ବିଜେଡିରୁ ବିଜେପି ଓ ପୁଣି ବିଜେଡିକୁ ଆସିବା ପରେ ହରଡଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,(ଓ୍ବାଇଏନଏସ):  ବିଜେଡିରୁ ବିଜେପି ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରୀ ଏବେ ହରଡଘଣାରେ ପଡିଯାଇଛନ୍ତି । ଅଧ୍ୟକ୍ଷାଙ୍କ ବିରୋଧରେ ବିଭିନ୍ନ ପ୍ରକାର ଅଭିଯୋଗ ଲଦାଯାଇ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ରାଜନୈତିକ ଆକ୍ରୋଶ ରଖି ମୋ ଉପରେ ମିଥ୍ୟା ଆରୋପ ଲଦାଯାଇଥିବା ବ୍ଲକ ଅଧ୍ୟକ୍ଷା ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି । କ୍ଷମତାର ଅପବ୍ୟବହାର କରିବା ସହ ସଂପୂର୍ଣ୍ଣ ନିର୍ଦ୍ଦୋଷ ଥିବା ଅଧ୍ୟକ୍ଷାଙ୍କ ନିକଟକୁ କୌଣସି ପତ୍ର ପ୍ରେରିତ ନକରି କିଛି ଫାଇଲ୍ ନ ପଠାଇ ମୋର ବିରୋଧରେ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି । ଏପରିକି ପ୍ରତିସ୍ୱାକ୍ଷର ପାଇଁ ମୌଖିକ ଭାବେ ଦେଇଥିବା ସମସ୍ତ ଫାଇଲ୍ ମଧ୍ୟ ଯୁଗ୍ମ ସ୍ୱାକ୍ଷର କରି କେବେଠାରୁ ନେଇ ସାରିଛନ୍ତି । ଇ-ଡିଜିଟାଲ ସାଇନ ସମ୍ବନ୍ଧରେ କୌଣସି ଲିଖିତ ଚିଠି ମଧ୍ୟ ପ୍ରଦାନ କରିନାହାନ୍ତି । ଏହାସହ ବିଡିଓ ମୋ ସହ କୌଣସି ଆଲୋଚନା ନକରି କେତେକ ଫାଇଲ୍ ଅର୍ଥକୁ ଅନିୟମିତତା କରିଥିବାରୁ ମୋର ପାଖକୁ ନଆଣି ବାଇପାସ୍ କରି ବିଲ୍ ନେଇଯିବାକୁ ଉଦ୍ୟମ କରୁଛନ୍ତି । ସେହିପିରି ପଂଚାୟତ ସମିତି ବୈଠକ ଯେବେ କରିବାକୁ କୁହାଯାଉଛି ସେତେବେଳେ ଲୋକସଭା କିମ୍ବା ବିଧାନସଭା ଲାଗି ରହିଥାଉଛି । ଅନ୍ୟପଟେ ମୁଁ ଅଫିସ୍‌କୁ ଗଲେ ମୋର ରୁମ୍‌ରେ ପାଣି, ବିଜୁଳି କାଟି ଦିଆଯାଉଛି । ଅଫିସ୍ ସମ୍ମୁଖରେ କୁଢ଼କୁଢ଼ ମଇଳା ଅବର୍ଜନା ରଖାଯାଉଛି । ଏଭଳି ହଇରାଣ କରାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ପକ୍ଷରୁ ଗତ ୨୯ ତାରିଖରେ ପତ୍ର ସଂଖ୍ୟା ୧୨୬୨ରେ ମୋ ଉପରେ ବିଭିନ୍ନ ଅଭିଯୋଗର କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏହାର ଉତର ୭ଦିନ ମଧ୍ୟରେ ତୁରନ୍ତ ଦେବାକୁ ନିର୍ଦ୍ଦେଶ ରହିଛି । ଅନ୍ୟପକ୍ଷରେ ସେହିଦିନ ହିଁ ପତ୍ର ସଂଖ୍ୟା ୧୨୬୦ରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ବୁଗୁଡା ପଂଚାୟତ ପଂଚଦଶ କେନ୍ଦ୍ରୀୟ ଅର୍ଥ କମିସନର ଗୃହୀତ ହୋଇଥିବା ପ୍ରକଳ୍ପ ଗୁଡିକର ମୋର ସ୍ଥାନରେ ପ୍ରତିସ୍ୱାକ୍ଷର କରିବା ପାଇଁ ଜିଲ୍ଲାପାଲଙ୍କ ଦସ୍ତଖତରେ ପତ୍ର ଲେଖାଯାଇଛି । ଏହା କେତେଦୂର ଯର୍ଥାଥତା ରହିଛି ତାହା ଜାଣିପାରୁଥିବେ । ଗୋଟିଏ ପଟେ ମୋ ଉପରେ ଲଦାଯାଇଥିବା ଅଭିଯୋଗର ନୋଟିସ୍ ଦିଆଯାଉଛି ଏବଂ ଅନ୍ୟପଟେ ମୋର ବଦଳରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ପ୍ରତିସ୍ୱାକ୍ଷର ପାଇଁ କୁହାଯାଉଛି । ଏହା ରାଜନୈତିକ ଆକ୍ରୋଶ ନୁହଁ ତ ଆଉ କଣ ରହିଛି । ଆଜି ଜିଲ୍ଲାପାଳଙ୍କ ନୋଟିସ୍ ଅନୁସାରେ ମୁଁ ଜିଲ୍ଲାପାଳଙ୍କୁ ସାକ୍ଷତ କରି ବୁଗୁଡା ବ୍ଲକର ସବୁ ବିଷୟ ନେଇ ଆଲୋଚନା କରିଛି । ଜିଲ୍ଲାପାଳ ମୋତେ ଆଶ୍ୱସନା ଦେଇଛନ୍ତି । ଆପଣଙ୍କ ପଦର ମର୍ଯ୍ୟଦା ସହ ବ୍ଲକର ବିକାଶରେ ସମସ୍ତେ ମିଳିମିଶି କାମ କରିବା । ଏହାସତ୍ୱେ ଯଦି କିଛି ନ ହୁଏ ତେବେ ମୁଁ ମୋର ନ୍ୟାୟ ପାଇଁ ମାନ୍ୟବର ଉଚ୍ଚନ୍ୟାୟଳୟର ଦ୍ୱାରସ୍ଥ ହେବି ବୋଲି ଅଧ୍ୟକ୍ଷା ଶ୍ରୀମତି ଆଚାରୀ କହିଛନ୍ତି ।  ସୂଚନାନୁସାରେ, ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଆଚାରୀ ବିଜେଡିରୁ ବିଜେପି ଦଳକୁ ଆପଣାଇଥିଲେ । ପୁଣି ଗଲାମାସ ୧୯ ତାରିଖରେ ଅଧ୍ୟକ୍ଷା ବିଜେଡିକୁ ଆସିଥିଲେ । ଏହାପରଠୁ ବୁଗୁଡା ବ୍ଲକର ରାଜନୈତିକ ଉଷ୍ମତା ଦେଖାଦେଇଛି । ଏହାର ପାଶ୍ୱର୍ପତିକ୍ରିୟାରେ ବୁଗୁଡା ପଂଚାୟତ ସମିତିର ବିଭିନ୍ନ କାର୍ଯ୍ୟରେ ଅବହେଳା ଏବଂ ଅସହଯୋଗ କରୁଥିବା ନେଇ ବ୍ଲକ ପ୍ରଶାସନ ପକ୍ଷରୁ ଜୋରଦାର ଅଭିଯୋଗ ଉପରେ ଅଭିଯୋଗ ଲଦିବାରେ ଆରମ୍ଭ କରିଛି ।  ବ୍ଲକ ପ୍ରଶାସନର ସୁପାରିଶରେ ବୁବୁଡା ବ୍ଲକର ବିଭିନ୍ନ ବିଲ୍ ପତ୍ରରେ ଅଧ୍ୟକ୍ଷା ପ୍ରତିସ୍ୱାକ୍ଷର ସ୍ଥାନରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ପ୍ରତିସ୍ୱାକ୍ଷର ପାଇଁ ଜିଲ୍ଲାପାଳଙ୍କ ଜରିଆରେ ପତ୍ର ଲେଖାଯାଇଛି । ଏହାସହ ବ୍ଲକ ପ୍ରଶାସନ ଦ୍ୱାରା କରାଯାଇଥିବା ବିଭିନ୍ନ ଅଭିଯୋଗର ଅଧ୍ୟକ୍ଷା ଶ୍ରୀମତି ଆଚାରୀ ବ୍ଲକକୁ ଭଲଭାବରେ ଆସୁନାହାନ୍ତି, କୌଣସି କାର୍ଯ୍ୟରେ ସହଯୋଗ କରୁନାହାନ୍ତି ଏବଂ ପଂଚଦଶ କେନ୍ଦ୍ରୀୟ ଅର୍ଥ କମିସନର ଗୃହୀତ ହୋଇଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟ ବିଲ୍ ଡିଏସ୍‌ଇ ମାଧ୍ୟମରେ ପ୍ରତିସ୍ୱାକ୍ଷର କରୁନାହାନ୍ତି । ଏହାସହ ପଂଚାୟତ ସମିତି ବୈଠକ କରିବାରେ ସହଯୋଗ କରୁନଥିବା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ବ୍ଲକ ପ୍ରଶାସନ ପକ୍ଷରୁ ଅଭିଯୋଗ ହୋଇଥିଲା । ଗଞ୍ଜାମ ଜିଲ୍ଲାପାଳ ଏହି ଘଟଣାକୁ ଗୁରୁତ୍ୱ ସହ ଗ୍ରହଣ କରି ବୁଗୁଡା ବ୍ଲକର ଅଧ୍ୟକ୍ଷାଙ୍କ ଦସ୍ତଖତ ଆବଶ୍ୟକ ପଡୁଥିବା ସ୍ଥଳରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ କାଉଟଂର ଦସ୍ତଖତ କରିବା ପାଇଁ ଗତ ୨୯ ତାରିଖରେ ପତ୍ର ସଂଖ୍ୟା ୧୨୬୦ରେ ଦର୍ଶାଇଛନ୍ତି । ଅନ୍ୟପକ୍ଷରେ ଉକ୍ତ ଦିନ ପତ୍ର ସଂଖ୍ୟ।। ୧୨୬୨ ମାଧ୍ୟମରେ ବୁଗୁଡା ପଂଚାୟତ ସମିତିର କାର୍ଯ୍ୟ ବିଲ୍ ପ୍ରଦାନ ନିମନ୍ତେ ଡିଏସ୍‌ଇ ମାଧ୍ୟମରେ ପ୍ରତିସ୍ୱାକ୍ଷର ନକରିବା ଏବଂ ସମିତି ବୈଠକ ଅନୁଷ୍ଠିତ ହୋଇ ନଥିବା ସମ୍ବନ୍ଧରେ ବ୍ଲକ ଅଧ୍ୟକ୍ଷାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ଏହାର ଉତର ଆସନ୍ତା ୭ ଦିନ ମଧ୍ୟରେ ଅବଗତ କରାଇବା ପାଇଁ କୁହାଯାଇଛି । ନଚେତ ଓଡିଶା ଗ୍ରାମ ପଂଚାୟତ ସମିତି ଆଇନ, ୧୯୫୯ ଧାରା ୪୦ ପ୍ରକାରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ସଂପୃକ୍ତ ଅଧିକାରୀଙ୍କୁ ସୁପାରିଶ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ଜୁଲାଇ ୧ ତାରିଖରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଆଚାରୀ ଗଞ୍ଜାମ ଜିଲ୍ଲାପାଳ ଭି.କିର୍ତୀଭାସନ୍‌ଙ୍କୁ ସାକ୍ଷାତ କରି ତାଙ୍କରି ଉପରେ ଥିବା ଅଭିଯୋଗ ସମ୍ବନ୍ଧରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ