ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ବୁଥସ୍ତରୀୟ ବୈଠକ

କଟକ, (ଓ୍ବାଇଏନଏସ): କଟକ ଜିଲ୍ଲାରେ ଚାଲିଥିବା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ.ଆଇ.ଆର.) ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ଆସନ୍ତା ୨୮ ତାରିଖରେ ଶେଷ ହେବାକୁ ଯାଉଛି । ଗତ ମେ ୩୦ ତାରିଖରୁ ବୁଥ ସ୍ତରୀୟ ଅଧିକାରୀମାନେ ଘରକୁ ଘର ପରିଦର୍ଶନ କରି ଭୋଟର ତଥ୍ୟ ସଂଗ୍ରହ ଓ ଯାଞ୍ଚ କରିବା ସହ ସଂଗୃହୀତ ଏନୁମରେଶନ ଫର୍ମ ଗୁଡିକର ଡିଜିଟାଇଜେସନ କରୁଛନ୍ତି । ୨୮ ଜୁନ ସୁଦ୍ଧା ମତଦାନ କେନ୍ଦ୍ରଗୁଡ଼ିକର ଯୁକ୍ତିସଙ୍ଗତ ପୁନର୍ବିନ୍ୟାସ କାର୍ଯ୍ୟ ସମାପ୍ତ କରାଯାଇ ଖସଡା ଭୋଟର ତାଲିକା ୦୫ ଜୁଲାଇ ୨୦୨୬ରେ ପ୍ରକାଶ ପାଇବ । ସମସ୍ତ ପ୍ରକ୍ରିୟାକୁ ଶୃଙ୍ଖଳିତ ଭାବେ କରିବା ଦିଗରେ ବୁଥ ସ୍ତରୀୟ ଏଜେଣ୍ଟ ମାନଙ୍କର ମଧ୍ୟ ଗୁରୁତ୍ବପୁର୍ଣ ଭୂମିକା ରହିଛି । ଆଜି ଏ ସମ୍ପର୍କରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଭାଗୃହଠାରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା କାଲି ଓ ତା ପରଦିନ ବିଭିନ୍ନ ବୁଥରେ ବୁଥସ୍ତରୀୟ ଅଧିକାରୀ ଓ ବୁଥସ୍ତରୀୟ ଏଜେଣ୍ଟମାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ବଡ ପଡିଥିବା ଭୋଟରମାନଙ୍କ ତଥ୍ୟ ପ୍ରଦାନ କରାଯିବ । ଯଦି କୌଣସି ଯୋଗ୍ୟ ଭୋଟର ବାଦ ପଡ଼ିଥିବେ ତେବେ ସେମାନଙ୍କୁ ନୋଟିସ କରାଯିବ ଏବଂ ନିର୍ଦ୍ଧାରିତ ପ୍ରକ୍ରିୟାରେ ସେମାନଙ୍କ ନାମ ସଂଯୋଗ କରାଯିବ । ବୁଥସ୍ତରୀୟ ଏଜେଣ୍ଟମାନେ ଏ ଦିଗରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ଜୁଲାଇ ୦୫ ତାରିଖରୁ ଅଗଷ୍ଟ ୦୪ ତାରିଖ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ। ଦାବି ଓ ଆପତ୍ତିର ନିଷ୍ପତ୍ତି ସେପ୍ଟେମ୍ବର ୦୨ ତାରିଖ ସୁଦ୍ଧା କରାଯିବା ପରେ ୦୬ ସେପ୍ଟେମ୍ବର ୨୦୨୬ରେ ଅନ୍ତିମ ଭୋଟର ତାଲିକା ପ୍ରକାଶ ପାଇବ । ଏସ. ଆଇ.ଆର ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସଂଯୁକ୍ତ କରିବା ଏବଂ ଅନଧିକୃତ ପ୍ରବାସୀ କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ତାଲିକାରୁ ବାଦ ଦେବା । ଏଥିସହ ମୃତ ବ୍ୟକ୍ତିଙ୍କ ନାମ ଏବଂ ନକଲି ନାମ ଗୁଡିକୁ ଚିହ୍ନଟ କରାଯାଇ ତାଲିକାରୁ ବାଦ ଦିଆଯିବ ଓ ସ୍ଥାନାନ୍ତରିତ ମତଦାତାଙ୍କ ନାମ ସଂଶୋଧନ କରାଯିବ । କୌଣସି ଯୋଗ୍ୟ ଭୋଟର୍ଙ୍କ ନାମ ବାଦ ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରେ ଆଜିସୁଦ୍ଧା ୯୯ ପ୍ରତିଶତ ଫର୍ମ ବିତରଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ପ୍ରାୟ ୭୦ ପ୍ରତିଶତ ଡିଜିଟାଇଜେସନ କାର୍ଯ୍ୟ ସେସ ହୋଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ କଟକ ସଦର ନିର୍ବାଚନ ପଂଜିକରଣ ଅଧିକାରୀ ଶ୍ରୀ କମଲଜିତ୍ ଦାସ,ସାଲେପୁର ପାଇଁ ନିୟୋଜିତ ହୋଇଥିବା ନିର୍ବାଚନ ପଂଜିକରଣ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ଦିବ୍ୟଲୋଚନ ମହାନ୍ତ, ଚୌଦ୍ଵାର କଟକ ପାଇଁ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ, ବାରବାଟୀ-କଟକ ପାଇଁ ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜଦେଓ, ଆଠଗଡ ପାଇଁ ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା, ନିଆଳି ପାଇଁ ଅତିରିକ୍ତ ଉପ ଜିଲ୍ଲାପାଳ, ଶ୍ରୀ ଦେବାଶିଷ ମହାପାତ୍ର, ମାହାଙ୍ଗା ପାଇଁ କଟକ ମହାନଗର ନିଗମ ଅତିରିକ୍ତ ଆୟୁକ୍ତ ସୋନା ଟୁଡୁ ଏବଂ ବଡ଼ମ୍ବା ପାଇଁ ମହାନଗର ନିଗମର ଯୁଗ୍ମ ଆୟୁକ୍ତ, ବରେନ୍ଦୁ ମହାନ୍ତି, ଡେପୁଟୀ କଲେକ୍ଟର, ନିର୍ବାଚନ ଶ୍ରୀମତୀ ଅମ୍ଳାନ ଅପରାଜିତା ଦାସ ପ୍ରମୁଖ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ