ବିବାହିତ ଝିଅଙ୍କୁ ବଞ୍ଚିତ କରାଯାଇ ପାରିବନି: ହାଇକୋର୍ଟ
କଟକ(ଓ୍ବାଇଏନଏସ) : ଓଡ଼ିଶା ହାଇକୋର୍ଟ ଅନୁକମ୍ପାମୂଳକ ନିଯୁକ୍ତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କେବଳ ‘ବିବାହିତ ଝିଅ’ ହୋଇଥିବା କାରଣରୁ ଜଣେ ମହିଳାଙ୍କ ଅନୁକମ୍ପାମୂଳକ ନିଯୁକ୍ତି ଆବେଦନକୁ ଖାରଜ କରାଯାଇପାରିବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ଆବେଦନକାରିଣୀ ଗୌରୀ ଜେନାଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ରିଟ୍ ଆବେଦନର ଶୁଣାଣି କରି ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ଏହି ଆଦେଶ ଦେଇଛନ୍ତି। ଘଟଣାର ବିବରଣୀ ଅନୁଯାୟୀ, ମୃତ କର୍ମଚାରୀଙ୍କ ବିବାହିତ ଝିଅ ଭାବେ ଆବେଦନକାରିଣୀ ଅନୁକମ୍ପାମୂଳକ ନିଯୁକ୍ତି ଦାବି କରିଥିଲେ; ମାତ୍ର ସେ ଜଣେ ବିବାହିତ ଝିଅ ହୋଇଥିବାରୁ ତାଙ୍କର ଏହି ଦାବିକୁ ୨୦୧୬ ଜୁଲାଇ ୨୮ ତାରିଖରେ ଢେଙ୍କାନାଳ ସିଡିଏମଓ ଖାରଜ କରିଦେଇଥିଲେ। ଏହି ନିଷ୍ପତ୍ତିକୁ ଚାଲେଞ୍ଜ କରି ଆବେଦନକାରିଣୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରେ ହାଇବ୍ରିଡ୍ ମୋଡ୍ରେ ଏହି ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ଆବେଦନକାରିଣୀଙ୍କ ଓକିଲ କୋର୍ଟଙ୍କ ସମ୍ମୁଖରେ ବିଭିନ୍ନ ପୂର୍ବ ମାମଲାର ଉଦାହରଣ ଉପସ୍ଥାପନ କରିଥିଲେ। ଏହି ସବୁ ମାମଲାରେ ହାଇକୋର୍ଟ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ, ମୃତ କର୍ମଚାରୀଙ୍କ ବିବାହିତ ଝିଅମାନେ ମଧ୍ୟ ଅନୁକମ୍ପାମୂଳକ ନିଯୁକ୍ତି ପାଇବାର ସମ୍ପୂର୍ଣ୍ଣ ଅଧିକାରୀ; ତେଣୁ ଆବେଦନକାରିଣୀଙ୍କ ଆବେଦନକୁ ଖାରଜ କରିବା ଆଇନଗତ ଭାବେ ଗ୍ରହଣଯୋଗ୍ୟ ନୁହେଁ। ଅନ୍ୟପକ୍ଷରେ ସରକାରୀ ଓକିଲ ତାଙ୍କ ଯୁକ୍ତି ଉପସ୍ଥାପନ କରିଥିଲେ। ଅଦାଲତ ଉଭୟପକ୍ଷଙ୍କ ଯୁକ୍ତି ଶୁଣିବା ପରେ ବିବାହିତ ଝିଅ ହୋଇଥିବା କାରଣରୁ ନିଯୁକ୍ତି ଅସ୍ୱୀକାର କରାଯାଇଥିବା ପୁରୁଣା ଆଦେଶକୁ ଅଦାଲତ ରଦ୍ଦ କରିଦେଇଛନ୍ତି। ଏହା ସହିତ କୋର୍ଟ ମାମଲାଟିକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ପୁନଃପ୍ରେରଣ କରିଛନ୍ତି। ଆବେଦନକାରିଣୀଙ୍କ ଦାବି ଉପରେ ଏକ ସ୍ୱଚ୍ଛ ଓ ନୂତନ ନିଷ୍ପତ୍ତି ନେବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି।


