ଦୁର୍ନୀତି ଅଭିଯୋଗ ନେଇ ବିଡିଓଙ୍କ ନିକଟରେ ଫେରାଦ: ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଅନ୍ତର୍ଗତ ବୟାଙ୍ଗଡିହି ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅନିୟମ ହୋଇଥିବା ଅଭିଯୋଗ ନେଇ ଗ୍ରାମବାସୀମାନେ ଧାମନଗର ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି।ଘଟଣାର ନିରପେକ୍ଷ ତଦନ୍ତ ସହ ଠିକାଦାର ତଥା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଖବର ଅନୁଯାୟୀ ନୂଆଗାଁ ଖଗେଶ୍ୱର ମହାପାତ୍ରଙ୍କ ବାଡ଼ିଠାରୁ ଖେଳ ପଡ଼ିଆ ପର୍ଯ୍ୟନ୍ତ ରାସ୍ତାରେ ମାଟି କାମ ହୋଇନଥିବା ବେଳେ ପ୍ରାୟ ୧ ଲକ୍ଷ ୪୦ ହଜାର ଟଙ୍କାର ବିଲ୍ କରାଯାଇଥିବା ଅଭିଯୋଗ ରେ ଦର୍ଶାଯାଇଛି। ସେହିପରି ନୂଆହାଟଠାରୁ ବିଷ୍ଣୁ ମାହାନ୍ତିଙ୍କ ଘର ପର୍ଯ୍ୟନ୍ତ ନାଳୀ ଖନନ କାର୍ଯ୍ୟରେ ମଧ୍ୟ ଅନିୟମ ହୋଇଥିବା ଅଭିଯୋଗ ହୋଇଛି। କିଛି ବ୍ୟକ୍ତିଗତ ଜମିରେ କାମ କରାଯାଇ ପ୍ରାୟ ୭ ଲକ୍ଷ ଟଙ୍କାର ବିଲ୍ କରିବାକୁ ଉଦ୍ୟମ ହେଉଥିବା ମଧ୍ୟ ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି।ଶୁକ୍ରବାର ବିଜେଡି ଜିଲ୍ଲା ପରିଷଦ ସଭ୍ୟା ଟୁନିବାଳା ବିଶ୍ୱାଳ, ବ୍ଲକ ସଭାପତି ପ୍ରତାପ ସାମଲଙ୍କ ସମେତ ଅନେକ ଗ୍ରାମବାସୀ ବିଡିଓଙ୍କୁ ଭେଟି ଲିଖିତ ଅଭିଯୋଗ ଦେଇଥିଲେ।ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଡିଓ ବନ ବିହାରୀ ଦିନ୍ଦା କହିଛନ୍ତି। ତେବେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଅଭିଯୋଗକାରୀମାନେ ଚେତାବନୀ ଦେଇଛନ୍ତି। ଏନେଇ ଧାମନଗର ବ୍ଲକର କନିଷ୍ଠ ଯନ୍ତ୍ରୀ ପ୍ରଭାତ ବେହେରା କହିଛନ୍ତି ଯେ, ଉକ୍ତ କାର୍ଯ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ ଏବଂ କୌଣସି ଅର୍ଥ ଉଠାଯାଇନାହିଁ। ମଷ୍ଟର ରୋଲ ପାଇଁ ଡିମାଣ୍ଡ ହୋଇଥିବାରୁ ସିଷ୍ଟମରେ ଲେବର କଷ୍ଟ ଦେଖାଯାଉଛି। କାମ ଶେଷ ହେବା ପରେ ଜିଓ-ଟ୍ୟାଗ୍ ଫଟୋ ଓ ଅନ୍ୟାନ୍ୟ ତଥ୍ୟ ଅପଲୋଡ୍ କରାଯିବା ପରେ ହିଁ ମଜୁରି ପ୍ରଦାନ କରାଯିବ ବୋଲି ସେ ସ୍ପଷ୍ଟ ସୂଚନା ଦେଇଛନ୍ତି।ବିଡିଓଙ୍କ ଏହି ଅଭିଯୋଗ ପ୍ରଦାନ ସମୟରେ ଗ୍ରାମବାସୀଙ୍କ ସହ ସ୍ଥାନୀୟ ଜିଲ୍ଲା ପରିଷଦ,ବିଜେଡି ବ୍ଲକ ସଭାପତି ଓ ଅନ୍ୟ ନେତୃ ମଣ୍ଡଳୀ ଉପସ୍ଥିତ ଥିଲେ।


