ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଦ୍ୱାରା ସଫେଇ ନାଁରେ ଟଙ୍କା ଆତ୍ମସାତ ଅଭିଯୋଗ
କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): କାକଟପୁର ବ୍ଲକ କୁରୁଜଙ୍ଗ ଗ୍ରାମ ପଞ୍ଚାୟତ କୁରୁମ ବୌଦ୍ଧପୀଠ ଏବେବି କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ସହ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ସଫେଇ ନାଁରେ ବର୍ଷକ ମଧ୍ୟରେ ୨ ଥର ବିଲ୍ କରି ୬୨ ହଜାର ଟଙ୍କା ଲୁଟି ନେଇଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ । ସୂଚନା ଅନୁଯାୟୀ ବୌଦ୍ଧ ପୀଠ କୁରୁମରେ ସଫେଇ ନାଁରେ ୨୯.୦୫.୨୦୫ ରେ ପଞ୍ଚଦଶ ଅର୍ଥ କମିଶନ ଫଣ୍ଡରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲୋପାମୁଦ୍ରା ସ୍ବାଇଁ ୪୦,୫୩୮ ଟଙ୍କା ଲୁଟି ନେଇଛନ୍ତି । ସ୍ବଚ୍ଛତା ନାଁରେ ଏତେ ଗୁଡ଼ାଏ ଅର୍ଥ ହରିଲୁଟ୍ କରିବା ନେଇ ସ୍ଥାନୀୟ ଲୋକମାନେ ଦୃଢ଼ ନିନ୍ଦା ପ୍ରକାଶ କରିଛନ୍ତି । କେବଳ ସଫେଇ କରାଯାଇଥିଲା । ଏତେ ଟଙ୍କା କେଉଁ ବାଟରେ ଖର୍ଚ୍ଚ ହେଇଛି ତାହା ପୁରୀ ଜିଲ୍ଲାପାଳ ତଦନ୍ତ କରିବା ଉଚିତ୍ ବୋଲି କୁରୁଜଙ୍ଗ ପଞ୍ଚାୟତ ବାସି ଦାବି କରିଛନ୍ତି । ଏଥି ସହିତ ଉକ୍ତ ସ୍ଥାନରେ ପୁଣି ସଫେଇ ନାଁରେ ପଞ୍ଚଦଶ ଅର୍ଥ କମିଶନ ଫଣ୍ଡରୁ ୦୮.୦୬.୨୦୨୬ ରେ ୨୧,୪୯୧ ଟଙ୍କା ପିଇଓ ଲୋପାମୁଦ୍ରା ସ୍ବାଇଁ ଉଠାଇ ନେଇଛନ୍ତି। ତଥାପି ଉକ୍ତ ଜାଗା ଏବେବି ପରିତ୍ୟକ୍ତ, ନଡ଼ା, କୁଟା, ଘାସ, ଅଳିଆ ଆବର୍ଜ୍ଜନା , ଗୋବର ଘସି ଓ ଅନାବନା ଗଛଲତା ରେ ପରିପୂର୍ଣ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଲୋକମାନଙ୍କ ସହ ପଞ୍ଚାୟତ ବାସି ମାନେ ଘୋର ନିନ୍ଦା ପ୍ରକାଶ କରିଛନ୍ତି। ସଫେଇ ନାଁରେ ଏପରି ଚଞ୍ଚକତା କରି ମିଥ୍ୟା ବିଲ୍ ଓ ଆବଶ୍ୟକ ଠାରୁ ଅଧିକ ଟଙ୍କା ଉଠାଇ ନେଇଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ପଞ୍ଚାୟତରୁ ବଦଳି କରିବା ପାଇଁ ଲୋକମାନେ ଦାବି କରିଛନ୍ତି। ପୂର୍ବରୁ ମଧ୍ୟ ନିର୍ବାହୀ ଅଧିକାରୀ ମନରେଗା ଯୋଜନାରେ ଚଞ୍ଚକତା କରି ଅର୍ଥ ହଡପ , ବିଳମ୍ବରେ ଭତ୍ତା ବଣ୍ଟନ, ଅସହାୟ ହିତାଧୀକାରୀ ମାନଙ୍କୁ ଅଶୋଭନୀୟ ଆଚରଣ ଓ ଦୈନିକ ଅଫିସକୁ ବିଳମ୍ବରେ ଆସି ୨ଘଣ୍ଟା ମଧ୍ୟରେ ପଳାଇ ଯାଉଥିବା ନେଇ ଅଭିଯୋଗ ହୋଇ ଆସୁଛି। କିନ୍ତୁ ବ୍ଳକ ପ୍ରଶାସନ ତାଙ୍କୁ ଘଣ୍ଟ ଘୋଡାଇ ଆସୁଛନ୍ତି । ଏନେଇ କାକଟପୁର ବ୍ଳକ ବିଡ଼ିଓ ନାରାୟଣ ଦିକ୍ଷୀତ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଉପମୂଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ, ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଏଥିପ୍ରତି ଗୁରୁତ୍ଵ ଦେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଞ୍ଚାୟତ ଜନ ସାଧାରଣ ନିବେଦନ କରିଛନ୍ତି ।


