ବିକାଶର ଧାରା ଓଡ଼ିଶା ସାରା ଜିଲ୍ଲା ସ୍ତରୀୟ ସମ୍ମିଳନୀ
କଟକ(ଓ୍ବାଇଏନଏସ) : ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂସ୍କୃତି ଭବନଠାରେ ଆଜି “ବିକାଶର ଧାରା ଓଡ଼ିଶା ସାରା” ଜିଲ୍ଲା ସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା, ସଫଳତା ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ସରକାର ଲୋକଙ୍କ ଆବଶ୍ୟକ ପୂରଣ କରିବା ତଥା ରାଜ୍ୟବାସୀଙ୍କ ସର୍ବାଙ୍ଗୀନ ବିକାଶ ଲକ୍ଷ୍ୟରେ ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ମତପ୍ରକାଶ କରିଥିଲେ । କୃଷି , ଶିକ୍ଷା , ସ୍ଵାସ୍ଥ୍ୟ , ଭିତ୍ତିଭୂମି ବିକାଶ , ମହିଳା ସଶକ୍ତିକରଣ ଏବଂ ଯୁବକଲ୍ୟାଣ କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ପଦକ୍ଷେପ ଫଳପ୍ରଦ ହୋଇଥିବା ସେ ପ୍ରକାଶ କରିଛନ୍ତି । ସିଏମ କିଶାନ ରେ ଚାଷୀମାନଙ୍କୁ କାର୍ଡ ବଣ୍ଟନ କରାଯାଇଛି । ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ସୋଲାର ସୁବିଧା ରାଜ୍ୟବାସୀଙ୍କୁ ଯୋଗାଇ ଦିଆଯାଉଛି । ବିଦ୍ୟୁତ୍ ଯୋଗାଣ ସମ୍ପର୍କରେ ସୂଚନା ଦେବାକୁ ଯାଇ କହିଛନ୍ତି ଯେ ନୂତନ ୪ଟି ଗ୍ରୀଡ ସଂଯୋଗୀକରଣ କରାଯାଇଛି । ବର୍ତ୍ତମାନ ବଡମ୍ବା, ବାଙ୍କୀ ଅଞ୍ଚଳରୁ ପନିପରିବା ବିଦେଶକୁ ରପ୍ତାନୀ କରାଯାଉଛି । ଏଲନିନୋ ପ୍ରଭାବରେ କମ ବୃଷ୍ଟିପାତକୁ ଲକ୍ଷ ରଖି ଅଳ୍ପ ସମୟ ମଧ୍ୟରେ ଅମଳକ୍ଷମ ବିହନ ବ୍ୟବହାର କରିବା ଉପରେ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ । ସମ୍ମାନୀତ ଅତିଥି ଭାବେ ମାନ୍ୟବର ସାଂସଦ ,ଜଗତସିଂହପୁର ଶ୍ରୀ ବିଭୁ ପ୍ରସାଦ ତରାଇ ଯୋଗଦେଇ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଆଗକୁ ନେବା ,ପାନୀୟ ଜଳ , ବାର୍ଦ୍ଧକ୍ୟ ଭତ୍ତା , ବିଦ୍ୟୁତ୍ ଆଦି ରାଜ୍ୟର ପ୍ରତ୍ୟେକ ଲୋକ ପାଖରେ ପହଞ୍ଚାଇବା ସରକାରଙ୍କ ଲକ୍ଷ୍ୟ ବୋଲି କହିଥିଲେ । ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ମାନ୍ୟବର ବିଧାୟକ,ନିଆଳି ଶ୍ରୀ ଛବି ମଲ୍ଲିକ , ମାନ୍ୟବର ବିଧାୟକ , କଟକ ସଦର ଇଂ ପ୍ରକାଶ ଚନ୍ଦ୍ର ସେଠୀ, ଯୋଗଦେଇ ରାଜ୍ୟ ସରକାରଙ୍କ ବିକାଶର ଧାରା ସମ୍ପର୍କରେ ଆଲୋକପାତ କରି ବିକଶିତ ଓଡିଶା – ୨୦୩୬ ସହ ସମନ୍ଵିତ ଭାବରେ କଟକ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଥିବା ସମ୍ପର୍କରେ ମତ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବେ ମାନ୍ୟବର ବିଧାୟିକା, ବାରବାଟୀ-କଟକ, ଇଂ ସୋଫିଆ ଫିରଦୋସ ,କେନ୍ଦ୍ରାପଡା ସାଂସଦଙ୍କ ପ୍ରତିନିଧି ଶ୍ରୀ ରାମନାରାୟଣ ମହାନ୍ତି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ମତାମତ ରଖିଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ସ୍ଵାଗତ ଅଭିଭାଷଣ ପ୍ରଦାନ କରିବା ସହ ବିକଶିତ କଟକ – ୨୦୩୬ ନିମନ୍ତେ ଭିଜନ ଉପସ୍ଥାପନା କରିଥିଲେ । ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ରାଜ୍ୟରେ ତଥା ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟ ସମ୍ବନ୍ଧରେ ଏକ ତିନିଦିନିଆ ପ୍ରଦର୍ଶନୀ ମଧ୍ୟ ଉଦ୍ଘାଟନ ହୋଇଯାଇଛି । ନାଗରିକ ମତାମତ ଆହ୍ଵାନ ଆଲୋଚନାରେ ଉପସ୍ଥିତ ବୁଦ୍ଧିଜୀବୀମାନେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ନିର୍ଦ୍ଧିଷ୍ଟ କ୍ଷେତ୍ରରେ ସରକାରଙ୍କ ବଳିଷ୍ଠ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବା ସହ ନିଜର ମତାମତ ରଖିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ହିତାଧିକାରୀଙ୍କୁ କାର୍ଡ, ଅଙ୍ଗନବାଡି କର୍ମୀଙ୍କୁ ସ୍ମାର୍ଟ ଫୋନ , ଆୟୁଷ୍ମାନ ବୟୋ ବନ୍ଦନ ଯୋଜନାରେ କାର୍ଡ ବଣ୍ଟନ କରିବା ସହ ଶିକ୍ଷା କ୍ଷେତ୍ରରେ କୃତିତ୍ଵ ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କଟକ ମହାନଗର ନିଗମ ଆୟୁକ୍ତ ସୁଶ୍ରୀ କିରଣଦୀପ କୌର ସହୋତା ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥିମାନେ ଜିଲ୍ଲାର ଉନ୍ନତିମୂଳକ ପ୍ରକଳ୍ପ, କଟକ ଚଣ୍ଡୀ ମନ୍ଦିର , ରେଭେନ୍ସା ବାଳିକା ବିଦ୍ୟାଳୟ , ତାରକସି ହବ୍ , ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟଳୟ ପରିଦର୍ଶନ କରିଥିଲେ । ପରେ ଉପମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ପ୍ରଦକ୍ଷଣ ଗୃହଠାରେ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ରାଜ୍ୟ ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟକାଳର ସଫଳତା, ଆଗାମୀ ଲକ୍ଷ୍ୟ ଓ ବିକାଶ ରୂପରେଖ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ଜନସାଧାରଣଙ୍କ ସେବା ଓ ରାଜ୍ୟର ଉନ୍ନତି ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି କହିଥିଲେ ।


