ରାତିରେ ଚାଲାଣ ହେଉଛି ବେଆଇନ ବାଲି : ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଶୂନ
କେନ୍ଦ୍ରାପଡ଼ା,୨୪ା୬:ସରକାରଙ୍କ ରାଜସ୍ୱ ଆଇନକୁ ସଂପୂର୍ଣ୍ଣ ଭାବେ ଉଲ୍ଲଙ୍ଘନ କରାଯାଇ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଶତାଧିକ ଟ୍ରକ ବାଲି ଠୁଳ କରାଯାଇ ରାତିରେ ଚୋରା ଚାଲାଣ ହେଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଏବଂ କୁଦାନଗରି ଥାନା ଅଧିନ ବିଲବଳରାମପୁର ଗ୍ରାମର ଚଗଲା ଓରଫ ସମୀରରଞ୍ଜନ ବିଶ୍ୱାଳ ବିଲବଳରାମପୁର ଘାଟ ଠାରୁ ମାତ୍ର ଏକଶହ ମିଟର ଦୂର ସଖୀବଟ ମହାପୁରୁଷ ନିକଟ ମାର୍ଶାଘାଇ କେନାଲ ବନ୍ଧ ନିକଟରେ ଶତାଧିକ ଟ୍ରିପ ବାଲି ଠୁଳ କରି ରଖିଛି। ସେହି ବାଲିକୁ ରାତିରେ ବେଆଇନ ଭାବେ ଚାଲାଣ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ସେ ରାତିରେ ମଣ୍ଟିବାବୁ ପୋକଲିନ ମେସିନ ସାହାଯ୍ୟରେ ସେହି ବାଲିକୁ ଚାଲାଣ କରୁଛି। ସେହି ମେସିନଟି ସଦର ଥାନା ପକ୍ଷରୁ ୫ଦିନ ପୂର୍ବରୁ ଜବତ କରାଯାଇଥିଲେବି ପୋଲିସର ସହାୟତା ଯୋଗୁୁ ତାହା ରିଲିଜ ହୋଇଯାଇଛି। ଚଗଲା ଜଣେ ଅସାମାଜିକ ଯୁବକ ହୋଇଥିବା ବେଳେ ତା ବିରୋଧରେ ୯ରୁ ଉର୍ଦ୍ଧ୍ୱ ସଂଗୀନ ଅପରାଧୀକ ମାମଲା ଜିଲ୍ଲାର ବିଭିନ୍ନ ଥାନାରେ ରହିଛି। ସେ ଜଣେ ଜମି ମାଫିଆ, ବାଲି ମାଫିଆ ଏବଂ ମଦ ମାଫିଆ ହୋଇଥିବା ବେଳେ ପୋଲିସର ସହଯୋଗ ହେତୁ ତା ବିରୋଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଚଗଲାର ବିଭିନ୍ନ ଥାନା ଓ ଖଣି କାର୍ଯ୍ୟାଳୟ ସହ ସୁସମ୍ପର୍କ ରହିଥିବାରୁ ତା ବିରୋଧରେ ଯେତେ ଅଭିଯୋଗ କରାଗଲେଲବି କୈାଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି। ତେଣୁ ଏହାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଏହି ଅଭିଯୋଗର ନକଲ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଶାସନ ସଚିବଙ୍କୁ ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଛି।


