୮୦ ବର୍ଷରୁ ଉର୍ଦ୍ଧ୍ୱ ବୃଦ୍ଧବୃଦ୍ଧାଙ୍କୁ ମିଳୁନି ୩୦୦୦ ଟଙ୍କାର ଭତ୍ତା
ରାୟଗଡ଼ା,( ଯୋଗେଶ୍ୱର ଦାସ ): ରାୟଗଡ଼ା ବ୍ଲକ ଅଞ୍ଚଳରେ ବୃଦ୍ଧବୃଦ୍ଧାଙ୍କ ସାମାଜିକ ସୁରକ୍ଷା ଏବଂ ସରକାରୀ ସହାୟତାକୁ ନେଇ ଏକ ସଂଗୀନ ଅଭିଯୋଗ ଆସିଛି। ଗତ ସାଧାରଣ ନିର୍ବାଚନ ସମୟରେ ୮୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ନାଗରିକମାନଙ୍କୁ ମାସିକ ୩୦୦୦ ଟଙ୍କାର ବାର୍ଦ୍ଧକ୍ୟ ଭତ୍ତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ବିଫଳ ପ୍ରମାଣିତ ହୋଇନଥିବା ଦେଖିବାକୁ ମିଳିଛି । ଆଜିକୁ ପ୍ରାୟ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଅଞ୍ଚଳର ଶତାଧିକ ଯୋଗ୍ୟ ହିତାଧିକାରୀ ଏହି ସୁବିଧାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି । ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ରାୟଗଡ଼ା ବ୍ଲକ ତାଡ଼ମା ପଞ୍ଚାୟତ ଅଞ୍ଚଳର ୮୭ ବର୍ଷୀୟା ବୃଦ୍ଧା ସୁବର୍ଣ୍ଣା ଗରଡ଼ା। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଏବଂ ଦାରିଦ୍ର୍ୟ ସହ ସଂଗ୍ରାମ କରୁଥିବା ସୁବର୍ଣ୍ଣାଙ୍କ ଭଳି ବହୁ ବୃଦ୍ଧବୃଦ୍ଧା ସରକାରୀ ସହାୟତା ଟିକେ ପାଇଁ ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିରାଶ ହୋଉଥିବା ଅଭିଯୋଗ ହେଉଛି । ଅନ୍ୟପଟେ ଗତ ୬ ମାସ ହେଲା ସୁବର୍ଣ୍ଣା ପାଉଥିବା ମାସିକ ୧୦୦୦ ଟଙ୍କା ଭତ୍ତା ପାଇନାହାନ୍ତି ବୋଲି ପ୍ରକାଶ କରିଛନ୍ତି । ଏନେଇ ବ୍ଲକ କାର୍ଯ୍ୟଳୟରେ ପଚାରିବାରୁ ବ୍ୟାଙ୍କ୍ ଖାତାରେ କେୱାଇସି କଲେ ଆକାଉଣ୍ଟରେ ଟଙ୍କା ଜମା ହେବ ବୋଲି କୁହାଯାଇଛି ବୋଲି ସୁବର୍ଣ୍ଣା ପ୍ରକାଶ କରିଛନ୍ତି । ତେବେ ପରିଣତ ବୟସରେ ଚାଲିପାରୁନଥିବା ସୁବର୍ଣ୍ଣା ବ୍ୟାଙ୍କ ଯାଇ କିଭଳି ଟଙ୍କା ଆଣିବେ ଏବଂ ଗୁଜୁରାଣ ମେଣ୍ଟାଇବେ ବୋଲି ପଚାରିଛନ୍ତି। ବର୍ତ୍ତମାନ ତାଙ୍କ ଦେହ ଅସୁସ୍ଥ ଥିବା ବେଳେ ଭତ୍ତା ଟଙ୍କା ପାଇନଥିବା କାରଣରୁ ଚିକିତ୍ସା କରିପାରୁନାହାନ୍ତି ବୋଲି ସୁବର୍ଣ୍ଣା ପ୍ରକାଶ କରିଛନ୍ତି । ଅଭିଯୋଗ ଅନୁଯାୟୀ, ଅସହାୟ ହିତାଧିକାରୀମାନେ ଯେତେବେଳେ ନିଜର ହକ ମାଗିବାକୁ ବ୍ଲକ ଅଫିସକୁ ଯାଉଛନ୍ତି, ସେଠାରେ ସେମାନଙ୍କୁ କେବଳ ଗୋଟିଏ ନିରାଶଜନକ ଉତ୍ତର ମିଳୁଛି ଯେ, “ଉପରୁ ଟାର୍ଗେଟ୍ ଆସିନାହିଁ”। ଏହି ବାହାନା ଦେଖାଇ ବିଗତ ୨ ବର୍ଷ ଧରି ବହୁ ଗରିବ ଅସହାୟ ବୃଦ୍ଧବୃଦ୍ଧାମାନଙ୍କୁ କେବଳ ଦଉଡ଼ାଯାଉଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ସରକାରଙ୍କ ଏହି ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ଯଦି ସରକାର ବୃଦ୍ଧବୃଦ୍ଧାଙ୍କ କଲ୍ୟାଣ ପାଇଁ ବଡ଼ ବଡ଼ ଦାବି କରୁଛନ୍ତି, ତେବେ ବାସ୍ତବରେ ଏହି ଯୋଗ୍ୟ ହିତାଧିକାରୀମାନଙ୍କ ପାଖକୁ ସହାୟତା କାହିଁକି ପହଞ୍ଚିପାରୁ ନାହିଁ ? କେବେ ମିଳିବ ଏହି ଅସହାୟ ଲୋକଙ୍କୁ ସେମାନଙ୍କର ପ୍ରାପ୍ୟ, ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ରାୟଗଡ଼ା ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରୁଛନ୍ତି।


