାନା ପୋଲିସ ଜିମା ଦିଆଗଲା ସଂପୃକ୍ତ ପରୀକ୍ଷାର୍ଥୀଙ୍କୁ । ଅନ୍ୟପଟେ ପରୀକ୍ଷା ସମୟରେ ଅଭିଷେକଙ୍କୁ କପି ଯୋଗାଉ ଥିବା ରୂପେଶ ଝା, ଆଲେକ୍ସ ରାଜ ପାଣି ଓ ସୌମ୍ୟ ରଞ୍ଜନ ସାହୁଙ୍କୁ ଗିରଫ କରିଛି କଟକ କମିଶନରେଟ ପୋଲିସ । କପି କରିବାରେ ସହଯୋଗ କରୁଥିବା କାରଣ ରୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଜୋନ୍-୨ ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କ ସୂଚନା ମୁତାବକ ମର୍କତନଗର ଥାନା ଅନ୍ତର୍ଗତ ABIT ଇଂଜିନିୟରିଂ କଲେଜରେ ଓପିଏସ୍‌ସି ସେଣ୍ଟର୍‌ ହୋଇଥିଲା । ଉକ୍ତ ସେଣ୍ଟରରେ ଶତାଧିକ ଆଶାୟୀ ପରୀକ୍ଷା ଦେଉଥିଲେ । ସେମାନଙ୍କ ମଧ୍ୟରେ ଅଭିଷେକ ମଧ୍ୟ ପରୀକ୍ଷା ଦେଉଥିଲେ । ଗତକାଲି ପରୀକ୍ଷା କିଛି ସମୟ ଚାଲିବା ପରେ ହଠାତ୍ ସେଣ୍ଟର ମଧ୍ୟକୁ ସ୍କ୍ବାଡ୍ ଆସି ତଦାରଖ କରିଥିଲେ । ଇତିମଧ୍ୟରେ ଗତିବିଧି ନେଇ ସ୍କ୍ବାଡ୍‌ର ସନ୍ଦେହ ହୋଇଥିଲା । ତେଣୁ ସ୍କ୍ବାଡ୍ ସେଠାରେ ଯାଞ୍ଚ୍ କରିବାରୁ ଯୁବକଙ୍କ କାନ ତଳୁ ଏକ ଇୟର୍ ବଡ୍ ଓ ପ୍ୟାଣ୍ଟ ମଧ୍ୟରୁ ଏକ ସ୍ମାର୍ଟଫୋନ୍ ମିଳିଥିଲା । ଏହି ସମୟରେ ଏକ କଲ୍ ଚାଲିଥାଏ । ଜଣେ ଯୁବକଙ୍କ ସହିତ କଲ୍ କନେକଟେଡ୍‌ ରହିଥାଏ । ସ୍କ୍ବାଡ୍ ସଦସ୍ୟ ତୁରନ୍ତ ଭକ୍ତ ଯୁବକଙ୍କୁ ସେଣ୍ଟରରୁ କାଢ଼ିଦେଇ ପୋଲିସ ଜିମା ଦେଇଥିଲେ । ଏହାପରେ ପୋଲିସ ନମ୍ବରକୁ ଟ୍ରାକ କରି ଅନ୍ୟ ସମ୍ପୃକ୍ତ ଯୁବକଙ୍କୁ ଧରିଥିଲା । ଦୁଇ ଯୁବକଙ୍କୁ ଥାନାକୁ ନେଇ ଜେରା କରିବା ପରେ ସଂପୂର୍ଣ୍ଣ ଘଟଣାର ପର୍ଦ୍ଦାଫାସ କରିଥିଲା ପୋଲିସ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ