ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ୱତନ୍ତ୍ର ବୈଠକ

ବାଲେଶ୍ୱର (ସରୋଜ ପଣ୍ଡା): ବାଲେଶ୍ୱର ଜିଲ୍ଲାରେ ସରକାରୀ ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବା ଦାବିରେ ସରକାରୀ ମେଡିକାଲ୍ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତା ୨୮ ତାରିଖ, ରବିବାର ଦିନ ବାଲେଶ୍ୱରର ପ୍ରମୁଖ ଗଣ ସଂଗଠନ ଓ ସମସ୍ତ ରାଜନୈତିକ ନେତୃବୃନ୍ଦଙ୍କୁ ନେଇ ଏକ ସ୍ୱତନ୍ତ୍ର ବୈଠକ ଆହ୍ୱାନ କରାଯାଇଛି। ଦୀର୍ଘ ୫ ବର୍ଷ ତଳେ ଏମ୍ସ ସାଟେଲାଇଟ୍ ସେଣ୍ଟର ଚିକିତ୍ସାଳୟ ସୌଧ ନିର୍ମାଣ କାର୍ଯ୍ୟ ସମାପ୍ତ ପରେ ସପ୍ତାହକୁ ମାତ୍ର ଦୁଇଦନ ପାଇଁ ବହିର୍ବିଭାଗ କାର୍ଯ୍ୟ କରୁଛି। ସେଠାରେ ରୋଗ ନିରୁପଣ ନିମିତ୍ତ କୌଣସି ପରୀକ୍ଷା ନିରୀକ୍ଷାର ଉପକରଣ ଓ ବୈଷୟିକ କର୍ମଚାରୀ ନଥିବାରୁ ରୋଗୀମାନେ ହତାଶ ହେଉଛିନ୍ତି। ଫଳରେ ରୋଗୀ ସଂଖ୍ୟା ହ୍ରାସ ପାଇଚାଲିଛି। ଗତ ଦୁଇବର୍ଷ ପୂର୍ବରୁ ବାଲେଶ୍ୱର ଏମ୍ସ ସାଟେଲାଇନ୍ ସେଣ୍ଟର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶକ ବାଲେଶ୍ୱର ଗସ୍ତ ଅବସରରେ କ୍ରିୟାନୁଷ୍ଠାନ କମିଟିର ନେତୃତ୍ୱଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ବାଲେଶ୍ୱର ସାଂସଦ ଦିଲ୍ଲୀରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏମ୍ସ ସାଟେଲାଇଟ୍ ସେଣ୍ଟରକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ କହିଥିବାର ସମ୍ବାଦ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ବାଲେଶ୍ୱରବାସୀଙ୍କ ଦାବିପ୍ରତି ସରକାର ଗୁରୁତ୍ୱ ଦେଉନଥିବା ସଂପର୍କରେ କ୍ରିୟାନୁଷ୍ଠାନ କମିଟିର ଏକ ଜରୁରୀ ବୈଠକରେ ମତ ପ୍ରକାଶ ପାଇଛି। ବରିଷ୍ଠ ଆଇନଜୀବୀ ନିରଞ୍ଜନ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଧାରଣ ସଂପାଦକ ପ୍ରଦୀପ ଦାସ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ, ମେଡିକାଲ୍ କଲେଜ୍ ହସ୍‌ପିଟାଲ୍ ସମେତ ଜିଲ୍ଲାର ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ଆବଶ୍ୟକୀୟ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବରୁ ରୋଗୀମାନେ ଉନ୍ନତ ସ୍ୱାସ୍ଥ୍ୟସେବାରୁ ବଞ୍ôଚତ ହେଉଥିବାର କହିଥିଲେ। ଦୀର୍ଘଦିନର ଦାବିପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ହୃଦରୋଗ ଓ ମୂତ୍ରାଶୟଜନିତ ରୋଗର ବିଶେଷଜ୍ଞ ଡାକ୍ତରଙ୍କୁ ସାମୟିକ ନିଯୁକ୍ତି ଦିଆଯାଇଥିବାର କୁହାଯାଉଛି। କିନ୍ତୁ ଉକ୍ତ ଚିକିତ୍ସା ପାଇଁ ଆବଶ୍ୟକୀୟ ଉପକରଣ ଓ ବୈଷୟିକ କର୍ମଚାରୀ ନାହାନ୍ତି। ତେଣୁ ଏହି ସମସ୍ୟାଗୁଡ଼ିକ ଉପରେ ବାଲେଶ୍ୱରର ବୁଦ୍ଧିଜୀବୀ ଓ ବିଭିନ୍ନ ସଂଗଠନର ନେତୃବୃନ୍ଦଙ୍କ ପରାମର୍ଶକ୍ରମେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର ହେବ ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ। ଏଥିପାଇଁ ଆସନ୍ତା ରବିବାର ଦିନ ନଅଟାରେ ବାଲେଶ୍ୱର ଓକିଲ ସଂଘର ସଭାଗୃହରେ ଏକ ସ୍ୱତନ୍ତ୍ର ବୈଠକ ଆହ୍ୱାନ କରାଯାଇଛି। ଏହି ବୈଠକରେ ସେମାନେ ଯୋଗଦେଇ ସୁଚିନ୍ତିତ ମତାମତ ଓ ପରାମର୍ଶ ଦେବାକୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନିବେଦନ କରାଯାଇଛି। ଏହି ବୈଠକରେ ସର୍ବଶ୍ରୀ ପ୍ରଫୁଲ୍ଲ କୁମାର ଦାସ, ଡ. କେଶବ ଚରଣ ପଣ୍ଡା, ଲକ୍ଷ୍ମଣ ବିଶ୍ୱାଳ, ରବିନାରାୟଣ ଭୋଳ, ସୁରେନ୍ଦ୍ର ପ୍ରସାଦ ଦୀକ୍ଷିତ, ଅକ୍ଷୟ କୁମାର ତ୍ରିପାଠୀ, ମାୟାଧର ବିଶ୍ୱାଳ, ଡ. କ୍ଷିତୀଶ୍ୱର ଦାଶ, ଯୋଗେଶ ଚନ୍ଦ୍ର ପ୍ରଧାନ, ଡା. ତାରାକାନ୍ତ ନନ୍ଦ, ସୀତାରାମ ପ୍ରଧାନ ଓ ପୁରୁଷୋତ୍ତମ ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଗୌରାଙ୍ଗ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ