ଶୂନ୍ୟ ବାଲ୍ୟ ବିବାହ ଜିଲ୍ଲା ହେବ କେନ୍ଦ୍ରାପଡ଼ା: ଜିଲ୍ଲାପାଳ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲା ଶୂନ୍ୟ ବାଲ୍ୟ ବିବାହ ଜିଲ୍ଲା ହେବ। ଏ ନେଇ ଏକ ଆକ୍ସନ ପ୍ଲାନ ତିଆରି ହୋଇଛି। ଏହି ଯୋଜନା ଅନୁଯାୟୀ ଆସନ୍ତା ୫ ବର୍ଷ ମଧ୍ୟରେ ବିଭିନ୍ନ ପଦକ୍ଷେପ ହାତକୁ ନିଆଯିବ। ଫଳରେ କେନ୍ଦ୍ରାପଡ଼ା ଜିଲ୍ଲା ଶୂନ୍ୟ ବାଲ୍ୟ ବିବାହ ଜିଲ୍ଲାରେ ପରିଣତ ହେବ ବୋଲି ଜିଲ୍ଲାପାଳ ରଘୁରାମ ଆର. ଆୟର କହିଛନ୍ତି। ଚାଇଲ୍ଡ ଫଣ୍ଡ ଇଣ୍ଡିଆ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର. ଆୟର ଏହା କହିଛନ୍ତି। ସେ କହିଛନ୍ତି ଚାଇଲ୍ଡ ଫଣ୍ଡ ଅନୁଷ୍ଠାନର କର୍ମକର୍ତ୍ତାମାନେ ମହାକାଳପଡ଼ା ଓ ରାଜନଗର ବ୍ଲକରେ ସର୍ଭେ କରି ଜାଣିବାକୁ ପାଇଛନ୍ତି ଯେ ଏହି ଦୁଇଟି ବ୍ଲକରେ ଅଧିକ ବାଲ୍ୟ ବିବାହ ଘଟଣା ଘଟୁଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ସଂସ୍ଥା ମହାକାଳପଡ଼ା ବ୍ଲକରେ କାର୍ଯ୍ୟ କରିବ। ପରବର୍ତ୍ତୀ ସମୟରେ ଏହା ଅନ୍ୟ ବ୍ଲକରେ ହେବ। ଅନୁଷ୍ଠାନର କର୍ମକର୍ତ୍ତାମାନେ ଅଭିଭାବକମାନଙ୍କୁ ଏ ନେଇ ବୁଝାଇବେ। ବାଲ୍ୟାବସ୍ଥାରେ ଜଣେ ବିବାହ କଲେ ତାଙ୍କ ମାନସିକ ଓ ଶାରିରୀକ ସ୍ୱାସ୍ଥ୍ୟ ଉପରେ କେଉଁ ପ୍ରକାର ପ୍ରତିକୂଳ ପ୍ରଭାବ ପଡିଥାଏ ତାହା ସେମାନଙ୍କୁ ବୁଝାଇବେ ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲାରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଚାଇଲ୍ଡ ଫଣ୍ଡର କର୍ମକର୍ତ୍ତା ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ଏହି ଅବସରରେ ଚାଇଲ୍ଡ ଫଣ୍ଡ ଅନୁଷ୍ଠାନର ନେତୃତ୍ୱ ନେଉଥିବା ଆଶିଷ ରଞ୍ଜନ ସାହୁ କହିଛନ୍ତି ଅଭିଭାବକମାନେ ନିଜ ପିଲାର ଯତ୍ନ ନେଇ ୧୮ ବର୍ଷ ନ ପୁରିଲା ପର୍ଯ୍ୟନ୍ତ ଝିଅର ବିବାହ କରିବେ ନାହିଁ। ଚାଇଲ୍ଡ ଫଣ୍ଡ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ବର୍ଷିଆ ଯେଉଁ ଆକ୍ସନ ପ୍ଲାନ ତିଆରି ହୋଇଛି ତାହାକୁ କିପରି ସଫଳତାର ସହ କାର୍ଯ୍ୟକାରୀ କରାଯାଇ ପାରିବ ସେ ନେଇ ଅନୁଷ୍ଠାନ ପକ୍ଷରୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲା। ଚାଇଲ୍ଡ ଫଣ୍ଡର ଶ୍ରୀ ସାହୁ କହିଛନ୍ତି ପିଲାଟି ଯେତେବେଳେ ୧୦ମରୁ ପାଠ ଛାଡୁଛି ତା ପରେ ସେ ବିବାହ କରିବା ପାଇଁ ମନସ୍ଥ କରୁଛି ଓ ଜଣେ ଯୁବକ ସହ କିଛିଦିନ ପରେ ସେ ଫେରାର ହୋଇ ଯାଉଛି। କିନ୍ତୁ ସେହି ସମୟରେ ଝିଅଟି ନାବାଳିକା ଅଛି ଓ ବିବାହ ଯୋଗ୍ୟ ହୋଇନାହିଁ। ହେଲେ ସେହି ସମୟରେ ଯଦି ପିଲାଟି କିପରି ପାଠରେ ମନୋନିବେଶ କରିବ ସେ ନେଇ ସେ ଓ ତାଙ୍କ ଅଭିଭାବକ ସଚେତନ ହେବା ଜରୁରୀ। ପିଲାଟି କିପରି ଅଧାରୁ ପାଠ ନ ଛାଡି ସ୍ନାତ୍ତକ ପର୍ଯ୍ୟନ୍ତ ପାଠ ପଢିବ ସେ ନେଇ ସଚେତନତା ସୃଷ୍ଟି କରାଯିବ। ଏହାଦ୍ୱାରା ପିଲାଟି ଆଉ କମ ବୟସରେ ବିବାହ ପାଇଁ ଚିନ୍ତା କରିବ ନାହିଁ କି ସେଭଳି ପରିସ୍ଥିତି ସୃଷ୍ଟି ହେବ ନାହିଁ। ପିଲା ଓ ଅଭିଭାବକ ସଚେତନ ହୋଇଗେଲ ହୋଇଗଲେ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ସ୍ୱାଗତିକା ପାତ୍ର, ମହିଳା ସଶକ୍ତିକରଣର ଜିଲ୍ଲା ସଂଯୋଜକ ଲଲାଟେନ୍ଦୁ ଭୋଇଙ୍କ ସମେତ ଚାଇଲ୍ଡ ଫଣ୍ଡର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ