ଦୁଇ ଶିକ୍ଷକଙ୍କ ବଦଳି ପରେ ଛାତ୍ରଛାତ୍ରୀଙ୍କ ପାଠପଢା ନେଇ ଚିନ୍ତାରେ ଅଭିଭାବକ!

ଆସିକା  (ୱାଇଏମ୍‍ଏସ୍‍): ଆସିକା ପୌର ପରିଷଦ ଅନ୍ତର୍ଗତ ଶତାୟୁ ପୁରାତନ ପିଏମ୍‍ଶ୍ରୀ ହରିହର ହାଇସ୍କୁଲରେ କାର୍ଯ୍ୟରତ ଥିବା ଦୁଇ ଜଣ କଳା ଶିକ୍ଷକଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ଗତ କିଛି ଦିନ ତଳେ ପଦୋନ୍ନତି ଦିଆଯାଇ ଅନ୍ୟତ୍ର ବଦଳି କରାଯାଇଥିବା ଜଣାପଡିଛି । ଅପରପକ୍ଷରେ ଗତ କିଛି ମାସ ତଳେ ଆସିକା ପିଏମ୍‍ଶ୍ରୀ ହରିହର ହାଇସ୍କୁଲରେ କାର୍ଯ୍ୟରତ ଅନ୍ୟ ୨ ଜଣ ଶିକ୍ଷୟିତ୍ରୀଙ୍କୁ ଡେପୁଟେସନ୍‍ରେ ସପ୍ତାହକୁ ୩ ଦିନ ଅନ୍ୟ ବିଦ୍ୟାଳୟକୁ ପଠାଯାଇଥିବା ଯୋଗୁଁ ବିଦ୍ୟାର୍ଥୀଙ୍କ ପାଠପଢା ନେଇ ବହୁ ଅଭିଭାବକ ଚିନ୍ତିତ ହୋଇପଡିଥିବା ଦେଖିବାକୁ ମିଳୁଛି । ଦୀର୍ଘ ବର୍ଷ ଧରି ଶହ ଶହ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଗଠନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିବା ଏହି ଶତାୟୁ ପୁରାତନ ଆସିକା ପିଏମ୍‍ଶ୍ରୀ ହାଇସ୍କୁଲରେ ଦୀର୍ଘ ଦିନ ଧରି ସ୍ଥାୟୀ ପ୍ରଧାନଶିକ୍ଷକ ପଦବୀ ଖାଲିପଡିଥିଲେ ମଧ୍ୟ ତାହାକୁ ପୂରଣ କରିବା ଦିଗରେ ଶିକ୍ଷା ବିଭାଗର ନୀରବତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ପୌର ପରିଷଦ ଅଧୀନସ୍ଥ ଶତାୟୁ ପୁରାତନ ପିଏମ୍‍ଶ୍ରୀ ହରିହର ହାଇସ୍କୁଲରେ ଗତ ୨୦୨୫ ମସିହା ଜୁଲାଇ ମାସରୁ ସ୍ଥାୟୀ ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଥିଲା ବେଳେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରୂପେ ଶିକ୍ଷାନୁଷ୍ଠାନର କଳା ଶିକ୍ଷକ ରମାକାନ୍ତ ମହାନ୍ତି ଦାୟିତ୍ୱରେ ରହି ପିଲାଙ୍କୁ ପାଠ ପଢାଇବା ସାଙ୍ଗକୁ ଅନ୍ୟାନ୍ୟ ଦୈନନ୍ଦିନ କାର୍ଯ୍ୟ ମଧ୍ୟ ସୁପରିଚାଳନା କରୁଥିଲେ । ତେବେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତିଙ୍କୁ ପଦୋନ୍ନତି ଦିଆଯାଇ ଶେରଗଡ ବ୍ଳକ ଅଧୀନସ୍ଥ ଧନନ୍ତର ନାଥେଶ୍ୱର ହାଇସ୍କୁଲକୁ ବଦଳି କରାଯିବା ପରେ ସେ ରିଲିଭ୍‍ ହୋଇ ନିଜର ନୂତନ କର୍ମକ୍ଷେତ୍ରରେ ଯୋଗଦେଇସାରିଥିବା ଜଣାପଡିଛି । ସେହିପରି ଶିକ୍ଷାନୁଷ୍ଠାନର ଅନ୍ୟତମ ଆଦର୍ଶ କଳା ଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ଇତିମଧ୍ୟରେ ପଦୋନ୍ନତି ଦିଆଯାଇ ଦେବଭୂମୀ ଗ୍ରାମ ପଞ୍ଚାୟତର ପିଏମ୍‍ଶ୍ରୀ ହାଇସ୍କୁଲର ପ୍ରଧାନଶିକ୍ଷକ ରୂପେ ବଦଳି କରାଯାଇଥିବା ଜଣାପଡିଛି । ଆସିକା ଅଞ୍ଚଳର ଶତାୟୁ ପୁରାତନ ପିଏମ୍‍ଶ୍ରୀ ହରିହର ହାଇସ୍କୁଲରେ ଖାଲି ପଡିଥିବା ସ୍ଥାୟୀ ପ୍ରଧାନଶିକ୍ଷକ ପଦବୀ ପୂରଣ କରିବା ଦିଗରେ ଶିକ୍ଷାବିଭାଗ କର୍ତ୍ତୃପକ୍ଷଙ୍କ କେବେ ଦୃଷ୍ଟି ପଡିବ ତାହାକୁ ସ୍ଥାନୀୟ ଅଞ୍ଚଳବାସୀ ଅପେକ୍ଷା କରିବସିଥିବା ଦେଖିବାକୁ ମିଳୁଛି । ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସୃଷ୍ଟି କରିବା ଦିଗରେ ଆସିକା ପିଏମ୍‍ଶ୍ରୀ ହରିହର ହାଇସ୍କୁଲ ଏକ ଅନନ୍ୟ ଶିକ୍ଷାନୁଷ୍ଠାନ ରୂପେ ପରିଚିତ ଥିବା ବେଳେ ଏହି ପୁରାତନ ଶିକ୍ଷାନୁଷ୍ଠାନରେ ଲାଗିରହିଥିବା ବହୁବିଧ ସମସ୍ୟାକୁ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ନେଇ ବହୁ ଅଭିଭାବକ ଚିନ୍ତାରେ ପଡିଯାଇଥିବା ଦେଖିବାକୁ ମିଳୁଛି । ୧୯୧୭ ମସିହାରେ ସ୍ଥାପିତ ହୋଇଥିବା ଆସିକା ଅଞ୍ଚଳର ଶତାୟୁ ପୁରାତନ ପିଏମ୍‍ଶ୍ରୀ ହରିହର ହାଇସ୍କୁଲ ସଂପ୍ରତି ନାନା ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ଅଭିଯୋଗ ହେଉଛି । ବର୍ଷ ବର୍ଷ ଧରି ଏହି ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଶିକ୍ଷକମାନଙ୍କ ଉନ୍ନତମାନର ଶିକ୍ଷାଦାନ ଶୈଳୀ ଯୋଗୁଁ ବହୁ ମେଧାବୀ ଛାତ୍ରଛାତ୍ରୀ ପାସ୍‍ ହୋଇ ରାଜ୍ୟ ଓ ରାଜ୍ୟ ବାହାରେ କାମ କରୁଥିବା ଜଣାପଡିଛି । ୨୦୨୬-୨୭ ଶିକ୍ଷାବର୍ଷରେ ଆସିକା ପିଏମ୍‍ଶ୍ରୀ ହରିହର ହାଇସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀରେ ପ୍ରାୟ ୩୮୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ଜଣାପଡିଛି । ଏହି ପୁରାତନ ଶିକ୍ଷାନୁଷ୍ଠାନରେ ସ୍ଥାୟୀ ପ୍ରଧାନଶିକ୍ଷକଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଶୈକ୍ଷିକ ସମସ୍ୟା ଲାଗି ରହିଥିବା ଅଭିଯୋଗ ହେଉଛି । ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଅଭିମୁଖେ ଆସିବା ଲାଗି ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସାଙ୍ଗକୁ ଶିକ୍ଷାନୁଷ୍ଠାନ ଗୁଡିକର ଭିତ୍ତିଭୂମୀକୁ ସୁଦୃଢ କରିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟ କରୁଥିବା ଦେଖିବାକୁ ମିଳୁଛି । ତେବେ ଶିକ୍ଷାବିଭାଗର ଆନ୍ତରିକତାର ଅଭାବ ଓ ଉଦାସୀନ ମନୋବୃତ୍ତି ଯୋଗୁଁ ଆସିକା ସହରର ଶତାୟୁ ପୁରାତନ ପିଏମ୍‍ଶ୍ରୀ ହରିହର ହାଇସ୍କୁଲରେ ସରକାରୀ ଯୋଜନା ବାଟବଣା ହେବାରେ ଲାଗିଛି ବୋଲି ଚର୍ଚ୍ଚା ହେଉଛି । ୧୯୧୭ ମସିହାରେ ସ୍ଥାପିତ ହୋଇଥିବା ଆସିକା ହରିହର ହାଇସ୍କୁଲକୁ ଇତିମଧ୍ୟରେ ୧୦୯ ବର୍ଷ ବିତି ଯାଇଥିଲା ବେଳେ ୨୦୨୬-୨୭ ଶିକ୍ଷାବର୍ଷରେ ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀରେ ପ୍ରାୟ ୩୮୦ ଜଣ ବିଦ୍ୟାର୍ଥୀ ପାଠ ପଢୁଥିଲା ବେଳେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଉତ୍ତମ ଶିକ୍ଷାଦାନ ପ୍ରଣାଳୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ବେଶ୍‍ ସହାୟକ ହୋଇପାରୁଛି । ଆସିକା ହରିହର ହାଇସ୍କୁଲରୁ ଅତୀତରେ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଭି.ଭି.ଗିରିଙ୍କ ସମେତ ପୂର୍ବତନ ସାଂସଦ ସ୍ୱର୍ଗତ ଜୟନ୍ତୀ ପଟ୍ଟନାୟକ, ଡାକ୍ତର ସ୍ୱର୍ଗତ ପି.ତେଜେଶ୍ୱର ରାଓ, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ହରିହର ସ୍ୱାଇଁ, ପୂର୍ବତନ ସାଂସଦ ରାମଚନ୍ଦ୍ର ରଥ, ଜଷ୍ଟିସ୍‍ ବାସୁଦେବ ପାଣିଗ୍ରାହୀ, ଜାହାଜ କମ୍ପାନୀର ଅନ୍ୟତମ ମାଲିକ ସ୍ୱର୍ଗତ ଧରମତେଜା, ପୂର୍ବତନ ବିିଧାୟକ ଦେବରାଜ ମହାନ୍ତି, ବ୍ରିଗେଡଡିୟେର୍‍ ଅଭିମନ୍ୟୁ ରାଉତ, ଡାକ୍ତର ଶ୍ୟାମଘନ ବିଶ୍ୱାଳ, ବରିଷ୍ଠ ଆଇନଜୀବୀ ଭାସ୍କର ସ୍ୱାଇଁ, ଆସିକା ନଗର ବିଜେଡି ସଭାପତି ଏମ୍‍.ତାରିଣୀ ସେନାପତିଙ୍କ ସମେତ ବହୁ ଛାତ୍ର ପାଠ ପଢି ରାଜ୍ୟ ଓ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ନଜିର୍‍ ରହିଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ପିଏମ୍‍ଶ୍ରୀ ହରିହର ହାଇସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ଖାଲି ପଡିଥିବା ସ୍ଥାୟୀ ପ୍ରଧାନଶିକ୍ଷକ ପଦବୀ ପୂରଣ ସାଙ୍ଗକୁ ଅନ୍ୟାନ୍ୟ ସମସ୍ୟାର ସମାଧାନ କରି ଶୈକ୍ଷିକ ବାତାବରଣକୁ ଉଜ୍ଜିବୀତ କରି ରଖିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ