ଶ୍ମଶାନ ଘାଟରେ ନାହିଁ ବିଜୁଳି ସୁବିଧା, ଅନ୍ଧାରରେ ହେଉଛି ଶବ ସତ୍କାର

ମୁନିଗୁଡ଼ା (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ା ବ୍ଲକର ମୁନିଖୋଲ ହନୁମାନ ବାଟିକା ପାର୍ଶ୍ଵରେ ଥିବା ହରିଶ୍ଚନ୍ଦ୍ର ଶ୍ମଶାନ ଘାଟରେ ବିଜୁଳି ସୁବିଧା ନଥିବାରୁ ଅନ୍ଧାରରେ ହେଉଛି ଶବ ସତ୍କାର ହେଉଥିବା ବେଳେ ଜନସାଧାରଣ ଅନେକ ସମୟରେ ଅସୁରକ୍ଷିତମନେ କରୁଥିବା ଦେଖାଯାଉଛି। ଏହି ଶ୍ମଶାନ ଘାଟଟି ବହୁ ପୁରାତନ ତଥା ମୁନିଗୁଡ଼ା ବ୍ଲକର ଦୁଇଟି ପଞ୍ଚାୟତ ମୁନିଗୁଡ଼ା ଓ ମୁନିଖୋଲ ବାସୀଙ୍କ ପାଇଁ ଅତି ଆବେଗର ସ୍ଥାନ ଏବଂ ଏହାକୁ ସମସ୍ତେ ସ୍ବର୍ଗ ଦ୍ଵାର ଭଳି ମାନେ କରିଥାନ୍ତି। ପୂର୍ବ ସରକାର ଅମଳରେ ଏହି ଶ୍ମଶାନ ପରିସରରେ ସୋଲାର ଲାଇଟ୍ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଏହି ଲାଇଟ୍ ବ୍ୟବସ୍ଥା କିଛି ମାସ ଚାଲିବା ପରେ ଏବେ ଅଚଳ ହୋଇଯାଇଛି। ଯାହା ଫଳରେ ରାତ୍ର ସମୟରେ ବିନା ଆଲୋକ ବ୍ୟବସ୍ଥାରେ ଶବ ସତ୍କାର ବ୍ୟବସ୍ଥା ବଡ଼ ଅସୁବିଧା ଏବଂ ଅସୁରକ୍ଷିତ ପରିବେଶ ଭିତରେ ଚାଲିଛି। ସରକାର ସାଧାରଣ ନାଗରିକ ମାନଙ୍କ ସୁବିଧା ପାଇଁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମାଳ ମାଳ ଲୋକାଭିମୁଖୀ ଯୋଜନା ମାନ କରୁଥିବା ବେଳେ ଏଠାରେ ବିଜୁଳି ସୁବିଧା ନଥିବା ହେତୁ ଲୋକେ ଅନ୍ଧାରରେ ଶବ ସତ୍କାର କରୁଛନ୍ତି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବଢୁଥିବା ଦେଖାଯାଉଛି। ସୂୂଚନା ଅନୁଯାୟୀ ମୁନିଗୁଡ଼ା ଅଞ୍ଚଳର ଜଣାଶୁଣା ସମାଜସେବୀ ଜାମୀ ମହେଶ ଏହି ହରିଶ୍ଚନ୍ଦ୍ର ଶ୍ମଶାନ ଘାଟରେ ନିୟମିତ ପରିଷ୍କାର ପରିଚ୍ଛନ୍ନ, ବୃକ୍ଷ ରୋପଣ ଓ ଅନ୍ୟାନ୍ୟ ସେବା ଦୀର୍ଘ ବର୍ଷ ହେବ କରି ଆସୁଛନ୍ତି। ବିଭିନ୍ନ ସମୟରେ ସେ ବ୍ୟକ୍ତିଗତ ଉଦ୍ୟମରେ ଏବଂ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ତଥା ସରକାରୀ ଉଦ୍ୟମରେ ଏହି ଶ୍ମଶାନ ଘାଟକୁ ଭିନ୍ନ ଏକ ରୂପ ଦେଇ ଏହି ଶ୍ମଶାନକୁ ସ୍ବର୍ଗ ଦ୍ଵାରରେ ରୂପାନ୍ତରିତ କରିବାରେ ତାଙ୍କ ପ୍ରୟାସ ପ୍ରଶଂସନୀୟ। ତାଙ୍କ କହିବା କଥା ବିଜୁଳି ନଥିବାରୁ ଅନ୍ଧାରରେ ଶବ ପୋଡ଼ିବାକୁ ଆସୁଥିବା ଲୋକେ ବଡ଼ ଭୟରେ ଶ୍ମଶାନ ପରିସରରେ ସମୟ ବିତାଇଥାନ୍ତି। ଏ ବିଷୟକୁ ନେଇ ସେ ପଞ୍ଚାୟତ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସମସ୍ତ ଲୋକ ପ୍ରତିନିଧି ମାନଙ୍କୁ ଗୁହାରି କରି ସାରିଲେଣି। ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ଜଣାଇ ସାରିଲେଣି।ହେଲେ ସବୁଠି ଫମ୍ପା ପ୍ରତିଶ୍ରୁତି। ଏମିତି ଅନ୍ଧାରରେ ତିନି ବର୍ଷ ବିତି ଗଲାଣି କାହାରି ନିଘା ହରିଶ୍ଚନ୍ଦ୍ର ଶ୍ମଶାନ ଘାଟ ଉପରେ ପଡୁନାହିଁ। ପୂର୍ବରୁ ଜିଲ୍ଲାପାଳ ଶ୍ରୀମତୀ ସ୍ୱାଧାଦେବ ସିଂ ଏହି ଅଞ୍ଚଳ ଗସ୍ତ ସମୟରେ ଏହାର ଉନ୍ନତି ପାଇଁ ସମ୍ମତି ପ୍ରକାଶ କରିଥିଲେ। ଶ୍ମଶାନ ଘାଟ ଦେଇ ବହି ଯାଉଥିବା ପାହାଡି ଝରଣାର ଉଭୟ ପାର୍ଶ୍ଵ କଂକ୍ରିଟ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ଉନ୍ନତି ପାଇଁ ଆଲୋଚନା ହୋଇଥିଲା। ହେଲେ ତାଙ୍କ ଯିବା ପରେ ଏହି ବିଷୟରେ ପୂର୍ଣ୍ଣଚ୍ଛେଦ ପଡି ଯାଇଥିଲା। ପରେ ମୁନିଗୁଡ଼ା ପ୍ରଶାସନିକ ଅଧିକାରି ମାନଙ୍କ ଇଚ୍ଛାଶକ୍ତି ଅଭାବ ଓ ଲୋକ ପ୍ରତିନିଧି ମାନଙ୍କ ଦୂରଦୃଷ୍ଟି ଅଭାବ କାରଣରୁ ହରିଶ୍ଛନ୍ଦ୍ର ଶ୍ମଶାନ ଆଜିକି ତିନି ବର୍ଷ ହେବ ଅନ୍ଧାରରେ ରହିଛି। ତୁରନ୍ତ ଏହି ଶ୍ମଶାନର ଉନ୍ନତି ସହ ବିଜୁଳି ବ୍ୟବସ୍ଥା ପୁନଶ୍ଚ କାର୍ଯ୍ୟକାରୀ କରିବାକୁ ସାଧାରଣରେ ଦାବି ଉଠୁଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ