ଠାକୁର ଭସାଣିକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ, ୱାର୍ଡ ସଭ୍ୟାଙ୍କ ସ୍ୱାମୀ ଗୁରୁତର
ହାଟଡିହି (ଓ୍ବାଇଏନଏସ): ଠାକୁର ଭସାଣିକୁ କେନ୍ଦ୍ର କରି ଗେଡ଼ମା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ୱାର୍ଡ ସଭ୍ୟାଙ୍କ ସ୍ୱାମୀ ଗୁରୁତର ହୋଇଛନ୍ତି। ଥାନାରେ ହୋଇଥିବା ଅଭିଯୋଗ ଅନୁଯାଇ ଗାଁର ଜାଗୁଳାଇ ସାହିରେ ରଜପର୍ବ ପାଇଁ ରାମଚନ୍ଦ୍ର ଠାକୁର ମୂର୍ତ୍ତି କରି ପୂଜା କରିଥାନ୍ତି। ଗତକାଲି ସୋମବାର ଏହି ଠାକୁରଙ୍କ ଭସାଣି ଥିବାବେଳେ ଗ୍ରାମର ନୀତିଶ କୁମାର ଜେନାଙ୍କ ସହ ଗାଁ ର କିଛି ଯୁବକଙ୍କ ବଚସା ହୋଇଥିଲା। ଠାକୁର ଭସାଣି ପରେ ପ୍ରସାଦ ବଣ୍ଟନ ଚାଲିଥିଲା ବେଳେ ସେହି ଗ୍ରାମର ନିରାକାର ପାତ୍ର, ମିଥୁନ ପାତ୍ର, କୁଲୁ ପାତ୍ରଙ୍କ ସମେତ ଅନ୍ୟ କିଛି ଯୁବକ ସେଠାରେ ପହଞ୍ଚି ନୀତିଶ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ନୀତିଶ ର ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ବେଳେ ଗ୍ରାମବାସୀ ମାନେ ତାକୁ ଉଦ୍ଧାର କରି ପ୍ରଥମେ ଶାଳଣିଆଁ ଡାକ୍ତରଖାନା ଓ ପରେ ଭଦ୍ରକ ଡାକ୍ତରଖାନାକୁ ନେଇ ଚିକିତ୍ସା କରୁଛନ୍ତି। ଏନେଇ ନୀତିଶର ମା ଶକୁନ୍ତଳା ଜେନା ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।


