ଜାଗା ଚିହ୍ନଟରେ ପ୍ରଶାସନିକ ପକ୍ଷପାତିତା ଅଭିଯୋଗ: ନିରପେକ୍ଷ ତଦନ୍ତ ଦାବୀ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ତହସିଲ ସେଣ୍ଢତୀରା ପଞ୍ଚାୟତ ଅଧିନ ଫୁଲଗଢିଆ ଓ ବାଲିପୁର ଗ୍ରାମରେ ସରକାରୀ ଜାଗା ଚିହ୍ନଟରେ ପ୍ରଶାସନିକ ପକ୍ଷପାତିତା ଯୋଗୁ ଦୁଇ ଗ୍ରାମର ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଫୁଲଗଢିଆ ଗ୍ରାମର ଯେନାସାହିରେ କମ୍ୟୁନିଟ ସେଣ୍ଟର ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଜାଗା ଚିହ୍ନଟରେ ବ୍ୟାପକ ତୃଟି କରାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ଫୁଲଗଢିଆ ଗ୍ରାମ ସଂଲଗ୍ନ ବାଲିପୁର ଗ୍ରାମର ଅଧିବାସୀ ମାନେ ନିଜସ୍ୱ ସ୍ଥାନରେ ଘର କରି ପୁରୁଷାନୁକ୍ରମେ ଦୀର୍ଘ ବର୍ଷ ଧରି ରହି ଆସୁଛନ୍ତି । ଫୁଲଗଢିଆ ମୌଜାର ମେଳଣ ପଡିଆ ପାଇଁ ଥିବା ସରକାରୀ ଜାଗାକୁ ତହସିଲ ପକ୍ଷରୁ ମାପ ଚିହ୍ନଟ ପାଇଁ ପାଖ ପଡୋଶୀଙ୍କୁ ନୋଟିସ କରା ନଯାଇ କେତେ ଜଣ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କର୍ମୀଙ୍କ ପ୍ରରୋଚନାରେ ଜାଗା ମାପ କରି ଚିହ୍ନଟ କରାଯାଇଥିଲା । ପରେ ଆକ୍ରୋଶ ମୂଳକ ଭାବେ ପଡୋଶୀ ଗ୍ରାମର କେତେକ ବ୍ୟକ୍ତି ନିଜସ୍ୱ ଅର୍ଥରେ ସିମେଣ୍ଟ ଖୁଣ୍ଟ ବସାଇ ବାଲିପୁର ଗ୍ରାମର କେତେକ ପରିବାରଙ୍କୁ ସେହି ବାଟେ ଚଳ ପ୍ରଚଳ ନକରିବା ପାଇଁ ଧମକ ଦେଉଛନ୍ତି । ଉକ୍ତ ମୌଜାର ପ୍ରାୟ ୧୫ରୁ ୨୦ ଏକର ସରକାରୀ ଜାଗା ଥିବା ବେଳେ ଏହାକୁ କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଜବର ଦଖଲ କରି ଘର କରିବା ସହିତ ଚାଷ ଜମିରେ ପରିଣତ କରିଛନ୍ତି । ଏପରିକି ସରକାରୀ ଜାଗାକୁ ବାଡ ଘେରା କରି ସେଠାରେ ଥିବା ଗଛକୁ କାଟି ବିକ୍ରୟ କରୁଥିବା ଅଭିଯୋଗ ହୋଇଛି । ପ୍ରଶାସନ ସେଥିପ୍ରତି ଦୃଷ୍ଟି ନଦେଇ ନିର୍ଦ୍ଦିଷ୍ଟ ଭାବେ ପଡୋଶୀ ବାଲିପୁର ଗ୍ରାମର କେତେକ ପରିବାରକୁ ଆକ୍ରୋଶ ମୂଳକ ଭାବେ ହଇରାଣ କରୁଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ବାଲିପୁର ଗ୍ରାମର ଧନେଶ୍ୱର ଜେନାଙ୍କ ସମେତ ଅନ୍ୟ ମାନେ ଗତ ୨୦୨୫ ନଭେମ୍ବର ୩ରେ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀରେ ଅଭିଯୋଗ କରିଥିଲେ । ପରେ୨୦୨୫ ଡିସେମ୍ବର ୨୨ ଓ ୨୩ ଏବଂ ୨୦୨୬ ଜାନୁଆରୀ ୩ ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ । ମାତ୍ର ପ୍ରଶାସନିକ ସ୍ଥାଣୁତା ଯୋଗୁ ଉକ୍ତ ସମସ୍ୟାର ଏପର୍ଯ୍ୟନ୍ତ ସମାଧାନ ହୋଇନଥିବା ଅଭିଯୋଗକାରୀ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱ ଦେଇ ନିରପେକ୍ଷ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ