କାଳବୈଶାଖୀ ଭାଙ୍ଗିଦେଲା ଯୁବଉଦ୍ୟୋଗୀଙ୍କ ଆର୍ଥିକ ମେରୁଦଣ୍ଡ: ରଣ ପରିଶୋଧ ଚିନ୍ତାରେ ଜ୍ୟୋତିର୍ମୟୀ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କାଳବୈଶାଖୀ ଭାଙ୍ଗିଦେରଇଛି ଜଣେ ମହିଳା ଯୁବ ଉଦ୍ୟୋଗୀଙ୍କ ଆର୍ଥିକ ମେରୁଦଣ୍ଡ। ମହିଳାଙ୍କ ସ୍ୱାମୀ ଭିନ୍ନକ୍ଷମ ହୋଇଥିବା ବେଳେ ସେ ଋଣ କରି ଏକ ପାଣି ବୋତଲ ଉଦ୍ୟୋଗ ଖୋଲିଥିଲେ। ସେଥିରୁ ଯାହା ରୋଜଗାର ହେଉଥିଲା ସେଥିରେ ସ୍ୱାମୀଙ୍କ ଚିକିତ୍ସା ଓ ପରିବାର ପ୍ରତିପୋଷଣ କରୁଥିଲେ। ଏହିପରି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା କେନ୍ଦ୍ରାପଡା ବ୍ଲକର କୁତୁରଙ୍ଗ ଗ୍ରାମପଞ୍ଚାୟତର ବିଷ୍ଣୁଦାସପୁର ଗ୍ରାମରେ। ଅନୁସନ୍ଧାନରୁ ଜଣାପଡିଛି ବିଷ୍ଣୁଦାସପୁର ଗ୍ରାମର ଜ୍ୟୋତିର୍ମୟୀ ସେନାପତିଙ୍କ ସ୍ୱାମୀ ସତ୍ୟରଞ୍ଜନ ସେନାପତି ଜଣେ ଭିନ୍ନକ୍ଷମ ବ୍ୟକ୍ତି। ପରିବାର ପ୍ରତିପୋଷଣ କରିବା ପାଇଁ ସତ୍ୟରଞ୍ଜନଙ୍କ ପାଇଁ କଷ୍ଟସାଧ୍ୟ ହେଲା। ତେଣୁ ପରିବାରର ବୋଝ ମୁଣ୍ଡାଇବା ପାଇଁ ଅଣ୍ଟାଭିଡିଲେ ପତ୍ନୀ ଜ୍ୟୋତିର୍ମୟୀ। ଗତ ୪ମାସ ତଳେ ଏନେଇ ଜ୍ୟୋତିର୍ମୟୀ ଦେଢକୋଟି ଟଙ୍କାର ଋଣ ବ୍ୟାଙ୍କରୁ ଆଣିଥିଲେ। ଏହି ଟଙ୍କାରେ ସେ ବିଷ୍ଣୁଦାସପୁର ଗ୍ରାମରେ ପୂର୍ଣ୍ଣବାସୀ ବିଭରେଜ ୱାଟର ପ୍ଲାଣ୍ଟନାମରେ ଏକ ଉଦ୍ୟୋଗ ସ୍ଥାପନ କରିଥିଲେ। ଏଥିରୁ ଦୈନିକ ୧୦ହଜାର ଲିଟର ବିଶୁଦ୍ଧ ପାନୀୟ ଜଳ ଅମଳ ହେଉଥିଲା। ଏଥିରେ ୨୦ଜଣ କର୍ମଚାରୀ ନିଯୁକ୍ତି ହୋଇଥିଲେ। ଏହି ଉଦ୍ୟୋଗରୁ ଯାହା ଲାଭାଂଶ ମିଳୁଥିଲା ସେଥିରୁ ଜ୍ୟୋତିର୍ମୟୀ ବ୍ୟବସାୟକୁ ଚାଲୁରଖିବା ସହ ୨୦ଟି ପରିବାର ପାଇଁ ଦାନା ଯୋଗାଡ କରିପାରୁଥିଲେ। ଆଉ କିଛି ଦିନ ଯାଇଥିଲେ ଜ୍ୟୋତିର୍ମୟୀ ବ୍ୟାଙ୍କ ଋଣ ପରିଶୋଧ କରିବା ପାଇଁ ସକ୍ଷମ ହୋଇଥାନ୍ତେ। କିନ୍ତୁ ଅସମୟରେ ଚଡକ ପଡିବା ସଦୃଶ ଗତ ୮ତାରିଖରେ କାଳବୈଶାଖୀ ତାହାର କରାଳରୂପ ଦେଖାଇଥିଲା। ଏହାଦ୍ୱାରା ଜ୍ୟୋତିର୍ମୟୀଙ୍କ ପ୍ଲାଣ୍ଟ ସମ୍ପୂର୍ଣ୍ଣ ଉଡିଯାଇଥିଲା। ମେସିନାରୀ ଓ ଯନ୍ତ୍ରପାତି ସବୁ ଭାଙ୍ଗିରୁଜି ଛାରଖାର ହୋଇଯାଇଥିଲା। ପବନର ବେଗ ଏତେ ତୀବ୍ର ଥିଲା ଯେ ଦସ୍ତାରେ ନିର୍ମିତ ପ୍ଲାଣ୍ଟର ଛାତକୁ କାନ୍ଥରୁ ଉପାଡି ୫ଶହ ମିଟର ଦୂରକୁ ଉଡାଇ ନେଇଥିଲା। ଏହା ଦେଖି ହତବାକ ହୋଇଯାଇଥିଲେ ଜ୍ୟୋତିର୍ମୟୀ ଓ ଏଥିରେ କାମ କରୁଥିବା ୨୦ କର୍ମଚାରୀ। ପ୍ଲାଣ୍ଟର ଯେଉଁ କ୍ଷତି ଘଟିଲା ତାହା କିପରି ଭରଣ କରାଯିବ ସେ ଚିନ୍ତାରେ ଜ୍ୟୋତିର୍ମୟୀଙ୍କ ଆଖିକୁ ନିଦ ଆସୁନି। ପ୍ଲାଣ୍ଟକୁ ପୁନର୍ବାର ସଳଖି ଛିଡାକରିବା ପାଇଁ ହେଲେ ଜ୍ୟୋତିର୍ମୟୀଙ୍କୁ ପ୍ରାୟ ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କାର ଆବଶ୍ୟକତା ରହିଛି। ହେଲେ ଏହି ଟଙ୍କା ସେ କେଉଁଠୁ ଯୋଗାଡ କରିବେ ସେ ନେଇ କିଛି ବୁଦ୍ଧିବାଟ ଦିସୁନଥିବା କୋହଭରା କଣ୍ଠରେ ସେ ପ୍ରକାଶ କରିଛନ୍ତି।


