ଜିଲ୍ଲା ସ୍ତରୀୟ ଜୈବିକ କୃଷି କର୍ମଶାଳା
କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ) :ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ତୃତୀୟ ତଥା ଅନ୍ତିମ ଦିବସରେ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଏକ ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୁରେଶ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଜୈବିକ କୃଷିର ମୂଳ ଧାରଣା ଓ ଗୁରୁତ୍ୱ, ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା, ଜୈବିକ ସାର ଓ ଜୈବ କୀଟନାଶକର ବ୍ୟବହାର, ଜୈବିକ ପ୍ରମାଣିକରଣ, ବଜାର ସୁଯୋଗ ଏବଂ ସଫଳ ଚାଷୀମାନଙ୍କ ଅନୁଭୂତି ବିନିମୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ରଘୁରାମ ଆର. ଆୟର ସମନ୍ୱିତ କୃଷି ପଦ୍ଧତିକୁ ଗୁରୁତ୍ୱ ଦେବା ସହ କମ୍ ୟୁରିଆ ସାର ବ୍ୟବହାର କରି ଜୈବିକ ସାରର ଅଧିକ ପ୍ରୟୋଗ ଉପରେ ଜୋର ଦେଇଥିଲେ। ସେ କହିଥିଲେ ଯେ ଅଷ୍ଟ୍ରେଲିଆ, ଆମେରିକା ଓ ବ୍ରାଜିଲ ଭଳି ଦେଶର କୃଷକମାନେ ଅଧିକ ଅମଳକ୍ଷମ ଓ ଅର୍ଥକାରୀ ଫସଲ ଉତ୍ପାଦନ କରି ରପ୍ତାନି ମାଧ୍ୟମରେ ଆର୍ôଥକ ସ୍ୱାବଲମ୍ବନ ହାସଲ କରୁଛନ୍ତି। ଆମ କୃଷକମାନେ ମଧ୍ୟ ଏଭଳି ଆଧୁନିକ ଓ ବୈଜ୍ଞାନିକ କୃଷି ପଦ୍ଧତି ଅବଲମ୍ବନ କରି ନିଜ ଆୟ ବୃଦ୍ଧି କରିବା ଉଚିତ। କର୍ମଶାଳାରେ ମୁଖ୍ୟ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ଡା. ଉମାକାନ୍ତ ସାହୁ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ କୃଷି ବୈଜ୍ଞାନିକ ଡ. ପ୍ରଭଞ୍ଜନ ମିଶ୍ର, ଡ. ତାପସ କୁମାର ସାହୁ,୍ୱ ମାର୍ଶାଘାଇ ଜିଲ୍ଲା କୃଷି ଅଧିକାରୀ ହେମନ୍ତ କୁମାର ସାମଲ, ଅତିରିକ୍ତ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ଡା. ପ୍ରଭଞ୍ଜନ କବି, ଜିଲ୍ଲା ମତ୍ସ୍ୟ ଅଧିକାରୀ ଆଲୋକ କୁମାର ନାଥ ଏବଂ ଅତିରିକ୍ତ ଜିଲ୍ଲା ମୃତ୍ତିକା ସଂରକ୍ଷଣ ଅଧିକାରୀ ନିରଞ୍ଜନ ଜେନା ପ୍ରମୁଖ ଯୋଗଦେଇ ଆଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର, ମାଟିର ଉର୍ବରତା ବୃଦ୍ଧି ଏବଂ ଜୈବିକ ସାରର ଗୁରୁତ୍ୱ ସମ୍ପର୍କରେ ମତ ରଖିଥିଲେ। ବିଶେଷଜ୍ଞମାନେ ଧାନ, ମୁଗ ଓ ବିରି ଚାଷ ସହିତ ଫୁଲ ଚାଷ, ଛତୁ ଚାଷ, କଦଳୀ ଚାଷ, କୁକୁଡ଼ା ପାଳନ ଓ ସମନ୍ୱିତ କୃଷି ପଦ୍ଧତି ଅବଲମ୍ବନ କରି କୃଷକମାନେ ଅଧିକ ଆୟ ହାସଲ କରିପାରିବେ ବୋଲି ପରାମର୍ଶ ଦେଇଥିଲେ। ଏହି ଅବସରରେ ପାଞ୍ଚଜଣ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କର୍ମଶାଳାରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୫୦ରୁ ଅଧିକ ଚାଷୀ ଯୋଗଦେଇ ଜୈବିକ କୃଷି ସମ୍ପର୍କିତ ବିଭିନ୍ନ ବିଷୟରେ ଜ୍ଞାନ ଆହରଣ କରିଥିଲେ। ଅପରାହ୍ନରେ କଲିକତାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସି ମାଧ୍ୟମରେ ପିଏମ କିଷାନ ଯୋଜନାର ୨୩ତମ କିସ୍ତି ପ୍ରଦାନ କରିଥିବା ବେଳେ କଟକର ଧାନଗବେଷଣା କେନ୍ଦ୍ରରୁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କୃଷକମାନଙ୍କ କଲ୍ୟାଣ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଦେଇଥିବା ବକ୍ତବ୍ୟର ଆଭାସି କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।


