ପୋଖରୀରେ ବୁଡ଼ି ଶ୍ରମିକ ମୃତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ଗ୍ରାମ ପୋଖରୀ ରେ ବୁଡ଼ିଯାଇ ଜଣେ ଶ୍ରମିକ ମୃତ୍ୟୁବରଣ କରିଛନ୍ତି।ମୃତକ ଜଣକ ହେଲେ କଇଠଡ଼ା ପଞ୍ଚାୟତ ଦୁଆର ଗାଁ ର ପିଣ୍ଟୁ ଗୌଡ଼(୨୫)। ଶୁକ୍ରବାର ସକାଳେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି।ଗୁରୁବାର ପିଣ୍ଟୁ ଅନ୍ୟ କିଛି ଶ୍ରମିକଙ୍କ ସହ ଚୈତନ୍ୟପୁର ଗାଁ ର ଜଣେ ବ୍ୟକ୍ତି ଙ୍କ ଘର ଛାତ ଢ଼ଳେଇ କାମ କୁ ଯାଇଥିଲେ।ଅପରାହ୍ନରେ ଢ଼ଳେଇ କାମ ସରିବା ପରେ ପୋଖରୀ କୁ ଯାଇ ଗାଧୋଉଥିବା ବେଳେ ସେ ଅସାବଧାନତା କାରଣରୁ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ଖବରପାଇ ଦିଗପହଣ୍ଡି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ସରକାରୀ ହସ୍ପିଟାଲ ରେ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏନେଇ ପିଣ୍ଟୁ ଙ୍କ ବାପା ଦିଗପହଣ୍ଡି ଥାନାରେ ଏତଲା ହେବାପରେ ଆଇଆଇସି କିଶୋର କୁମାର ସାମଲ ଅପମୃତ୍ୟୁ ମାମଲା ନଂ.୩୫/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ।ତଦନ୍ତକାରୀ ଥାନା ଏସ.ଆଇ ସୋଫିଆ ମିଶ୍ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିଲେ।


