ଡାକ୍ତରଖାନା ରେ ମିଳୁନି ଆମ୍ବୁଲାନ୍ସ ସେବା, ପ୍ରଶ୍ନ ଉଠାଇଲେ ଜିଲ୍ଲା ପରିଷଦ
ହାଟଡିହି (ଓ୍ବାଇଏନଏସ): ଶାଳଣିଆଁ ଡାକ୍ତରଖାନା ରେ ଆମ୍ବୁଲାନ୍ସ ସେବା ଉପଲବ୍ଧ ହେଉ ନଥିବାରୁ ଜିଲ୍ଲା ପରିଷଦ ବୈଠକରେ ଉଦବେଗ ପ୍ରକାଶ ପାଇଛି। ୩୭ନଂ ଜୋନର ଜିଲ୍ଲା ପରିଷଦ ବିମ୍ବାଧର ବିଶ୍ୱାଳ ଏନେଇ ପ୍ରଶ୍ନ ରଖିବା ସହ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ୮ଟି ପଞ୍ଚାୟତର ଲୋକ ନିର୍ଭର କରିଥାନ୍ତି। ଏଠାରେ ଆବଶ୍ୟକ ଡାକ୍ତର ନଥିବାରୁ ଯେଉଁ ଗୁରୁତର ରୋଗୀଟିଏ ଚିକିତ୍ସା ପାଇଁ ଆସୁଛନ୍ତି ତାଙ୍କୁ ଆନନ୍ଦପୁର ନଚେତ ଭଦ୍ରକ ସ୍ଥାନାନ୍ତର କରାଯାଇ ଥାଏ। ମାତ୍ର ଏଠାକୁ ଗୋଟିଏ ଆମ୍ବୁଲାନ୍ସ ଡ଼ିଏମଏଫ ରୁ ଯୋଗାଇ ଦିଆ ଯାଇଥିଲେ ମଧ୍ୟ ତାହା ଡାକ୍ତରଖାନା ପରିସରରେ ରହୁନି। ଦିନରେ ଶାଳଣିଆଁ ଓ ରାତିରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ରେ ରହୁଛି। ଶାଳଣିଆଁ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରୁ ରୋଗୀଟିଏ ରାତିରେ ଆଣିବାକୁ ହେଲେ ଦୀର୍ଘ ୩୦କିଲୋମିଟର ଦୁର ଆନନ୍ଦପୁରରୁ ଏଠାକୁ ଆମ୍ବୁଲାନ୍ସ ଆସି ରୋଗୀକୁ ନେବା ବେଳକୁ ଅନେକ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି। ଶାଳଣିଆଁ ଡାକ୍ତରଖାନାରେ ଆମ୍ବୁଲାନ୍ସ ସେବା ପ୍ରହସନ ପାଲଟିଛି। ଗୋଟିଏ ପଟେ ଆବଶ୍ୟକ ଡାକ୍ତର ନଥିବାରୁ ଲୋକେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ବେଳେ ଆମ୍ବୁଲାନ୍ସ ସେବା ନପାଇବା ଅଞ୍ଚଳ ବାସୀଙ୍କୁ ବ୍ୟଥିତ କରିଛି। ଏଣୁ ଏହାର ସ୍ଥାୟୀ ସମାଧାନ କରିବାକୁ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ବିଶ୍ୱାଳ ଦାବି କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତୁରନ୍ତ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିଲେ।


