ପାର୍ଥସାରଥୀ ଧାମରେ ସ୍ନାନଯାତ୍ରା: ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପାତ୍ରପୁର,(ୱାଇ ଏନ ଏସ):ପାତ୍ରପୁର ବ୍ଲକର ଜରଡ଼ାସ୍ଥିତ ପାର୍ଥସାରଥୀ ଧାମରେ ଜ୍ୟେଷ୍ଠ ପୂର୍ଣ୍ଣିମା ଉପଲକ୍ଷେ ସ୍ନାନଯାତ୍ରା ଓ ଗଜାନନ ବେଶ ଭକ୍ତିଭାବର ସହ ଅନୁଷ୍ଠିତ ହୋଇଛି। ରବିବାର ରାତିରେ ଚକାଛଡ଼ା ନୀତି ପରେ ସୋମବାର ଆନ୍ଧ୍ରପ୍ରଦେଶର ବାରୁଆ ମହୋଦଧିରୁ ଅଣାଯାଇଥିବା ପବିତ୍ର ଜଳରେ ୧୦୮ ଗରା ସ୍ନାନ କରାଯାଇଥିଲା। ପରେ ମହାପ୍ରଭୁଙ୍କୁ ଗଜାନନ ବେଶରେ ସଜାଯାଇଥିଲା। ମୁଖ୍ୟ ପୁରୋହିତ ଲଳିତ ମୋହନ ପଣ୍ଡାଙ୍କ ନେତୃତ୍ୱରେ ନୀତିକାନ୍ତି ସମ୍ପନ୍ନ ହୋଇଥିବା ବେଳେ ପୂଜକ, ସେବକ, ଦଇତାପତି ଓ ପରିଚାଳନା କମିଟିର ସଦସ୍ୟମାନେ ସହଯୋଗ କରିଥିଲେ। ସ୍ନାନଯାତ୍ରା ଦେଖିବା ପାଇଁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା। ସ୍ନାନଯାତ୍ରା ପରେ ମହାପ୍ରଭୁ ୧୫ ଦିନ ଅଣସର ଘରେ ବିରାଜମାନ ରହିବେ। ନବଯୌବନ ଦର୍ଶନ ପରେ ରଥଯାତ୍ରା ଅନୁଷ୍ଠିତ ହେବ। ଚଳିତ ବର୍ଷ ସମ୍ପୂର୍ଣ୍ଣ ନୂତନ ରଥ ନିର୍ମାଣ କରାଯାଉଥିବା ସୂଚନା ମିଳିଛି। ସେହିପରି ପାତ୍ରପୁର, ପଦାଦିଗି, ସୁରଙ୍ଗୀ, ନୂଆଗଡ଼, ଭ୍ରମରପୁର ସମେତ ବ୍ଲକର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମଧ୍ୟ ଦେବସ୍ନାନ ପୂର୍ଣ୍ଣିମା ପାରମ୍ପରିକ ରୀତିନୀତିରେ ପାଳନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ