ଲଗାଣ ବର୍ଷାରେ ବେହାଲ କଟକ ସହର, ବର୍ଷା ଜଳ ନିଷ୍କାସନ କରିବାରେ ବିଫଳ ସିଏମସି

କଟକ, (ଓ୍ବାଇଏନଏସ): ଲଗାଣ ବର୍ଷାରେ ବେହାଲ କଟକ ସହର । ସହରର ଅନେକ ଅଞ୍ଚଳରେ ଜଳମଗ୍ନ ସ୍ଥିତି ସୃଷ୍ଟି ହୋଇଛି । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଲହରୀ ମାରୁଥିବା ବେଳେ ନଦୀର ଭ୍ରମ ସୃଷ୍ଟି କରିଛି । ଲଗାଣ ବର୍ଷା ଯୋଗୁଁ ଘର ଭିତରେ ପାଣି ଜମି ରହିଛି । ବିଶେଷକରି ତଳିଆ ଅଞ୍ଚଳରେ ଥିବା ଘର ଗୁଡିକରେ ବର୍ଷା ପାଣି ଜମି ରହି ଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସହର ବାସିନ୍ଦା । ସେହିପରି ଯାତାୟତ ବାଧାପ୍ରାପ୍ତ ହୋଇଛି । ବର୍ଷା ଜଳ ସଠିକ ଭାବରେ ନିଷ୍କାସନା ହୋଇ ପାରୁ ନଥିବାରୁ ନାଳ ପାଣି ଘରେ ପଶିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବର୍ଷା ଜଳ ନିଷ୍କାସନ ପାଇଁ ସିଏମସି ସମସ୍ତ ପଦକ୍ଷେପ ଗ୍ରହଣ କରୁଥିବା କଟକ ମେୟର କହିଛନ୍ତି । ଲଗାଣ ବର୍ଷାରେ କଟକ ସହରର ରକ୍ସି ଲେନ, ମେରିଆ ବଜାର, ଫ୍ରେଣ୍ଡ୍ସ କଲୋନୀ, କାଜିବଜାର, ସୂତାହାଟ, ରାଉସାପାଟଣା, ଆଦି ଅନେକ ଅଞ୍ଚଳ ଏବେ ଜଳମଗ୍ନ ଅବସ୍ଥାରେ ରହିଛି । ଘର ଏବଂ ରାସ୍ତା ସବୁ ଆଡ଼େ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ସ୍ଥିତି ଏମିତି ଯେ, କିଏ ନିଜ ଘରୁ ବର୍ଷା ଜଳ ନିଷ୍କାସନ କରିବାକୁ ସାରା ରାତି ଲାଗି ପଡିଛନ୍ତି ତ ଆଉ କିଏ ରୋଷେଇ ଘରେ ପାଣି ପଶିବାରୁ ରୋଷେଇ ନକରି ଶୁଖିଲା ଖାଦ୍ୟ ଖାଇ ରହିଛନ୍ତି । ଏଭଳି ସ୍ଥିତିରେ ଅସନ୍ତୋଷ ଜାହିର କରିଛନ୍ତି ସହର ବାସିନ୍ଦା ।ସହରବାସୀଙ୍କ କହିବା ଅନୁଯାୟୀ, “ଦୁଇ ଦିନ ହେବ ବର୍ଷା ଲାଗି ରହିଛି । ବର୍ଷା ଜଳ ନିଷ୍କାସନ ହୋଇ ପାରୁନଥିବାରୁ ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ଘରୁ ବାହାରିବା ତ ଦୂରର କଥା ନିଜ ଘରେ ଥିବା ଖଟ ଉପରେ ପରିବାର ଲୋକ ଆଶ୍ରୟ କରିଛନ୍ତି । କେବେ ବର୍ଷା ଜଳ ନିଷ୍କାସନ ହେବ ତାହାକୁ ଅପେକ୍ଷା କରିଛୁ । ନିଜ ଘରେ ଯାହା ଶୁଖିଲା ଖାଦ୍ୟ ଥିଲା ତାହାକୁ ଖାଇ ରହିଛୁ ।” ଘରୁ ବର୍ଷା ଜଳ ନିଷ୍କାସନ କରିବାକୁ ପରିବାର ଲୋକ ପୁରା ରାତି ଅନିଦ୍ରା ହୋଇ ରହିଛନ୍ତି । ସିଏମସି ଜଳ ନିଷ୍କାସନ କରିବାରେ ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏନେଇ ପ୍ରତିକ୍ରିୟା ରଖି ସିଏମସି ମେୟର ସୁବାସ ସିଂ କହିଛନ୍ତି, “କଟକ ସହର ଦୁଇ ନଦୀ ମଝିରେ ଖାଲ ସ୍ଥାନରେ ରହି ଥିବାରୁ ଜଳମଗ୍ନ ସ୍ଥିତି ହେବା ସ୍ୱାଭାବିକ । ମାତ୍ର ଏହାର ମୁକାବିଲା ପାଇଁ ସିଏମସି ଯଥେଷ୍ଟ ପଦକ୍ଷେପ ଗ୍ରହଣ କରୁଛି । ଜଳ ନିଷ୍କାସନ ପାଇଁ ସହରରେ ତିନି ଶହଟି ପାଣି ପମ୍ପର ବ୍ୟବସ୍ଥା କରାଯାଇଛି । ଉଚ୍ଚ କ୍ଷମତା ଥିବା ମଟର ଭଲବ ମଟର ସାହାଯ୍ୟରେ ସହରରୁ ଜଳ ନିଷ୍କାସନ କରାଯାଉଛି । ସମସ୍ତ ୱାର୍ଡରେ ପାଣି ପମ୍ପ ରହିଛି । ଗତବର୍ଷ ୨୫୦ଟି ମଟର ଥିବା ବେଳେ ଚଳିତ ବର୍ଷ ଏହାର ବୃଦ୍ଧି କରାଯାଇ ୩୦୦ଟି କରାଯାଇଛି । ପ୍ରବଳ ବର୍ଷା ହେଉଥିବାରୁ ଜଳ ନିଷ୍କାସନ କରିବାରେ ସମସ୍ୟା ସୃଷ୍ଟି ହେଉଛି । ତଥାପି ଘଣ୍ଟାଏ ମଧ୍ୟରେ ବର୍ଷା ଜଳ ନିଷ୍କାସନ ହୋଇଯିବ ।”
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ