ମହରମ ପର୍ବ ପାଳନ

ଧାମନଗର (ଓ୍ବାଇଏନଏସ): ପବିତ୍ର ମହରମ ମାସ ହେଉଛି ଇସଲାମିକ୍ ନବବର୍ଷ ଏବଂ ହଜରତ ଏମାମ ହୋସେନ ତଥା ଜସନେ-ଏ-ୟାଦେ-ହୋସେନଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ଉଦେଶ୍ୟରେ ମହରମ ପର୍ବ ପାଳନ କରାଯାଉଛି। ଏହି ଅବସରରେ ଧାମନଗର ସହରାଞ୍ଚଳରେ ଜୁଲୁସ ଶୋଭାଯାତ୍ରା ଏବଂ ଆଖାଡା ଖେଳ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ତେବେ କେତେକ ସାହିବସ୍ତି ଯଥା ଫକିର ସାହି,ଭଣ୍ଡାରୀ ସାହି,ଗାଁରୁ ଜୁଲୁସ,କାଫଲା ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ଖାନକା ସରିଫରେ ପହଞ୍ଚି ଚାଦର ଚଢାଇ ପୀରବାବାଙ୍କୁ ଦର୍ଶନ ପରେ ନିଜ ନିଜର ଗାଁକୁ ଫେରି ଯାଇଥିଲେ। ସେହିପରି ବିଭିନ୍ନ ସାହି ବସ୍ତିରୁ ଆଉ ୧୭ରୁ ଉର୍ଦ୍ଧ୍ବ ଆଖାଡା ଦଳ ସେମାନେ ନିଜ ନିଜର ଖଲିଫା ଓ ଗାଁର ମୁଖିଆଙ୍କ ନେତୃତ୍ବରେ କରବଲା ମଇଦାନକୁ (ଛୁଇଁ)ବା ପରେ ବାଡ଼ି ଖେଳିବା ପାଇଁ ବଡ଼ ବଜାର ସ୍ଥିତ ଟ୍ରେକର ଷ୍ଟାଣ୍ଡ ଏବଂ ସାନ ବଜାର ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଆଖଡା ଖେଳ ପଦର୍ଶନ କରିଥିଲେ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଳିଙ୍ଗ ଯୁଦ୍ଧ କ୍ଲବ ତରଫରୁ ମୀର ମୁରତୁଜାଙ୍କ ନେତୃତ୍ବରେ ଧାମନଗର ଭାଇଚାରକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଏକ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ନାଗରିକ,ସମାଜସେବୀ,ବୁଦ୍ଧିଜୀବୀ,ଆଇନଜୀବୀ,ଶାନ୍ତି କମିଟିର ସଦସ୍ୟ,ସାମ୍ବାଦିକ,ସର୍ବଦଳୀୟ ନେତା ପୁଲିସ ପ୍ରଶାସନ ପ୍ରମୁଖଙ୍କୁ ଉପଢୌକନ,ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସମ୍ମାନିତ କରିବା ସହ ସମସ୍ତଙ୍କୁ ମିଠା,ଥଣ୍ଡା ବଣ୍ଟନ କରାଯାଇଥିଲା। ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ। ହିନ୍ଦୁ ମୁସଲମାନ ଉଭୟ ମିଶି ବାଡ଼ି ଖେଳ,କୁସ୍ତି ଓ ବନୋଟି ଆଦି ବିଭିନ୍ନ ଆକର୍ଷଣୀୟ ଆଖଡା ଖେଳ ପଦର୍ଶନ କରି ସାରା ଦେଶକୁ ଭାଇଚାରାର ସନ୍ଦେଶ ଦିଆଯାଇଛି ବୋଲି ଉଭୟଙ୍କ ପକ୍ଷରୁ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି। ପରମ୍ପରା ଅନୁଯାୟୀ ଅପରାହ୍ନରେ ୪ଟା ସମୟରେ ଧାମନଗର ସ୍ଥିତ କରବଲା ମଇଦାନ ପରିସରରେ ସ୍ଥାନୀୟ ଯୁବକ ସଂଘ ପକ୍ଷରୁ ୧୪ରୁ ଉର୍ଦ୍ଧ୍ବ ଆଖଡା ଦଳ ମଧ୍ୟରେ ବାଡି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ସେମାନଙ୍କ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଏଥିରେ ସାଂସଦଙ୍କ ନଗର ପ୍ରତିନିଧି ସରୋଜ ମହାପାତ୍ର, କାଉନସିଲର ଉତ୍ତମ ମହାନ୍ତି,ବରିଷ୍ଠ ସାମ୍ବାଦିକ କୃଷ୍ଣ ଚନ୍ଦ୍ର ଜେନା,ଚିତ୍ତରଞ୍ଜନ ଜେନା,ଗୋଲାମ ଜିଲାନି ହବିବି,ସେକ ଅବଦୁଲ ହାକିମ,ସେକ ତାଜୁଦ୍ଦିନ,ସେକ ସାଦିକ ପ୍ରମୁଖ ଯୋଗ ଦେଇ ଆଖଡା ଦଳକୁ ପୁରସ୍କାର ପ୍ରଥମ କରିଛନ୍ତି। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୁପ ଅଭିଷେକ ବେହେରା ଧାମନଗର ଥାନାରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଏସ.ଡି.ପି.ଓ କୃଷ୍ଣ ଚରଣ ବାରିକ, ଆଇଆଇସି ଶୁଭ୍ରଜିତ ଦାଶଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ସାହି ବସ୍ତି ଓ ଛକ ବଜାରରେ ପୋଲିସ ଏବଂ ୩ ପ୍ଲାଟୁନ ଫୋର୍ସ ମୁତୟନ କରି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଟ୍ରାଫିକ ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଧାମନଗର, ଦୋବଲ, ମୁସ୍ତଫାପୁର, ଚୁଡାକୁଟି,ଡିପୋଖରୀ,ପନ୍ଦରବାଟିଆ, ନଦୀଗାଁ,ପିତେଇପୁର ଆଦି ଅଞ୍ଚଳରେ ମହରମ ପର୍ବ ପାଳନ କରାଇଥିବା ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ